ଭୁବନେଶ୍ୱର, ୧୮।୧୧ : ବାତ୍ୟା ପରେ ଗଞ୍ଜାମ ଜିଲ୍ଲାରେ ଅଦ୍ଭୂତପୂର୍ବ ବନ୍ୟା ହେଲା । ବନ୍ୟା ପରିଚାଳନାରେ ରାଜ୍ୟ ସରକାର ବିଫଳ ହେଲେ ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ସେହିପରି କୋଟିଆ ପ୍ରସଙ୍ଗ ଓ ଏମଏମଡିଆର୍ ପ୍ରସଙ୍ଗରେ ବିରୋଧୀ ଘେରିବେ ସରକାରଙ୍କୁ। ଆଜିଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଶୀତ ଅଧିବେଶନ ଏଥର ତତଲା ରହିବ ବୋଲି ଆଶା କରାଯାଉଛି। ସେପଟେ ବିରୋଧୀଙ୍କ ମୁକାବିଲା ପାଇଁ ଓ ସବୁ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ମଙ୍ଗଳବାର ଶଙ୍ଖ ଭବନରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ। ଏଥିରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଗଞ୍ଜାମର ମନୁଷ୍ୟକୃତ ବନ୍ୟା ଓଡ଼ିଶାର ଛବିକୁ ଦେଶ ବିଦେଶରେ ମଳିନ କରିଛି। ଗଞ୍ଜାମ ବିପର୍ଯୟ ରାଜ୍ୟ ସରକାରଙ୍କ ଅପାରଗତାର ଉଦାହରଣ। ଏବେ ବି ରିଲିଫ ସହାୟତା ପାଇବାରେ ଲୋକେ ହଇରାଣ ହେଉଛନ୍ତି। ଗଞ୍ଜାମର ବନ୍ୟା କ୍ଷୟକ୍ଷତି ତାଙ୍କୁ ବ୍ୟଥିତ କରିଛି। ରାଜନୈତିକ ବାଛ ବିଚାରରେ ରିଲିଫ ବଣ୍ଟନକୁ ସେ ନିନ୍ଦା କରିଛନ୍ତି।

ସେହିପରି ଏମଏମଡିଆର୍ ସଂଶୋଧନ ଦ୍ଵାରା ଓଡ଼ିଶାର ବିପୁଳ କ୍ଷତି ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏହି କଳା ଆଇନକୁ ବିଜେଡି ବିରୋଧ ଜାରି ରହିବ। ଆନ୍ଧ୍ର ଓ ଓଡ଼ିଶାରେ ବିଜେପି ସରକାର ଥିବା ବେଳେ କୋଟିଆ ପ୍ରସଙ୍ଗକୁ ନେଇ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଘଟଣାକୁ ଜଟିଳ କରି ଦେଉଛି। ଓଡିଶାର ଅଖଣ୍ଡତାର ସୁରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ। ବିଜେପି ସରକାର ଦାୟିତ୍ଵ ନେବା ଠାରୁ ରାଜ୍ୟରେ ଚାଷ ଓ ଚାଷୀ ଉଭୟ ଅବହେଳିତ। ମଣ୍ଡି ଠିକ୍ ସମୟରେ ଖୋଲୁନି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଭାରତ ଖାଦ୍ୟ ନିଗମ (ଏଫସିଆଇ) ଓଡ଼ିଶାରୁ ଧାନ ଉଠାଉ ନାହିଁ । ଏ ସବୁ ସମସ୍ୟା ଦ୍ଵାରା ଚାଷୀ ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଉଛି।

ବରିଷ୍ଠ ନାଗରିକ ମାନଙ୍କର ସାମାଜିକ ସୁରକ୍ଷା ପେନସନ୍ କ୍ଷେତ୍ରରେ ସରକାର ଟାଳଟୁଳ ନୀତି କରୁଛନ୍ତି। ସେଥି ଯୋଗୁଁ ବୁଢାବୁଢୀମାନେ ବିଭିନ୍ନ ସ୍ଥାନରେ ଆତ୍ମହତ୍ୟା କରୁଥିବା ଖବର ଆସୁଛି। ଅତ୍ୟାବଶ୍ୟକ ଜିନିଷପତ୍ର ଓ ପରିବାର ଅସ୍ବାଭାବିକ ଦର ବୃଦ୍ଧି ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ପ୍ରସଙ୍ଗ ମଧ୍ଯ ଗୃହରେ ବିଜେଡି ଉଠାଇବ ବୋଲି ନବୀନ କହିଛନ୍ତି।

