ନୂଆଦିଲ୍ଲୀ,୨୫/୦୪ :ଚଳିତ ଆଇପିଏଲର ୩୫ତମ ଲିଗ୍ ମୁକାବିଲାରେ ଶନିବାର ଦିଲ୍ଲୀ ଘରୋଇ ଗ୍ରାଉଣ୍ଡରେ ପଞ୍ଜାବକୁ ଭେଟିବାକୁ ଯାଉଛି । ଏହି ମ୍ୟାଚ ଜରିଆରେ ଦିଲ୍ଲୀ ପୁଣି ଥରେ ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ।

ପ୍ଲେ-ଅଫ୍ ରେସରେ ଆଗରେ ପିବିକେଏସ

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ହାରି ନଥିବା ପଞ୍ଜାବ ମଧ୍ୟ ଆଧିପତ୍ୟ ଜାରି ରଖି ପ୍ଲେ-ଅଫ୍ ନିକଟତର ହେବାକୁ ପ୍ରୟାସ କରିବ । ପଞ୍ଜାବ ଇତି ମଧ୍ୟରେ ୧୧ ପଏଣ୍ଟ ଅର୍ଜନ କରି ସାରିଛି । ୧୬ ପଏଣ୍ଟ ଅର୍ଜନ କଲେ ପ୍ଲେ-ଅଫ୍ ସ୍ଥାନ ପକ୍କା ହୋଇ ପାରିବ । ତେଣୁ ପଞ୍ଜାବ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହିଁବ ନାହିଁ । ଦିଲ୍ଲୀର ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଥିଲେ ହେଁ ଚତୁର ରଣନୀତି ବଳରେ ପ୍ରତିପକ୍ଷକୁ ହରାଇବାର କ୍ଷମତା ରଖିଛି ।

ଆତ୍ମବିଶ୍ୱାସରେ ଭରପୁର ଦିଲ୍ଲୀ

ଗତ ୧୫ ତାରିଖରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ତାଘରୋଇ ଗ୍ରାଉଣ୍ଡରେ ହରାଇଥିବା ଦିଲ୍ଲୀ ନିଜ ଘରୋଇ ଗ୍ରାଉଣ୍ଡରେ ଏହି ପ୍ରଦର୍ଶନକୁ ଦୋହରାଇବାକୁ ପ୍ରସ୍ତୁତ ରହିଛି । ୫ ଦିନର ଲମ୍ବା ବିଶ୍ରାମ ପରେ ପଞ୍ଜାବ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ଦଳର ସବୁ ଖେଳାଳି ଫିଟ୍ ଓ ଫର୍ମରେ ରହିଛନ୍ତି । ମନୋବଳ ସୁଦୃଢ଼ ଥିବାରୁ ଦଳର ପଲା ଭାରି ରହିବା ଆଶା କରାଯାଉଛି । ଦିଲ୍ଲୀ ଦଳରେ ଅଧିକାଂଶ ଖେଳାଳି ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ତଥାପି ପଞ୍ଜାବକୁ ହରାଇବାର କ୍ଷମତା ଦିଲ୍ଲୀ ନିକଟରେ ରହିଛି ।

ପଞ୍ଜାବକୁ ହରାଇବାକୁ ହେଲେ ଦିଲ୍ଲୀକୁ ଦଳଗତ ପ୍ରଦର୍ଶନ କରିବାକୁ ହେବ । ପଞ୍ଜାବରେ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ମାର୍କସ ଷ୍ଟଇନିସଙ୍କ ସ୍ଥାନରେ ଅଜମତୁଲ୍ଲା ଓମାରଜାଇଙ୍କୁ ଖେଳାଇବା ଆଶା କରାଯାଉଛି । ଦିଲ୍ଲୀ ମଧ୍ୟ ସେଭଳି ପରିବର୍ତ୍ତନ କରିବ ନାହିଁ । ଷ୍ଟାର ପେସ୍ ବୋଲର ମିଚେଲ ଷ୍ଟାର୍କ ଇତି ମଧ୍ୟରେ ଦଳ ସହ ଯୋଗ ଦେଇଛନ୍ତି । ତେବେ ସେ ଖେଳିବା ସମ୍ଭାବନା କ୍ଷୀଣ । ତଥାପି ଟସ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଅରୁଣ ଜେଟଲୀ ଷ୍ଟାଡ଼ିୟମର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ଦ୍ୱିତୀୟ ଭାଗରେ ପିଚ୍ ସାମାନ୍ୟ ମନ୍ଥର ହୋଇପାରେ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।