କନ୍ଧମାଳ : ବାତ୍ୟା ଅର୍ଣ୍ଣବର ତାଣ୍ଡବ ପରେ ବିଭିନ୍ନ ସ୍ଥାନରେ ସ୍ଥିତି ବେହାଲ। କେଉଁଠି ଭୂସ୍ଖଳ, କେଉଁଠି ବନ୍ୟା ତ କେଉଁ ଗଛ ଭାଙ୍ଗିପଡ଼ି ରାସ୍ତା ଜାମ୍। ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟି ସମେତ ରାଇକିଆ ମାଣିକେଶ୍ଵରୀରେ ଭୂସ୍ଖଳନ। କଳିଙ୍ଗା ଅନ୍ଧାରକୋଟ ନିକଟ ପାହାଡରୁ ଭୂସ୍ଖଳନ ହୋଇ ବିରାଟକାୟ ପଥର ସବୁ ଖସି ରାସ୍ତା ଉପରେ ପଡିଛି। ଏମିତି କି ବ୍ୟାଘ୍ର ଦେବୀ ମନ୍ଦିର ପାଖରେ ପାହାଡରୁ ବିରାଟକାୟ ଗଛ ସବୁ ଭାଙ୍ଗି ପଡ଼ିଛି। 

​​​​​​​

ସେହିଭଳି ରାଇକିଆ ବ୍ଲକର ମାଣିକେଶ୍ଵରୀ କୃହାବାଡା ଗ୍ରାମର ପାହାଡ ଭୂସ୍ଖଳନ ହୋଇଛି। ସଲୁଙ୍କି ଏବଂ ପିଲାସଲୁଙ୍କି ନଦୀର ଜଳସ୍ଥର ବୃଦ୍ଧି ଯୋଗୁଁ ଫୁଲବାଣୀ ନଦୀଖଣ୍ଡି ସାହି ବ୍ରିଜ ଉପରେ ଚାରି ଫୁଟର ବର୍ଷା ଜଳ ପ୍ରବାହିତ ହେବା ଫଳରେ ଡାମି ଗାଁ, ଡାକ ପାଲା, ବିଚ୍ଛିନ୍ନ ହୋଇଛି। ଟିକାବାଲି, ପାବୁରିଆ ରାସ୍ତାର ବାହାଡ଼ା ସାହି ନିକଟ ବ୍ରିଜ ଉପରେ ଚାରିରୁ ପାଞ୍ଚ ଫୁଟ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି।  ଫଳରେ ଟିକାବାଲି, ପାବୁରିଆ ସଂଯୋଗ ବିଚ୍ଛିନ୍ନ ହୋଇଛି। ଫୁଲବାଣୀ ନାରାୟଣୀ ରୋଡ, ଦୁତୀପଡା ପଞ୍ଚାୟତ ଜାମୁଝରି, ଚକାପାଦ ଘାଟି, ଦାରିଙ୍ଗବାଡ଼ିର ଡୋଲୁରୀ, ଆଦି ଅଞ୍ଚଳରେ ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧକ ହୋଇଛି। ଏସବୁ ସ୍ଥାନରେ ଅଗ୍ନିଶମବାହିନୀ ପହଁଚି ରାସ୍ତା ସଫା କରୁଛନ୍ତି । ମାଣିକେଶ୍ଵରୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହିଭଳି ଦାରିଙ୍ଗବାଡ଼ି ମଲାହୁ ପାଙ୍ଗା ରାସ୍ତା ବିଛିନ୍ନ ହୋଇଛି। ଗତକାଲି 96 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବର୍ଷା ବଢ଼ିବାରୁ ଆଜି ଆଉ 161 ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ବେଦ ଭୂଷଣ ସୂଚନା ଦେଇଛନ୍ତି।

 Also Read-  କୋଟିଆକୁ ନେଇ ତାତିଲା ରାଜନୀତି, ଆନ୍ଧ୍ର ନିର୍ବାଚନକୁ ସର୍ବଦଳୀୟ ବିରୋଧ