ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ପବନ ଓ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷକରି ଦକ୍ଷିଣ ଓଡ଼ିଶାରେ ଜନଜୀବନ ପ୍ରଭାବିତ ହୋଇଛି। ବାତ୍ୟା ଓ ବର୍ଷା ଯୋଗୁଁ ଜାତୀୟ ରାଜପଥ ସମେତ ବିଭିନ୍ନ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ଓ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (ODRAF) ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।

ରାଜ୍ୟର ବାତ୍ୟା ପ୍ରଭାବିତ ବିଭିନ୍ନ ଜିଲ୍ଲାରେ ମୋଟ ୨୦ଟି ODRAF ୟୁନିଟ (୬୦ଟି ସବ ୟୁନିଟ) ନିୟୋଜିତ ହୋଇଛନ୍ତି। ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ସମେତ ବିଭିନ୍ନ ଅଞ୍ଚଳରେ ମୁତୟନ ଏହି ଦଳଗୁଡ଼ିକ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଉଦ୍ଧାର ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ବ୍ରହ୍ମପୁର, ଭଞ୍ଜନଗର, ପାତ୍ରପୁର, ନୂଆଗଡ଼, ମୋହନା, ମାଥିଲି, ଚିତ୍ରକୋଣ୍ଡା, ବିଷମକଟକ, ରାଜଖରିଆର, ବ୍ରହ୍ମଗିରି, କଣାସ, କାକଟପୁର, ଉଦଳା, ବଡ଼ସାହି ଓ ବାଲୁଗାଁ ଭଳି ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସହାୟତା ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ODRAF ଦଳଗୁଡ଼ିକ ସଜାଗ ରହି କାର୍ଯ୍ୟ କରୁଛନ୍ତି।

Also Read: Cyclone Arnabକୁ ନେଇ ହାଇ ଆଲର୍ଟ ! ଜିରୋ କାଜୁଆଲଟି ସହ ଫସଲ ସୁରକ୍ଷା ଉପରେ ରାଜ୍ୟପାଳ ଫୋକସ୍

ବାତ୍ୟା ପ୍ରଭାବିତ ଉପକୂଳ ଓ ଦକ୍ଷିଣ ଓଡ଼ିଶା ସମେତ ବିଭିନ୍ନ ବ୍ଲକ୍‌ର ତଳିଆ ଅଞ୍ଚଳରେ ପାଣି ଘେରରେ ଫସି ରହିଥିବା ଲୋକଙ୍କୁ ODRAF ଦଳ ଉଦ୍ଧାର କରି ସୁରକ୍ଷିତ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଛନ୍ତି। ବିଶେଷକରି ବୃଦ୍ଧବୃଦ୍ଧା, ମହିଳା, ଶିଶୁ ଓ ଗୃହପାଳିତ ପଶୁଙ୍କ ସୁରକ୍ଷିତ ଉଦ୍ଧାର ଓ ଥଇଥାନ ଉପରେ ଗୁରୁତ୍ୱ ଦିଆଯାଉଛି।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପୃକ୍ତ ରେଞ୍ଜ୍ ଆଇଜି, ଡିଆଇଜି ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ODRAF ଦଳଗୁଡ଼ିକୁ ନିରୀକ୍ଷଣ କରୁଛନ୍ତି। ODRAF ଟିମ ପ୍ରଭାବିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିୟୋଜିତ ହୋଇଛନ୍ତି। ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ କାଟି ହଟାଇବା ସହ ଅବରୋଧ ଦୂର କରି ଯାତାୟାତ ଓ ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଏବଂ ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଉଦ୍ୟମ ଜାରି ରହିଛି।

ଏଥିସହିତ, ODRAFର ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ବିଭିନ୍ନ ଅଞ୍ଚଳର ପରିସ୍ଥିତିକୁ ଆକଳନ କରି ଆବଶ୍ୟକ ଅନୁଯାୟୀ ଉଦ୍ଧାରକାରୀ ଦଳଗୁଡ଼ିକୁ ସକ୍ରିୟ ରଖାଯାଇଛି।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ODRAF କର୍ମଚାରୀମାନଙ୍କ ନିଷ୍ଠାପର, ସାହସିକ ଓ ଉଦ୍ଧାର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଜାଗ ରହିବା ଏବଂ ଯେକୌଣସି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।