କଟକ : ଗୁପଚୁପ୍... ଆଳୁ ଚକଟାକୁ , ଖଟା ମିଠା ପାଣି...ପାଟିକୁ ଗଲେ ଓଃ ସେ ଯେଉଁ ଆତ୍ମତୃପ୍ତି ... ଯିଏ ଖାଇଛି ସେ ଜାଣିଛି ତାର ସ୍ୱାଦ। ଷ୍ଟ୍ରିଟ ଫୁଡ୍ ଭିତରେ ସମସ୍ତଙ୍କ ଅତି ପ୍ରିୟ ହେଉଛି ଗୁପଚୁପ୍। ସେଥିପାଇଁ ମୋର, ଆପଣଙ୍କର... ଆମ ସମସ୍ତଙ୍କ ପ୍ରିୟ ଗୁପଚୁପ... ଖାଇବାକୁ ଯେତିକି ସୁଆଦିଆ ତାଠାରୁ ଅଧିକ ଚିନ୍ତା ବଢ଼ାଇଛି ଏହାର ତିଆରି ସ୍ଥାନ । କଟକ ସହରର ବିଭିନ୍ନ ଅଞ୍ଚଳରେ ଗୁପଚୁପ ବ୍ୟବସାୟୀମାନେ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପଚୁପ। ନ୍ୟୁଜ୍ ସେଭେନ ଷ୍ଟ୍ରିଙ୍ଗ୍ ଅପରେସନ୍ ଏମିତି କିଛି ଦୃଶ୍ୟ ଆସିଛି ସାମ୍ନାକୁ। କଟକ ସହରର ବିଭିନ୍ନ ଅଞ୍ଚଳ, ବିଶେଷ କରି ଶଙ୍କରପୁର ଅଞ୍ଚଳରେ ସିଏମସି ଡମ୍ପିଂ ୟାର୍ଡ ନିକଟରେ ଚାଲିଛି ଗୁପଚୁପ୍ ପ୍ରସ୍ତୁତି। ଦୁର୍ଗନ୍ଧମୟ ଓ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ଛଣା ଠାରୁ ଆରମ୍ଭ କରି ଆଳୁ ସିଝା , ଚକଟା ଓ ଖଟା ପାଣି ପ୍ରସ୍ତୁତ କରାଯାଉଛି। କଟକ ସହରର ବିଭିନ୍ନ ସ୍ଥାନକୁ ଏହି ଅଞ୍ଚଳରୁ ବ୍ୟବସାୟୀମାନେ ଗୁପଚୁପ ବ୍ୟବସାୟ କରିବାକୁ ଯାଉଛନ୍ତି। ହେଲେ ପରିଷ୍କାର ପରିଚ୍ଛନ୍ନତା ଉପରେ ସେତେଟା ବ୍ୟବସାୟୀ ଦେଉ ନାହାନ୍ତି ସେତେଟା ଗୁରୁତ୍ୱ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଟକ ବାସୀନ୍ଦା।

ଅନ୍ୟପଟେ ଖାଲି ଗୁପଚୁପ୍ ତିଆରି ହେଉଥିବା ସ୍ଥାନ ନୁହେଁ । ବରଂ ଗୁପଚୁପ ବିକ୍ରି ବେଳେ ମଧ୍ୟ ପରିଷ୍କାର ପରିଚ୍ଛନ୍ନତା ଜରୁରୀ। ଏହା ସହ ହାତରେ ଗ୍ଲୋବସ୍ ସହ ବିଶୁଦ୍ଧ ଜଳ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କଟକ ବାସୀନ୍ଦା। ଏହି ଖବର ପ୍ରସାରଣର ଉଦ୍ଦେଶ୍ୟ ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇବା ନୁହେଁ। ଏହା କେବଳ ସୁରକ୍ଷା ଓ ସଚେତନତା ପାଇଁ। ତେଣୁ ଖାଦ୍ୟ ସୁରକ୍ଷା ଟିମ୍ କେତେ ସଜାଗ ହେଉଛି ଓ ଯାଞ୍ଚ କରୁଛି ତାକୁ ହିଁ ଅପେକ୍ଷା।

Also Read- ଯାତ୍ରୀବାହୀ ବସ୍- ଟ୍ରେଲର ମୁହାଁମୁହିଁ ଧକ୍କା, ଅନେକ ଯାତ୍ରୀ ଗୁରୁତର