ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ସୁରକ୍ଷା ଘେରା ଅତିକ୍ରମ କରି ବିଧାନସଭା ପରିସରକୁ ପ୍ରବେଶ କରିଥିବା ବ୍ୟକ୍ତିକୁ ଚିହ୍ନଟ କରାଯାଇଛି। ମାମଲାରେ ଟ୍ରେସ୍ ହୋଇଥିବା ଗାଡ଼ି ନମ୍ବରରୁ ଚାଳକ ସରବଜିତ ସିଂହ ରୂପେ ଚିହ୍ନଟ ହୋଇଛି। ଏହି ମାମଲାରେ ପିଲଭିତରେ ଥିବା ସରବଜିତର ପରିବାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସରବଜିତର ଭାଇ କହିଛି ଯେ ସେ ଘରୁ ଗଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଯାଉଥିବା କହି ଯାଇଛି। ସରବଜିତର ଭାଇ ଅବତାର ସିଂହ କହିଛନ୍ତି ଯେ କିଛି ସମୟ ହେଲା ସରବଜିତର ମାନସିକ ସ୍ଥିତି ଠିକ୍ ନାହିଁ।

ପରିବାର ଅନୁସାରେ ନିକଟରେ ସରବଜିତ ଭଣଜା ଜୟଦୀପ ଓ ଅନ୍ୟ ଜଣେ ସମ୍ପର୍କୀୟ ହରମନଦୀପକୁ ଖୋଜିବାକୁ ପଞ୍ଜାବର ଆନନ୍ଦପୁର ସାହିବ ଅଞ୍ଚଳକୁ ଯାଇଥିଲା। ଏଥି ପାଇଁ ସେ ଘରେ କାହାକୁ କିଛି କହିନଥିଲା। ତେବେ ୩ ଦିନ ପୂର୍ବେ ଯୋଗାଯୋଗ କରାଯିବାରେ ସେ ଚଣ୍ଡିଗଡ଼ ଯାଉଥିବା କହିଥିଲା। ଅବତାର ସିଂହ କହିଛନ୍ତି ଯେ ସରବଜିତ ଫେବୃଆରୀରୁ ମେ ମାସ ମଧ୍ୟରେ ଅଜବ ବ୍ୟବହାର କରେ। ଏଥିରେ ସେ କ୍ରୋଧିତ ହେବା ସହ କେବେ କେବେ ଗାଳି ଗୁଲଜ ମଧ୍ୟ କରେ। ଏଣୁ ପରିବାର କହିଛି ଯେ ଦିଲ୍ଲୀ ଯିବା ଓ ସେଠାରେ ବିଧାନସଭା ପରିସରକୁ ପଶିବା ତା ମାନସିକ ସ୍ଥିତି ବିଗିଡିବା କାରଣରୁ ହୋଇପାରେ।

ପରିବାର ଏହା ବି କହିଛି ଯେ ସରବଜିତ ଚାଷବାସ କରେ। ତା ପରିବାରରେ ପତ୍ନୀ, ଗୋଟିଏ ପୁଅ ଓ ମା ଅଛନ୍ତି। ଘଟଣା ପରେ ପିଲଭିତ ପୋଲିସ ମଧ୍ୟ ପଚରା ଉଚରା ପାଇଁ ଘରକୁ ପହଞ୍ଚିଥିଲା। ଏଥିରେ ପରିବାର ପୋଲିସକୁ ପୁରା ସହଯୋଗ କରିଛି। ପରିବାର କହିଛି ଯେ ତଦନ୍ତରେ ପୋଲିସ ଓ ସରକାରଙ୍କୁ ସବୁମନ୍ତେ ସହାୟତା କରିବୁ। ହେଲେ ଏବେ ସରବଜିତ ଦିଲ୍ଲୀ ପୋଲିସ ହାଜତରେ ଥିବାର ଖବର ଆସୁଛି। ପରିବାର ସଠିକ ସ୍ଥିତି ସମ୍ପର୍କରେ ବିଶେଷ ଅବଗତ ନାହିଁ। ଏହି ମାମଲାର ତଦନ୍ତ ଏବେ ଜାରି ରହିଛି। ସରବଜିତ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ପାର କରି ବିଧାନସଭା ପରିସରକୁ କିପରି ପହଞ୍ଚିଲା ସେ ନେଇ ଏବେ ପୋଲିସ ଖୋଳତାଡ କରୁଛି।