ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ ରି-ଷ୍ଟୋର କରିବା ପାଇଁ ତତ୍କାଳ ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଛନ୍ତି । ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଦ୍ୱାରା କରାଯାଇଥିବା ଆବେଦନ ଉପରେ ଶୁଣି କରି କୋର୍ଟ ଏହି ମାମଲାର ଯାଞ୍ଚ ପାଇଁ ରିଭ୍ୟୁ ପ୍ୟାନେଲକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ଶୁଣାଣି କରି ଜଷ୍ଟିସ୍ କୌରବ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ ଅଧିନରେ ଗଠିତ ରିଭ୍ୟୁ କମିଟିକୁ ଆବେଦନ ଉପରେ ଯାଞ୍ଚ କରିବାକୁ କହିଛନ୍ତି । ହାଇକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାର ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ନୋଟିସ୍ ପଠାଇଛନ୍ତି । କିନ୍ତୁ ଆକାଉଣ୍ଟକୁ ତୁରନ୍ତ ଅନବ୍ଲକ୍ କରିବାକୁ ମନା କରିଦେଇଛନ୍ତି । ଜଷ୍ଟିସ୍ ପୁରୁଷେନ୍ଦ୍ର କୁମାର କୌରବ କହିଛନ୍ତି, ଏହି ଆକାଉଣ୍ଟରେ ଥିବା କିଛି ପୋଷ୍ଟ ବା ବିଷୟବସ୍ତୁ "ସାମାନ୍ୟ ଆପତ୍ତିଜନକ" ଜଣାପଡ଼ୁଛି । ଏହି ମାମଲାରେ ବ୍ୟାପକ ପ୍ରଭାବ ରହିଥିବାରୁ, ସରକାର ଏବଂ 'ଏକ୍ସ' ପ୍ଲାଟଫର୍ମର ପକ୍ଷ ଶୁଣିବା ପରେ ହିଁ କୋର୍ଟ କୌଣସି ଚୂଡ଼ାନ୍ତ ନିର୍ଦ୍ଦେଶ ଦେବେ ।

କୋର୍ଟ ଆଇଟି ନିୟମ ଅନୁଯାୟୀ ଗଠିତ ସରକାରଙ୍କ ସମୀକ୍ଷା କମିଟିକୁ ଆସନ୍ତା ଶୁଣାଣି ପୂର୍ବରୁ ଏହି ଆକାଉଣ୍ଟ ବ୍ଲକ୍ ହେବା ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଅଭିଜିତ ଡିପକେ ବର୍ତ୍ତମାନ ଭାରତ ବାହାରେ ଥିବାରୁ, ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କମିଟି ଆଗରେ ନିଜର ପକ୍ଷ ରଖିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି ।

ଅଭିଜିତ ଦୀପକେଙ୍କ ଓକିଲ ଆଖିଲ୍ ସିବଲ୍ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, 'କକ୍ରୋଚ୍ ଜନତା ପାର୍ଟି' ଏକ ସଂପୂର୍ଣ୍ଣ ବ୍ୟଙ୍ଗାତ୍ମକ (satire) ପେଜ୍ । ଯଦି କିଛି ନିର୍ଦ୍ଦିଷ୍ଟ ପୋଷ୍ଟ ଉପରେ ଆପତ୍ତି ଅଛି, ତେବେ କେବଳ ସେହି ପୋଷ୍ଟଗୁଡ଼ିକୁ ବ୍ଲକ୍ କରାଯାଉ, କିନ୍ତୁ ସଂପୂର୍ଣ୍ଣ ଆକାଉଣ୍ଟକୁ ବନ୍ଦ କରିବା ଉଚିତ ନୁହେଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଆବେଦନକୁ ବିରୋଧ କରିଥିଲେ । ସରକାରଙ୍କ ବିସ୍ତୃତ ଜବାବ ଦାଖଲ ନହେବା ପର୍ଯ୍ୟନ୍ତ କୋର୍ଟ ପ୍ରସଙ୍ଗଗୁଡ଼ିକର ଗଭୀର ପରୀକ୍ଷା ପାଇଁ ଏହାକୁ ସଂରକ୍ଷଣ ରଖିବାକୁ କହିଥିଲେ । ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମେ ୨୧ ତାରିଖରେ ଭାରତରେ ଏହି ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା ।