ଆସାମ: ଆସାମ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ । ଇତିମଧ୍ୟରେ ଜଣେ ଜେନ୍-ଜି ପ୍ରାର୍ଥୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ୨୭ ବର୍ଷୀୟା କୁନ୍‌କି ଚୌଧରୀ ଗୁଆହଟୀ ସେଣ୍ଟ୍ରାଲ ଆସନରୁ ଆସାମ ଜାତୀୟ ପରିଷଦ (ଏଜେପି)ର ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଟାର୍ଗେଟ୍‌କୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଶର୍ମା ଡିବ୍ରୂଗଡ଼ରେ କୁନ୍‌କି ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରିଥିଲେ, ତାଙ୍କ ମା’ ବିଫ୍ ଖାଇ ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ ।

କିନ୍ତୁ କୁନ୍‌କି ଏହାକୁ ସମ୍ପୂର୍ଣ୍ଣ ନିରାଧାର ବୋଲି କହିଲେ । ତାଙ୍କ କହିବା ଅନୁସାରେ ‘ଜଣେ ଯୁବ ପ୍ରାର୍ଥୀକୁ ଦବାଇବାର ଏହା ପ୍ରୟାସ । ଏଥିରୁ ସ୍ପଷ୍ଟ ଯେ ମୋତେ ମିଳୁଥିବା ସମର୍ଥନରେ ଶାସକ ଦଳ ଚାପରେ ଅଛି । ମୁଁ ମାତ୍ର କିଛି ଦିନ ହେଲା ରାଜନୀତିରେ ପାଦ ଥାପିଛି । କିନ୍ତୁ ଯେଉଁଭଳି ଭାବେ ସମର୍ଥନ ମୋତେ ମିଳୁଛି, ତାହା ଦେଖି ସେମାନେ ବିଚଳିତ । ସେଥିପାଇଁ ପ୍ରସଙ୍ଗ ଉପରେ ଚର୍ଚ୍ଚା ବଦଳରେ ବ୍ୟକ୍ତିଗତ ଆକ୍ରମଣ କରାଯାଉଛି ।’

ଏହି ବିବାଦ ନିର୍ବାଚନୀ ଫଳାଫଳକୁ କେତେ ପ୍ରଭାବିତ କରୁଛି ତାହା ଦେଖିବା ବେଶ ରୋଚକ ହେବ । ୟୁନିଭର୍ସିଟି କଲେଜ ଲଣ୍ଡନରୁ ଏଜୁକେସନ୍ସ ଲିଡରସିପ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥିବା କୁନ୍‌କି ରାଜନୀତିରେ ପ୍ରବେଶ କରିବା ପରେ ନିର୍ବାଚନୀ ଲଢ଼େଇ ଆହୁରି ରୋଚକ ହୋଇଛି । ବିଜେପିର ଅନୁଭବୀ ନେତା ବିଜୟ କୁମାର ଗୁପ୍ତାଙ୍କୁ ସେ ଟକ୍କର ଦେଉଛନ୍ତି ।

ଏହି ଆସନରେ କୁନ୍‌କି ଦୁର୍ବଳ ଦାବିଦାର ବୋଲି ଚର୍ଚ୍ଚା ହେଉଥିଲେ ହେଁ, ତାଙ୍କର ଯୁବ ଛବି ଓ ପ୍ରସଙ୍ଗ-ଆଧାରିତ ପ୍ରଚାର ସଭିଁଙ୍କ ଧ୍ୟାନ ଆକର୍ଷଣ କରିଛି । ନିର୍ବାଚନୀ ପ୍ରଚାରରେ ପାରମ୍ପରିକ ପରିଚୟ ରାଜନୀତି ଉପରେ ନିର୍ଭର କରିବା ପରିବର୍ତ୍ତେ କୁନ୍‌କି ନିଜ ଭାଷଣରେ ସହରୀ ବନ୍ୟା ଓ ପାର୍କିଂ ସଙ୍କଟ ଭଳି ସ୍ଥାନୀୟ ଜୀବନଧାରଣ ସମସ୍ୟା ଉପରେ ଫୋକସ୍ କରିଛନ୍ତି । କୁନ୍‌କି ନିଜ ପାରିବାରିକ ଟ୍ରଷ୍ଟ୍ ସହ ଶିକ୍ଷା କ୍ଷେତ୍ରରେ କାମ କରିଛନ୍ତି । ଏହି ଟ୍ରଷ୍ଟ ଆସାମରେ ଅନେକ ଶିକ୍ଷା ସଂସ୍ଥା ଚଳାଉଛି ।

