ନୂଆଦିଲ୍ଲୀ: ଡାବର ଇଣ୍ଡିଆ ଲିମିଟେଡକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ମହୁ, ଗାଈ ଘିଅ, ଖାଇବା ତେଲ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀରେ ୧୦୦% ଦାବି ବ୍ୟବହାର କରି ବିକ୍ରି କରିବାକୁ ବାରଣ କରି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଜାରି କରିଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି।

ବିଚାରପତି ଅମିତ ମହାଜନ କହିଛନ୍ତି ଯେ, ପ୍ରାଥମିକ ଦୃଷ୍ଟିରୁ ମନେ ହେଉଛି FSSAI ଡାବରକୁ ଶୁଣାଣିର ସୁଯୋଗ ନ ଦେଇ ଏହି ନିଷେଧାଦେଶ ଜାରି କରିଛି, ଯାହା ଉଚିତ ନୁହେଁ। ସେହି କାରଣରୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ଆଦେଶକୁ ସ୍ଥଗିତ ରଖାଯାଉଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ରେ ହେବ।

ଡାବରର ଯୁକ୍ତି - ଶୁଣାଣି ବିନା ଜାରି ହୋଇଛି ଆଦେଶ

ଡାବର ପକ୍ଷରୁ ବରିଷ୍ଠ ଆଇନଜୀବୀ ସନ୍ଦୀପ ସେଠି କହିଥିଲେ ଯେ, FSSAI କୌଣସି ଶୋ-କଜ୍ ନୋଟିସ୍ ଜାରି କରିନଥିଲା କିମ୍ବା କମ୍ପାନୀକୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦେଇନଥିଲା। ତେଣୁ ଏହି ଆଦେଶ ପ୍ରିନ୍ସିପଲ୍ସ ଅଫ୍ ନେଚର ଜଷ୍ଟିସର ଉଲ୍ଲଂଘନ କରୁଛି। ସନ୍ଦୀପ ସେଠୀ ଆହୁରି ଯୁକ୍ତି ଦେଇଥିଲେ ଯେ, ଏଫ୍ଏସ୍ଏସ୍ଏଆଇ ପାଖରେ ଏଭଳି ଭାବେ ଖାଦ୍ୟ ସାମଗ୍ରୀ ବିକ୍ରି ଉପରେ ସିଧାସଳଖ ପ୍ରତିବନ୍ଧ ଲଗାଇବାର କ୍ଷମତା ନାହିଁ। ଏହା କୌଣସି ଜରୁରୀ ପରିସ୍ଥିତିର ମାମଲା ମଧ୍ୟ ନୁହେଁ।

Also Read- Petrol car sales July 2026: ପେଟ୍ରୋଲ କିମ୍ବା ଇ-୨୦ ଇନ୍ଧନ ଚାଳିତ ଗାଡ଼ି କିଣିବାକୁ ପସନ୍ଦ କରୁ ନାହାନ୍ତି ଗ୍ରାହକ ! ବଦଳିଲା ଗାଡ଼ି କିଣିବାର ଟ୍ରେଣ୍ଡ !

FSSAIର ଯୁକ୍ତି - '୧୦୦%' ଦାବି ଗ୍ରାହକଙ୍କୁ ଭ୍ରମିତ କରୁଛି

କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥାୟୀ ଆଇନଜୀବୀ ଆଶିଷ ଦୀକ୍ଷିତ FSSAIର ଆଦେଶକୁ ସମର୍ଥନ କରି କହିଥିଲେ ଯେ, ଡାବରକୁ ପୂର୍ବରୁ ଇମ୍ପ୍ରୁଭମେଣ୍ଟ ନୋଟିସ୍ ଏବଂ ପରାମର୍ଶ ଦିଆଯାଇଥିଲା। ତଥାପି କମ୍ପାନୀ ଖାଦ୍ୟ ସାମଗ୍ରୀରେ ୧୦୦ ପ୍ରତିଶତ ଦାବି କରୁଥିଲା, ଯାହା ଗ୍ରାହକଙ୍କୁ ଭ୍ରମିତ କରୁଛି ବୋଲି ସରକାରୀ ତର୍କ ଦେଇଥିଲେ।

ଶୁଣାଣି ବେଳେ ଅଦାଲତ କହିଥିଲେ, "ସେମାନେ ଦଶନ୍ଧି ଧରି ଏହି ଉତ୍ପାଦ ବିକ୍ରି କରୁଛନ୍ତି। ଏବେ ହଠାତ୍ ଆପଣ କେମିତି କହିପାରିବେ ଯେ ବିକ୍ରି ବନ୍ଦ କରନ୍ତୁ?" ଅଦାଲତ FSSAIକୁ ନୋଟିସ୍ ଜାରି କରି ଡାବରର ଆବେଦନ ଉପରେ ଜବାବ ଦାଖଲ କରିବାକୁ କହିଛନ୍ତି।

କେଉଁ କେଉଁ ଉତ୍ପାଦ ଉପରେ ଥିଲା ଆପତ୍ତି?

