ଲକ୍ଷ୍ନୌ: ଯେଉଁଠି ଟିକସ ଫାଙ୍କି କୁବେର ପାଲଟିଥିବା ଲୋକଙ୍କ ପାଖରେ ଆଇନର ହାତ ପହଞ୍ଚିପାରୁ ନାହିଁ, ସେଠି ଅସହାୟ ଗରିବଙ୍କୁ ଆସୁଛି କୋଟି କୋଟି ଟଙ୍କାର ଆୟକର ନୋଟିସ୍ । ଉତ୍ତର ପ୍ରଦେଶର ଉନ୍ନାଓକୁ ଏଭଳି ଏକ ଘଟଣା ସାମନାକୁ ଆସିଛି, ଯାହାକୁ ନେଇ ଅଞ୍ଚଳରେ ଚହଳ ପଡ଼ିଛି । ଜଣେ ଗରିବ ଶ୍ରମିକଙ୍କ ଝିଅକୁ ଆୟକର ବିଭାଗ ୨୦ କୋଟି ଟଙ୍କାର ନୋଟିସ୍ ପଠାଇଛି ।

ଜୀ ନ୍ୟୁଜ୍ ରିପୋର୍ଟ ଅନୁସାରେ, ନୋଟିସ୍ ଦେଖି ଯୁବତୀ ଜଣକ କାନ୍ଦି ପକାଇଛନ୍ତି । ସେ କହିଛନ୍ତି ଯେ ଜୀବନରେ କେବେ ବି ୨୦ ହଜାର ଟଙ୍କା ଏକାଠି ଦେଖିନାହାନ୍ତି । ଏହି ନୋଟିସ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, "ମୁଁ ବ୍ୟାଙ୍କିଙ୍ଗ କାମ ବ୍ୟତୀତ ଆଉ କେଉଁଠି ବି ଆଧାର କିମ୍ବା ପାନ୍ କାର୍ଡ ବ୍ୟବହାର କରିନାହିଁ । ମୁଁ କୌଣସି କମ୍ପାନି ବା ଫାର୍ମ ଖୋଲିନାହିଁ, ତେବେ ମୋ ପାଖକୁ ଏହି ନୋଟିସ୍ କେମିତି ଆସିଲା ?"

ଯୁବତୀ ଜଣଙ୍କ ହେଉଛନ୍ତି ଉନ୍ନାଓର ଗିରଜା ବାଗ୍ ଅଞ୍ଚଳର ବାସିନ୍ଦା ରଶ୍ମି ସବିତା । ରଶ୍ମିଙ୍କ ଘରର ସ୍ଥିତି ହିଁ ବାସ୍ତବତାକୁ ସ୍ପଷ୍ଟ କରୁଛି । ଘରର କାନ୍ଥଗୁଡ଼ିକ ପ୍ଲାଷ୍ଟର ହୋଇନି, ଚଟାଣ କାଦୁଅ-ମାଟିର ଏବଂ ଛାତ ଉପରେ ଏକ ପଲିଥିନ ଟଙ୍ଗାଯାଇଛି । ଏଭଳି ସ୍ଥିତିରେ ୨୦ କୋଟି ଟଙ୍କାର ନୋଟିସ ଆସିବା ସତରେ ଆଶ୍ଚର୍ଯ୍ୟଜନକ । ରଶ୍ମି ଘରେ ସିଲେଇ କାମ କରନ୍ତି । ତାଙ୍କ ବାପା ଅଜୟ ଶଙ୍କର ଏକ ପ୍ରାଇଭେଟ୍ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରନ୍ତି । ଗତ ମେ’ ୯ରେ ତାଙ୍କ ପାଖକୁ ଏକ ନୋଟିସ୍ ଆସିଥିଲା । ଚିଠିରେ କଣ ଲେଖା ହୋଇଛି ବୁଝି ନପାରି ସେମାନେ ଜଣେ ଓକିଲଙ୍କ ସାହାଯ୍ୟ ନେଇଥିଲେ । ପରେ ଏହା ୨୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍ ବୋଲି ଜାଣିବାକୁ ପାଇଥିଲେ ।

ବିଏ ପାସ୍ କରିଥିବା ରଶ୍ମି କହିଛନ୍ତି, ସେ ସବୁବେଳେ ଏକ ସାଧାରଣ ଜୀବନ ବଞ୍ଚିଛନ୍ତି । କେହି ତାଙ୍କ ଆଧାର-ପାନ୍ କାର୍ଡର ଅପବ୍ୟବହାର କରି ଏଭଳି ବଡ଼ ଜାଲିଆତି କରିଥିବା ସେ ସନ୍ଦେହ କରୁଛନ୍ତି । ଏବେ ନ୍ୟାୟ ପାଇଁ ସେ ଆୟକର ବିଭାଗର ଅଭିଯୋଗ ପୋର୍ଟାଲ, ସ୍ଥାନୀୟ ପୋଲିସ ଏବଂ ସାଇବର ସେଲରେ ଅଭିଯୋଗ କରିଛନ୍ତି । ତେବେ ଆୟକର ବିଭାଗ ପକ୍ଷରୁ ଏଭଳି ଭୁଲ୍ ନୋଟିସ୍ ଯିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ନଜିର ରହିଛି ।