ଗତ ସେପ୍ଟେମ୍ବରରେ ରାଜ୍ୟକୁ ଫେରିବା ପରେ ଏଜେପି ସହ ତାଙ୍କର ଆଲୋଚନା ହୋଇଥିଲା । ନିର୍ବାଚନ ଲଢ଼ିବା ନେଇ ପ୍ରଥମେ ସେ ଦ୍ୱନ୍ଦ୍ୱରେ ଥିଲେ । କିନ୍ତୁ ମାତ୍ର ୧୫ ଦିନର ରାଜନୀତି କ୍ୟାରିଅର୍ରେ ଜଣେ ଯୁବ ଚେହେରା ଓ ଉଚ୍ଚଶିକ୍ଷିତ ପୃଷ୍ଠଭୂମି ଯୋଗୁ ନିର୍ବାଚନ ମୈଦାନରେ କୁନ୍କି ସବୁରି ଧ୍ୟାନ ଆକର୍ଷଣ କରିଛନ୍ତି । କିନ୍ତୁ ତାଙ୍କ ଉପରେ ହେଉଥିବା ବ୍ୟକ୍ତିଗତ ଆକ୍ରମଣ ସମ୍ପର୍କରେ ସେକହିଛନ୍ତି, କୌଣସି ସମ୍ମାନିତ ନେତାଙ୍କୁ ବ୍ୟକ୍ତିଗତ ଓ ପାରିବାରିକ ସ୍ତରରେ ଆକ୍ରମଣ କରିବା ଉଚିତ୍ ନୁହେଁ ।

Also Read...Abhishek Banerjee responds to Pakistan: ଆମେ କ୍ଷମତାକୁ ଆସିଲେ ପାକିସ୍ତାନ ଘରେ ପଶି ତାଙ୍କୁ ହତ୍ୟା କରିବୁ, ମୋଦୀ ସରକାରଙ୍କୁ ଅଭିଷେକଙ୍କ ଟାର୍ଗେଟ୍

ଏହା ରାଜନୀତିର ସବୁଠୁ ନିମ୍ନ ସ୍ତର । ସୋସିଆଲ ମିଡିଆରେ ଏହି ନିର୍ବାଚନକୁ ସ୍ଥାନୀୟ ବନାମ ବାହାରୀ ରୂପେ ମଧ୍ୟ ଉପସ୍ଥାପନ କରାଯାଉଛି । ତେବେ ଦୁଇ ପ୍ରାର୍ଥୀ ଏହି ବିତର୍କଠୁ ଦୂରରେ ରହିଛନ୍ତି । ଆସାମ ନିର୍ବାଚନର ଏହି ହାଇ-ପ୍ରୋଫାଇଲ ଟକ୍କରରେଏବେ ଲୋକଙ୍କ ନଜର କୁନ୍କିଙ୍କ ଉପରେ । ଏହି ବିବାଦକୁ ସେ ନିଜ ପକ୍ଷରେ ରୂପାନ୍ତରିତ କରିପାରିବେ ନା ଅନୁଭବୀ ନେତୃତ୍ୱ ତାଙ୍କ ଉପରେ ଭାରୀ ପଡ଼ିବ ତାକୁ ଅପେକ୍ଷା ।