ଏଥର ବିଧାନସଭାରେ କୋଟିଆ ସମସ୍ୟା, ଆନ୍ଧ୍ରର ଅନୁପ୍ରବେଶ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ଓ ଆଦିବାସୀଙ୍କ ଜଙ୍ଗଲ, ଜମି ଓ ଜଳ ଅଧିକାର ପ୍ରସଙ୍ଗ ଉଠାଇବ କଂଗ୍ରେସ। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଏହାର ସୁରକ୍ଷା ପାଇଁ ସର୍ବଦଳୀୟ ଏକତା ଆବଶ୍ୟକ। ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଆନ୍ଧ୍ରର ଅନୁପ୍ରବେଶକୁ ରୋକିବାରେ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇବ କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ବୈଠକ ପରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଓଡ଼ିଶାର ସ୍ବାର୍ଥ ପାଇଁ କଂଗ୍ରେସ ଏକଜୁଟ ଅଛି। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ବନ୍ୟା ଓ ବାତ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଏବଂ କୋଟିଆ ସମସ୍ୟାକୁ ପ୍ରମୁଖତାର ସହ ଅନେକ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇବ କଂଗ୍ରେସ। ଆଇନଶୃଙ୍ଖଳା ସ୍ଥିତିରେ ବିଫଳତା, ବହି ତ୍ରୁଟି ପ୍ରସଙ୍ଗରେ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ଦରଦାମ ବୃଦ୍ଧି, ନିର୍ବାଚନ ଏବଂ ଭୋଟ୍ ଚୋରି ପ୍ରସଙ୍ଗ ଉଠାଇବ କଂଗ୍ରେସ।

Also Read :- ପ୍ରେମିକ ଆଗରେ ନିଜକୁ ଜାଳିଦେଲେ ଯୁବତୀ : ଝଗଡ଼ା ବଢିବା ପରେ ଦେହରେ ଲଗାଇଦେଲେ ନିଆଁ !

ସେପଟେ ବିରୋଧୀଙ୍କୁ ତଥ୍ୟ ସହ ଜବାବ ଦେବ ଶାସକ ଦଳ । ବିଧାନସଭା ଅଧିବେଶନକୁ ନେଇ ଶାସକ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ରଣନୀତି। ବିଜେପି ବିଧାୟକ ଦଳ ବୈଠକରେ ସରକାରଙ୍କ ଉପଲବ୍ଧି, ବିରୋଧୀ ଦଳ ଉଠାଇବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ଉଠାଇବାକୁ ଥିବା ବେଳେ ଏହାର ଜବାବ ତଥ୍ୟ ଓ ପ୍ରମାଣ ସହ ରଖିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।

ମଙ୍ଗଳବାର ବିଜେପିର ବିଧାୟକ ଦଳ ବୈଠକ ସରିବା ପରେ ଡ. ମହାଲିଙ୍ଗ କହିଥିଲେ, ବିରୋଧୀ ଦଳ ଯଦି କୌଣସି ଭ୍ରମାତ୍ମକ କିମ୍ବା ଅସତ୍ୟ ତଥ୍ୟ ଆଧାରରେ ପ୍ରସଙ୍ଗ ଉଠାନ୍ତି, ତେବେ ସରକାରଙ୍କ ପକ୍ଷରୁ ତାହାର ସତ୍ୟାସତ୍ୟ ଗୃହରେ ରଖାଯିବ । ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନ ଓ ଅଭିଯୋଗର ତଥ୍ୟଭିଭିକ ଉତ୍ତର ଦେବାକୁ ସରକାରୀ ଦଳ ସମ୍ପୂର୍ଣ ପ୍ରସ୍ତୁତ। ବିଶେଷକରି ବାତ୍ୟା ମୁକାବିଲାରେ ସରକାରଙ୍କ ପଦକ୍ଷେପ ଓ ସଫଳତା, ପ୍ରଭାବିତ ଲୋକଙ୍କୁ ରିଲିଫ୍ ଏବଂ ସହାୟତା ପ୍ରଦାନ ପ୍ରସଙ୍ଗ ଗୃହରେ ଉଠିବ। ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ ସମସ୍ତ ଦଳୀୟ ବିଧାୟକ ଓ ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ ।