ଭୁବନେଶ୍ୱର,/୦୯ :ଲଘୁଚାପ ଦାନା ବାନ୍ଧିଲାଣି । ଉତ୍ତର ଥାଇଲାଣ୍ଡ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଆଣ୍ଡାମାନ ସାଗରକୁ ଚାଲି ଆସିଥିବ। ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ସେଠାରେ ଏକ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି। ଧୀରେଧୀରେ ଏହା ଆହୁରି ଘନୀଭୂତ ହେବା ସହ ପରବର୍ତ୍ତୀ ୩-୪ ଦିନ ଭିତରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଏଭଳି ପୂର୍ବାନୁମାନ ଦେଖାଇଛି।

ପାଣିପାଗ ବୈଜ୍ଞାନିକ ତଥା ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା,ସମ୍ଭାବ୍ୟ ଲଘୁଚାପ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ। ବିଶେଷ କରି ଉପକୂଳ ଅଞ୍ଚଳ ଏବଂ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୩ରୁ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ । ୨୬ ଯାଏଁ ବର୍ଷା ଲାଗି ରହିପାରେ।

Also Read :- Horoscope Today : ସେପ୍ଟେମ୍ବର ୧୭ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ବର୍ତ୍ତମାନର ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବା ନେଇ ସଙ୍କେତ ମିଳୁଛି। ୨୪ରୁ ୨୬ ତାରିଖ ଭିତରେ ଏହା ଉତ୍ତର ଆନ୍ଧ୍ର,ସମଗ୍ର ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗରେ ପ୍ରବେଶ କରିପାରେ। କିନ୍ତୁ,୨୦ ତାରିଖ ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ । ଓଡ଼ିଶା ପାଇଁ ସମ୍ଭାବ୍ୟ ଲଘୁଚାପରେନ୍ ଷ୍ଟର୍ମଆଣିପାରେ। ଅର୍ଥାତ୍ ବର୍ଷା ପରିମାଣ ବହୁତ ଅଧିକ ରହିବା ଆଶଙ୍କା କରାଯାଉଛି ବୋଲି ଡକ୍ଟର ସାହୁ କହିଛନ୍ତି।

ଜିଏଫଏସ୍ ଭଳି କେତେକ ବିଦେଶୀ ମଡେଲ୍ ବାତ୍ୟା ସମ୍ଭାବନା ନେଇ ପୂର୍ବାନୁମାନ କରିଛନ୍ତି। ମାତ୍ର ଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି,ଲଘୁଚାପ ନେଇ ପୂର୍ବାନୁମାନ କରାଯାଇଛି। ଏବେ ବାତ୍ୟା ହେବା ନେଇ ଆଇଏମଡି କିଛି କହି ନାହିଁ । ଡକ୍ଟର ସାହୁଙ୍କ କହିବାନୁସାରେ ବର୍ତ୍ତମାନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଘଡ଼ଘଡ଼ି ସହ ସ୍ଥାନରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ। ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ ହେଲା,ଗୁରୁବାର ରାଜ୍ୟର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ବାଲେଶ୍ଵର,କେନ୍ଦୁଝର,ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ରାଜ୍ୟରେ ଖରା ପ୍ରକୋପ ବଢ଼ିଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୩୪ରୁ ୩୬ ଡିଗ୍ରୀ ସେଲସିୟସ୍ ଛୁଇଁଛି।