ମୁମ୍ବାଇ : ବଲିଉଡର ଚର୍ଚ୍ଚିତ କପଲ୍ ଆଦିତ୍ୟ ଧର ଓ ୟାମୀ ଗୌତମ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ମୁମ୍ବାଇର ଚାକଚକ୍ୟ ଜୀବନଠାରୁ ଦୂରରେ ରହି ଅତି ସାଧାରଣ ଜୀବନଶୈଳୀରେ ବଞ୍ଚୁଥିବାର ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ଏହି ଦମ୍ପତ୍ତି ଯାହା କରିଛନ୍ତି ତାକୁ ନେଇ ଫ୍ୟାନ୍ସ ଓ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି । ହିମାଚଳ ପ୍ରଦେଶର ପ୍ରାକୃତିକ ପରିବେଶରେ ନିଜର ଏକ ସୁନ୍ଦର ଘରଟିଏ ତୋଳିଛନ୍ତି ଏହି ଷ୍ଟାର୍ ଦମ୍ପତି। ହିମାଚଳ ପ୍ରଦେଶର ପାହାଡ଼, ସବୁଜିମା ଓ ଶାନ୍ତ ପରିବେଶକୁ ନିଜ ଘର ଭାବେ ବାଛିଛନ୍ତି ଦୁହେଁ । ଆଉ ଏବେ ସୋସିଆଲ ମିଡିଆରେ ତାଙ୍କ ଘରର ଝଲକ ଭାଇରଲ ହେବା ପରେ ତାହା ପ୍ରଶଂସକଙ୍କ ମନ ଜିଣିଛି।

ମୁମ୍ବାଇର ଭିଡ଼ଭାଡ଼ ଓ ବ୍ୟସ୍ତ ଜୀବନଠାରୁ ଦୂରରେ ପ୍ରକୃତିର କୋଳରେ ସମୟ କାଟିବାକୁ ପସନ୍ଦ କରୁଛନ୍ତି ଏହି ଦମ୍ପତ୍ତି । କାରଣ ଧୁରନ୍ଧର ଡିରେକ୍ଟର ଆଦିତ୍ୟ ଧର ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ୟାମୀ ଗୌତମଙ୍କ ହିମାଚଳ ସହ ଗଭୀର ସମ୍ପର୍କ ରହିଛି। ୟାମୀଙ୍କ ମୂଳ ଘର ହିମାଚଳ ପ୍ରଦେଶରେ ହୋଇଥିବାରୁ ପାହାଡ଼ିଆ ପରିବେଶ ପ୍ରତି ତାଙ୍କର ବିଶେଷ ଆକର୍ଷଣ ରହିଛି। ୟାମୀ ଓ ଆଦିତ୍ୟଙ୍କ ଘରରେ ଆଧୁନିକତା ସହ ପାରମ୍ପରିକ ପାହାଡ଼ିଆ ଛୁଆଁର ମିଶ୍ରଣ ଦେଖିବାକୁ ମିଳେ। ଘରର ଚାରିପାଖରେ ଥିବା ସବୁଜ ପରିବେଶ ଓ ପାହାଡ଼ର ମନୋରମ ଦୃଶ୍ୟ ଏହାକୁ ଆହୁରି ଆକର୍ଷଣୀୟ କରିଛି। ଘରର ସାଜସଜ୍ଜା ମଧ୍ୟ ସରଳ ଓ ଏଲିଗାଣ୍ଟ ରଖାଯାଇଛି।

ଦୁହେଁ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହୋଇଥିଲେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନକୁ ଅଧିକ ଲାଇମଲାଇଟ୍ରେ ରଖନ୍ତି ନାହିଁ। ବିବାହ ପରେ ଦୁହେଁ ପରିବାର ଓ ନିଜସ୍ୱ ସମୟକୁ ଗୁରୁତ୍ୱ ଦେଇଆସୁଛନ୍ତି। ହିମାଚଳର ଶାନ୍ତ ପରିବେଶ ତାଙ୍କୁ ଏକ ସରଳ ଓ ସୁଖଦ ଜୀବନ ବିତାଇବାର ସୁଯୋଗ ଦେଉଛି। ଷ୍ଟାର୍ ଦମ୍ପତିଙ୍କ ଏହି ନୂଆ ଘରର ଫଟୋ ଦେଖିଲେ ଲାଗେ, ଦୁହେଁ ଗ୍ଲାମରସ୍ ଲାଇଫ୍ ଅପେକ୍ଷା ଶାନ୍ତ ଓ ସରଳ ଜୀବନକୁ କେତେ ଉପଭୋଗ କରୁଛନ୍ତି। ପାହାଡ଼, ଖୋଲା ଆକାଶ ଓ ସବୁଜ ପରିବେଶ ମଧ୍ୟରେ ପରିବାର ସହ ସମୟ କାଟିବାର ଏହି ଅନ୍ଦାଜ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି।