ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି ସୁରକ୍ଷା ଏଜେନ୍ସୀ ଏବେ ଆଲର୍ଟ ମୋଡକୁ ଆସି ଯାଇଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଦିଲ୍ଲୀ ପୋଲିସ ସମ୍ବେଦନଶୀଳ ଅଞ୍ଚଳର ସୁରକ୍ଷା କଡ଼ାକଡ଼ି କରିଛି। ଖାସ କରି କେନ୍ଦ୍ରୀୟ ଦିଲ୍ଲୀ, ସରକାରୀ କାର୍ଯ୍ୟାଳୟ, ରାଜନୈତିକ କାର୍ଯ୍ୟାଳୟ ଓ ଭିଡ଼ଭାଡ ଅଞ୍ଚଳ ଉପରେ ଏବେ କଡ଼ା ନଜର ରଖା ଯାଇଛି। ସୂତ୍ର ଅନୁସାରେ ଏଜେନ୍ସୀମାନେ ଆତ୍ମଘାତୀ ଆକ୍ରମଣ, ବାହନରେ ବିସ୍ଫୋରକ (ଆଇଇଡି) ରଖି ବିସ୍ଫୋରଣ, ଗୁଳିକାଣ୍ଡ ସହ ଏକ ସଙ୍ଗରେ ଅନେକ ସ୍ଥାନରେ ଆକ୍ରମଣ ଯୋଜନା କରିଥାଇ ପାରନ୍ତି।

ସୁରକ୍ଷା ଏଜେନ୍ସୀମାନେ ସେହି ଅନୁସାରେ ପ୍ରସ୍ତୁତି କରିବା ସହ ପ୍ରମୁଖ ବଜାର, ସରକାରୀ ଭବନ ଓ ପରିବହନ କେନ୍ଦ୍ରରେ ଲଗାତାର ଆଣ୍ଟି ସାବୋଟେଜ ଚେକିଂ କରାଯାଉଛି। ଏଥି ପାଇଁ ଦିଲ୍ଲୀ ପୋଲିସର ବୋମା ନିରୋଧକ ଟିମ୍, ସ୍ନିପର ଡଗ୍ ୟୁନିଟି, କ୍ୱିକ୍ ରିଆକ୍ସନ ଟିମ୍ ଏବେ ଲଗାତାର ପାଟ୍ରୋଲିଂ କରୁଛନ୍ତି। ସେହିପରି ଦିଲ୍ଲୀ ଦମକଳକୁ ଯେ କୌଣସି ପ୍ରକାରର ଏମାର୍ଜେନ୍ସୀର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରରେ ଏବେ ପୋଲିସ ଦୀର୍ଘସମୟରୁ ପଡି ରହିଥିବା ସାମଗ୍ରୀ, ଛିଡା ହୋଇ ରହିଥିବା ବାହନ ଓ ସନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଆଲର୍ଟ ଏପରି ସମୟରେ ଆସିଛି ଯେତେବେଳେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ନିକଟରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ସମ୍ପର୍କିତ ଏକ ଆତଙ୍କୀ ମଡେଲର ପର୍ଦ୍ଦାଫାସ କଲା। ତଦନ୍ତରୁ ଆତଙ୍କୀ ମଡେଲ ଜାତୀୟ ରାଜଧାନୀରେ ଟାର୍ଗେଟ କିଲିଂ ଯୋଜନାରେ ଥିଲା ବୋଲି ଜଣାପଡିଛି। ଏଥି ପାଇଁ ସେମାନେ ଅନେକ ସ୍ଥାନରେ ରେକି କରି ଭିଡିଓ ସେମାନଙ୍କ ହ୍ୟାଣ୍ଡଲରଙ୍କ ନିକଟକୁ ପଠାଇଥିଲେ। ଏଣୁ ସୁରକ୍ଷା ଏଜେନ୍ସୀମାନେ ଆଶଙ୍କା କରୁଛନ୍ତି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ ସୁରକ୍ଷା ବଳଙ୍କୁ ଟାର୍ଗେଟ କରାଯାଇ ପାରେ। ବରିଷ୍ଠ ସୁରକ୍ଷା ଅଧିକାରୀ ପରିସ୍ଥିତି ଉପରେ ନଜର ରଖି ରହିଛନ୍ତି।