କଟକ ୪।୭: ଥାନା ରେଷ୍ଟରୁମ୍ରୁ ମିଳିଲା ମହିଳା IICଙ୍କ ଝୁଲନ୍ତା ମୃତଦେହ । ଶନିବାର ସକାଳୁ ସକାଳୁ କଟକ ଚାଉଳିଆଗଞ୍ଜ ଥାନାରେ ପଡ଼ିଯାଇଥିଲା ଚହଳ । ଥାନାର ଉପର ମହଲାରେ ଥିବା ରେଷ୍ଟରୁମ୍ରେ ଝୁଲୁଥିଲା ମହିଳା ଇନ୍ସପେକ୍ଟର ବିୟୁଟି ମହାନ୍ତିଙ୍କ ମୃତଦେହ ।

ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାରେ ଡ୍ୟୁଟି କରିଥିଲେ IIC ବିୟୁଟି ମହାନ୍ତି । ରାତି ସାଢେ ୧୦ଟା ପରେ ମହିଳା ଥାନା ଅଧିକାରୀ ଜଣକ ନିଜ ସରକାର ବାସଭବନକୁ ନଯାଇ, ଥାନାର ଉପର ମହଲାରେ ଥିବା ରେଷ୍ଟରୁମ୍କୁ ଯାଇଥିଲେ । ରାତିରେ ତାଙ୍କ ଅର୍ଡ଼ର୍ଲି ଖାଇବାକୁ ନେଇ ଯାଇଥିଲେ ମଧ୍ୟ କଲ୍ ଉଠାଇନଥିଲେ IIC ମାଡାମ୍ । ତେଣୁ ସେ ରାତିରେ ଖାଇନଥିଲେ । ଶନିବାର ସକାଳୁ ସେ ବହୁ ସମୟ ଧରି କବାଟ ଖୋଲିନଥିଲେ । ଏମିତିକି ତାଙ୍କୁ ବହୁ ବାର ଫୋନ୍ କରାଯିବ ସତ୍ତ୍ବେ ସେ ଫୋନ୍ ଉଠାଇନଥିଲେ । ଫଳରେ ଥାନାର କର୍ମଚାରୀମାନେ ସନ୍ଦେହ କରିଥିଲେ । ଏହା ପରେ ଥାନାରୁ କିଛି କର୍ମଚାରୀ ଯାଇ ରେଷ୍ଟରୁମ୍ର କବାଟ ବାଡ଼େଇଥିଲେ । ତଥାପି ରେଷ୍ଟରୁମ୍ ଭିତରୁ କିଛି ବି ପ୍ରତିକ୍ରିୟା ମିଳିନଥିଲା । ପୋଲିସର ବରିଷ୍ଠ ଅଧିକାରୀ ମାନେ ଘଟଣାକୁ ଗୁରୁତ୍ବର ସହ ନେଇଥିଲେ । ସେମାନଙ୍କ ନିର୍ଦ୍ଦେଶରେ ରେଷ୍ଟରୁମ୍ର କବାଟ ଭଙ୍ଗା ଯାଇଥିଲା । ରୁମ୍ ଭିତରେ IIC ବିୟୁଟି ମହାନ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ । ପରେ ତାଙ୍କୁ ଉଦ୍ଧାର କରି କଟକ SCBକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଟ୍ବିନ୍ ସିଟି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂହ କହିଛନ୍ତି ଯେ ସବୁ ଆତ୍ମହତ୍ୟା ପଛରେ କିଛି କାରଣ ଥାଏ । ବିନା କାରଣରେ ହୁଏନି । ତାଙ୍କର କୌଣସି ବ୍ୟକ୍ତିଗତ କାରଣ ଥାଇପାରେ । ସେନେଇ ଅନୁଧ୍ୟାନ କରିବୁ। କାଲି ରାତିରେ ସେ ଘରକୁ ଯାଇ ନଥିଲେ। ଥାନା ରେଷ୍ଟ ରୁମରେ ଥିଲେ । ସେ ଶାରୀରିକ ଓ ମାନସିକ ଭାବେ ବହୁତ ଦୃଢ଼ ଥିଲେ । କେବେ କୌଣସି ସମସ୍ୟା ନେଇ ଆମକୁ କହି ନାହାନ୍ତି । କମିଶନରେଟ୍ ପୋଲିସରେ ସେ ଭଲ କାମ କରୁଥିଲେ । ତାଙ୍କର ପବ୍ଲିକ ଡିଲିଂ ଭଲ ଥିଲା । ତଦନ୍ତ ପରେ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ।

