ନୂଆଦିଲ୍ଲୀ: ଆରସିବି ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି ଦିଲ୍ଲୀ ବ୍ୟାଟର । ମାତ୍ର ୭୫ ରନ୍ରେ ଅଲଆଉଟ୍ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଭୁବନେଶ୍ବର କୁମାର ଏବଂ ଜୋସ୍ ହାଜେଲଉଡଙ୍କ ବଲ୍ରେ ଘାଇଲା ହୋଇଛି ଦିଲ୍ଲୀ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ IPL 2026 ର ୩୯ ତମ ମ୍ୟାଚ ଖେଳାଯାଉଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୭୫ ରନ୍ କରି ଅଲଆଉଟ୍ ହୋଇଛି ।

ଦିଲ୍ଲୀ IPL ଇତିହାସରେ ପାୱାର ପ୍ଲେ’ରେ ସର୍ବନିମ୍ନ ସ୍କୋର କରି ଲଜ୍ଜାଜନକ ରେକର୍ଡ ନିଜ ନାଁରେ କରିଛି। ଜୋସ ହାଜେଲଉଡ୍ ଏବଂ ଭୁବନେଶ୍ୱର କୁମାର ପାୱାର ପ୍ଲେ’ରେ ବେଙ୍ଗାଲୁରୁ ପାଇଁ ତିନୋଟି ଲେଖାଏଁ ୱିକେଟ ନେଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ବେଙ୍ଗାଲୁରୁର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଥିବା ବେଳେ, ଦିଲ୍ଲୀ ତାର ପ୍ଲେଇଂ ଏକାଦଶରେ ତିନୋଟି ପରିବର୍ତ୍ତନ କରିଛି । କାଇଲ ଜାମିସନ୍ ଏବଂ ଦୁଷ୍ମନ୍ତ ଚାମୀରାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି । ଆଜିର ମ୍ୟାଚରେ ଦିଲ୍ଲୀର ସ୍କୋର ବୋର୍ଡ ଦେଖିଲେ, ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ଦିଲ୍ଲୀ ପକ୍ଷରୁ କେବଳ ଅଭିଷେକ ପୁରେଲ (୩୦), ଡେଭିଡ ମିଲର (୧୯) ଏବଂ କାଇଲ ଜାମିସନ (୧୨) ଡବଲ୍ ଡିଜିଟ୍ ରନ୍ ସ୍କୋର କରିପାରିଛନ୍ତି ।

ସେପଟେ ଆରସିବି ପକ୍ଷରୁ ଜୋସ୍ ହାଜେଲଉଡ୍ ସର୍ବାଧିକ ୪ଟି ଓ୍ବିକେଟ ନେଇଛନ୍ତି । ଭୁବନେଶ୍ବର କୁମାର ୩ଟି ଓ୍ବିକେଟ ନେଇଥିବା ବେଳେ ରାଶିଖ ଦାର, ସୁୟାଶ ଶର୍ମା ଏବଂ କୃଣାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।