ନୂଆଦିଲ୍ଲୀ: ପାଠ ପଢ଼ିବାକୁ ଶ୍ରେଣୀ ଗୃହରେ ପ୍ରବେଶ କରୁ କରୁ ହଠାତ୍ ତଳେ ପଡ଼ି ଚାଲିଗଲା ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ। ବୁଧବାର ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଦିଲ୍ଲୀ ପୁଲିସର ସୂଚନା ଅନୁସାରେ, ସକାଳ ୯.୫୨ ସମୟରେ ପିସିଆରକୁ କଲ କରି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଲବଲି ପବ୍ଲିକ ସ୍କୁଲର ଜଣେ ୯ ବର୍ଷର ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ନିର୍ମାଣ ବିହାର ସ୍ଥିତି ମଲିକ ରେଡିକ୍ସ ହେଲ୍ଥ କେୟାରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପୁଲିସ ଅଫିସରଙ୍କ ସୂଚନା ଅନୁସାରେ ପ୍ରାଥମିକ ତଦନ୍ତରେ ସ୍କୁଲର ସିସିଟିଭି ଯାଞ୍ଚ କରାଯାଇଥିଲା। ପିଲାଟି ଶ୍ରେଣୀରେ ଛିଡ଼ା ହୋଇଥିବା ବେଳେ ହଠାତ୍ ତଳେ ପଡ଼ିଯାଉଥିବା ଦେଖାଯାଉଛି। ଏହି ମାମଲାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରଥମେ ସିସିଟିଭି ଯାଞ୍ଚ କରିବା ସହିତ ମୃତ ଛାତ୍ରୀଙ୍କର ବାପାମା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କରାଯାଇଛି।

ସ୍କୁଲରେ ଲାଗିଥିବା ବିଭିନ୍ନ କ୍ୟାମେରାରେ ଛାତ୍ରୀଙ୍କୁ ଦେଖାଯାଇଛି। ଶ୍ରେଣୀଗୃହରେ ଲାଗିଥିବା କ୍ୟାମେରାରେ ଛାତ୍ରୀ ଜଣଙ୍କ କ୍ଲାସରେ ପ୍ରବେଶ କରିବା ପରେ ଅଣ୍ଟାରେ ହାତ ଦେଇ ଛିଡ଼ା ହେଉଛନ୍ତି। ଏହାର କିଛି ସମୟ ପରେ ସେ ହଠାତ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଉଛନ୍ତି। ପାଖରେ ଛିଡ଼ା ହୋଇଥିବା ଶିକ୍ଷୟିତ୍ରୀ ତତ୍ପରତା ଦେଖାଇ ଛାତ୍ରୀଙ୍କୁ ତଳୁ ଉଠାଇ ସିଟ୍‌ରେ ବସାଇବାକୁ ଚେଷ୍ଟା କରୁଛନ୍ତି।

ନିରାଶ ହେବା ପରେ ଶିକ୍ଷୟିତ୍ରୀ ଜଣଙ୍କ ସାହାଯ୍ୟ ପାଇଁ ଶ୍ରେଣୀ ଗୃହ ବାହାରକୁ ଯାଉଥିବା ବେଳେ ଅନ୍ୟପିଲାମାନେ ଛାତ୍ରୀଙ୍କ ଚେତା ଫେରାଇବାକୁ ଚେଷ୍ଟା କରୁଥିବାର ଦେଖାଯାଉଛି। କିଛି ସମୟ ପରେ ଶିକ୍ଷୟିତ୍ରୀ ଆସି ଅନ୍ୟମାନଙ୍କ ସହଯୋଗରେ ପିଲାକୁ ସେଠାରୁ ନେଇଯାଉଥିବାର ଦେଖିବାକୁ ମିଳୁଛି।

ସେହିପରି ଅନ୍ୟ ଏକ ସିସିଟିଭି ଫୁଟେଜ୍‌ରେ ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣଙ୍କ ସାଂଗମାନଙ୍କ ସହ ଶିଢ଼ି ଚଢ଼ି କ୍ଲାସ୍‌କୁ ଆସୁଥିବାର ଦେଖିବାକୁ ମିଳୁଛି। ସେତେବେଳେ ତାଙ୍କର ମୁହଁରେ କୌଣସି ଅସୁସ୍ଥତା ଜଣାପଡୁ ନାହିଁ। ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।