ଭୁବନେଶ୍ୱର ୦୪।୧୧ : ବାତ୍ୟା ଗଲା, ହେଲେ ବର୍ଷା ଛାଡ଼ୁନି ! ବାତ୍ୟା ‘ମୁରାସୁ’ର ଅବଶେଷ ଏବେ ଅବପାତର ରୂପ ନେଇଥିବା ବେଳେ ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ଏନେଇ ବୁଧବାର ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ଘଡ଼ଘଡ଼ି ସହ ୪୦ କିଲୋମିଟର ବେଗରେ ପବନ ବହିପାରେ । ସେପଟେ ଆଉ ଏକ ଲଘୁଚାପ କିମ୍ବା ସମ୍ଭାବ୍ୟ ବାତ୍ୟାକୁ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ ।

ବାତ୍ୟା ‘ମୁରାସୁ’ର ପ୍ରଭାବ ଏବେ ବି ଜାରି । ଏହାର ଅବଶେଷ ଏବେ ଅବପାତ ରୂପରେ ରହିଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଉତ୍ତର ଦିଗକୁ ଗତି କରି ଦୁର୍ବଳ ହେବା ସହ ସୁସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଆଜି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି । ବିଶେଷ କରି ମାଲକାନଗିରି ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଅନ୍ୟ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Also Read:-କୋଟିଆ ପାଇଁ ଏକାଠି ଲଢ଼ିବା ! ସରକାରଙ୍କୁ କଂଗ୍ରେସର ସମର୍ଥନ

ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୬ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ । ତେବେ ୮ରୁ ୧୦ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ବର୍ଷାର ବିଶେଷ ସମ୍ଭାବନା ନାହିଁ ।

ସେପଟେ ଆଗାମୀ ୪୮ ଘଣ୍ଟା ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ଏହାପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ । ଅନ୍ୟପଟେ ଆଉ ଏକ ଲଘୁଚାପ କିମ୍ବା ସମ୍ଭାବ୍ୟ ବାତ୍ୟାକୁ ନେଇ ଏଯାଏଁ କୌଣସି ସ୍ପଷ୍ଟତା ଆସିନାହିଁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିବା ପରେ ଏନେଇ ଅବଗତ କରାଯିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।