ଗତ ସୋମବାର FSSAI ସୋସିଆଲ ମିଡିଆରେ ସୂଚନା ଦେଇଥିଲା ଯେ, ଡାବର ବିକ୍ରି କରୁଥିବା ଅନେକ ଖାଦ୍ୟ ସାମଗ୍ରୀରେ ଭ୍ରମ ସୃଷ୍ଟିକାରୀ "୧୦୦%" ଦାବି କରାଯାଉଛି। ଏହି ପ୍ରଡକ୍ଟଗୁଡ଼ିକ ମଧ୍ୟରେ

ମହୁ, କୋକୋନଟ୍ ଅଏଲ୍,ତିଳ ତେଲ,ଗାଈ ଘିଅ, ନଡ଼ିଆ ପାଣି, ନଡ଼ିଆ କ୍ଷୀର, ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ଡାବର ୧୦୦ ପ୍ରତିଶତ ଶୁଦ୍ଧ କହୁଥିବା ଅଭିଯୋଗ ହୋଇଥିଲା।

FSSAI କହିଥିଲା ଯେ କମ୍ପାନୀ ଏହିସବୁ ପ୍ରଡକ୍ଟ ଉପରେ ୧୦୦ ପ୍ରତିଶଥ ନ୍ୟାଚୁରାଲ, ୧୦୦% ଶୁଦ୍ଧତରା ଗ୍ୟାରେଣ୍ଟି, ୧୦୦% ପ୍ରାକୃତିକ ପରି କରୁଥିଲା। ଯାହା ଖାଦ୍ୟ ସୁରକ୍ଷା ଏବଂ ମାନକ (ବିଜ୍ଞାପନ ଏବଂ ଦାବି) ନିୟମାବଳୀ, ୨୦୧୮ର ଉଲ୍ଲଂଘନ କରୁଛି। ଏହି ଦାବିଗୁଡ଼ିକ ଅସ୍ପଷ୍ଟ, ଯାଞ୍ଚଯୋଗ୍ୟ ନୁହେଁ ଏବଂ ଗ୍ରାହକଙ୍କୁ ଭ୍ରମିତ କରିପାରେ।

ଡାବରର ପାଲଟା ଦାବି

ଡାବର ନିଜ ଆବେଦନରେ କହିଛି ଯେ FSSAI ଶୁଣାଣିର ସୁଯୋଗ ନ ଦେଇ ଆଦେଶ ଜାରି କରିଛି। ଏହି ଆଦେଶ ଆଇନଗତ ବ୍ୟବସ୍ଥାର ବିରୋଧୀ। FSSAI ପାଖରେ ଏଭଳି ପ୍ରତିବନ୍ଧ ଜାରି କରିବାର କ୍ଷମତା ନାହିଁ। ଆଦେଶଟି ଅସ୍ପଷ୍ଟ ଏବଂ ଯଥେଷ୍ଟ କାରଣ ଦର୍ଶାଯାଇ ନାହିଁ। କମ୍ପାନୀ ଆହୁରି କହିଛି ଯେ, "୧୦୦%" ଶବ୍ଦର ବ୍ୟବହାର କେବଳ ଡାବର ନୁହେଁ, ଅନ୍ୟ ଅନେକ ବଡ଼ କମ୍ପାନୀ ମଧ୍ୟ ନିଜ ଖାଦ୍ୟ ସାମଗ୍ରୀରେ କରୁଛନ୍ତି। ଏହା ସତ୍ତ୍ୱେ FSSAI ସାର୍ବଜନୀନ ଭାବେ ଏହି ଆଦେଶ ପ୍ରକାଶ କରି ଡାବର ବ୍ରାଣ୍ଡର ଛବିକୁ କ୍ଷତି ପହଞ୍ଚାଇଛି।