Also Read:- ମହିଳା ଇନ୍ସପେକ୍ଟରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଖବର ପାଇଁ କଟକ SCBରେ ପହଞ୍ଚିଥିଲେ ମୃତ IIC ବିୟୁଟି ମହାନ୍ତିଙ୍କ ବାପଘର ଓ ଶାଶୁଘର ଲୋକେ । ବିୟୁଟି ମହାନ୍ତିଙ୍କ ସ୍ବାମୀ ମୁମ୍ବାଇରେ ଏକ କମ୍ପାନୀରେ ଚାକିରି କରନ୍ତି । ସେ ମଧ୍ୟ ଖବର ପାଇ ଆସି କଟକରେ ପହଞ୍ଚିଛନ୍ତି । ବିୟୁଟି ମହାନ୍ତିଙ୍କର ୧୦ ବର୍ଷର ପୁଅ ମଧ୍ୟ ଅଛି । ତାଙ୍କୁ ମଧ୍ୟ କଟକ SCBରେ ଦେଖିବାକୁ ମିଳିଥିଲା । ମହିଳା IIC ବିୟୁଟି ମହାନ୍ତି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଆତ୍ମହତ୍ୟା କଲେ ମହିଳା ଇନ୍ସପେକ୍ଟର ବିୟୁଟି ମହାନ୍ତି ? କ’ଣ ଏମିତି ଘଟିଥିଲା ଯେ ତାଙ୍କୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଡ଼ିଲା ? ତାଙ୍କ ଜୀବନରେ ଏମିତି କ’ଣ ଘଟିଥିଲା ଯେ, ସେ ନିଜର ୧୦ବର୍ଷର କୁନି ପୁଅ କଥା ବି ଟିକେ ଚିନ୍ତା କଲେନି ? ଘରକୁ ନଯାଇ ନିଜ ପରିବାରର କାହାକୁ କିଛି ନକହି ରାତିରେ ଥାନାର ରେଷ୍ଟରୁମ୍ରେ ଏଭଳି ଆତ୍ମହତ୍ୟା କରିବା ପଛରେ କ’ଣ କାରଣ ରହିଛି ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ମହିଳା ପୋଲିସ ଇନ୍ସପେକ୍ଟର ବିୟୁଟି ମହାନ୍ତିଙ୍କ ଏଭଳି ମୃତ୍ୟୁ ଘଟଣା ପଛରେ ଅନେକ କିଛି ରହସ୍ୟ ଥିବା ନେଇ ତାଙ୍କର ଦୂର ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ତେବେ ବିୟୁଟି ମହାନ୍ତିଙ୍କ ଭଉଣୀ ଓ ତାଙ୍କ ପରିବାର ଲୋକ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ । ଥାନା ରେଷ୍ଟରୁମ୍ରେ ଜଣେ ମହିଳା ଥାନା ଅଧିକାରୀଙ୍କ ଏଭି ସନ୍ଦେହଜନକ ମୃତ୍ୟୁକୁ ଅତ୍ୟନ୍ତ ଗୁରୁତର ସହ ନେଇଛି କମିଶନରେଟ୍ ପୋଲିସ । ପୋଲିସ ତଦନ୍ତରୁ କ’ଣ ସାମ୍ନାକୁ ଆସୁଛି ତା ଉପରେ ରହିଛି ନଜର ।