ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟ ଚେନ୍ନାଇରେ ସୁପ୍ରିମକୋର୍ଟର ସ୍ଥାୟୀ ପୀଠ ସ୍ଥାପନା ଲାଗି ଦୀର୍ଘ ସମୟରୁ ଲମ୍ବିତ ଦାବି ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ସେ ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟଙ୍କ ଆଗରେ ଉଠାଇବା ଓ ସ୍ଥାୟୀ ପୀଠ ସ୍ଥାପନା ଲାଗି ଅନୁକୂଳ ନିଷ୍ପତ୍ତି କରାଇବାକୁ ନିବେଦନ କରିଛନ୍ତି। ବିଜୟଙ୍କ କହିବା କଥା ହେଉଛି ଚେନ୍ନାଇରେ ସୁପ୍ରିମକୋର୍ଟଙ୍କ ପୀଠ ସ୍ଥାପନା ହେଲେ କେବଳ ତାମିଲନାଡୁ ନୁହେଁ ସବୁ ଦକ୍ଷିଣ ଭାରତୀୟ ରାଜ୍ୟଙ୍କୁ ଲାଭ ମିଳିବ। ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ଦେଶର ସଂଘୀୟ ଢାଞ୍ଚାର ଭାବନା ଅନୁରୂପ ନ୍ୟାୟପାଳିକା ପର୍ଯ୍ୟନ୍ତ ସବୁ ନାଗରିକଙ୍କ ସମାନ ପହଞ୍ଚ ସୁନିଶ୍ଚିତ କରିବା ଜରୁରି।

ବିଜୟ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ତାମିଲନାଡୁରେ ସୁପ୍ରିମକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ଦାବି ୧୯୮୦ ମସିହାରୁ ହୋଇ ଆସୁଛି। ଏହା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଏ ଦିଗରେ କୌଣସି ମଜଭୁତ ପଦକ୍ଷେପ ଗ୍ରହଣ କରାଯାଇନି। ବିଜୟ ତାଙ୍କ ପତ୍ରରେ ଦକ୍ଷିଣ ଭାରତରୁ ଦିଲ୍ଲୀ ପର୍ଯ୍ୟନ୍ତ ଦୂରତାକୁ ଏକ ବଡ଼ ସମସ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟରୁ ନ୍ୟାୟ ପାଇବା ପାଇଁ ଏହି ସବୁ ରାଜ୍ୟର ଲୋକଙ୍କୁ ଦୀର୍ଘ ଦୂରତା ଅତିକ୍ରମ କରି ଦିଲ୍ଲୀ ଯିବାକୁ ପଡୁଛି। ଏହା ଦ୍ୱାରା ନା କେବଳ ଲୋକଙ୍କ ସମୟ ନଷ୍ଟ ହେଉଛି ବରଂ ଯାତ୍ରା ଓ ମୋକଦ୍ଦମା ଲାଗି ହେଉଥିବା ଖର୍ଚ୍ଚ ମଧ୍ୟ ବଢି ଯାଉଛି।

ବିଜୟ ସମ୍ବିଧାନର ଅନୁଚ୍ଛେଦ ୩୨ର ଉଦାହରଣ ଦେଇ ଉଲ୍ଲେଖ କରିଛନ୍ତି ଯେ ଏହା ନାଗରିକଙ୍କ ମୌଳିକ ଅଧିକାର ସଂରକ୍ଷଣ ଓ ପ୍ରବର୍ତ୍ତନ ଲାଗି ସିଧା ସୁପ୍ରିମକୋର୍ଟ ଯିବାକୁ ଅଧିକାର ଦେଉଛି। ବିଜୟ ଲେଖିଛନ୍ତି ଯେ ସମ୍ବିଧାନ ନିର୍ମାତାମାନଙ୍କ ଉଦ୍ଦେଶ୍ୟ ଥିଲା ଯେ ଏହି ଅଧିକାର ଧନୀ ଓ ଗରିବ ସମାନ ରୂପେ ସବୁ ନାଗରିକଙ୍କ ଲାଗି ସୁଲଭ ହେଉ। ତେବେ ସମୟ ସହିତ ଏହି ବ୍ୟବସ୍ଥା ବ୍ୟବହାରିକ ରୂପେ ସେହି ଲୋକଙ୍କ ଲାଗି ଅଧିକ ସରଳ ହୋଇଯାଇଛି ଯେଉଁମାନେ ସୁପ୍ରିମକୋର୍ଟ ନିକଟରେ ରହୁଛନ୍ତି ଏବଂ ଯାତ୍ରା ଓ ମୋକଦ୍ଦମା ଖର୍ଚ୍ଚ ବହନ କରିପାରୁଛନ୍ତି। ଚେନ୍ନାଇରେ ସ୍ଥାୟୀ ପୀଠ ନିମନ୍ତେ ଓକିଲାତି କରି ବିଜୟ କହିଛନ୍ତି ଯେ ମାଡ୍ରାସ ହାଇକୋର୍ଟ ଦେଶର ସବୁଠୁ ପ୍ରାଚୀନ ଚାର୍ଟାଡ ହାଇକୋର୍ଟ ମଧ୍ୟରୁ ଗୋଟିଏ, ଯାହା ୧୮୬୨ ମସିହାରେ ସ୍ଥାପିତ ହୋଇଥିଲା।

ଏଠାକାର ବାରର ବୃତ୍ତିଗତ ଦକ୍ଷତା ଓ ଆଇନଗତ ବିଶେଷଜ୍ଞତା ମଧ୍ୟ ଏହି ସହରକୁ ସୁପ୍ରିମକୋର୍ଟର ଆଞ୍ଚଳିକ ପୀଠ ନିମନ୍ତେ ଏହାକୁ ଉପଯୁକ୍ତ କରୁଛି। ସେ କହିଛନ୍ତି ଯେ ଚେନ୍ନାଇର ଭୌଗଳିକ ସ୍ଥିତି ଏପରି ଯେ ଏଠାରେ ପୀଠ ସ୍ଥାପିତ ହେଲେ ଦକ୍ଷିଣ ଭାରତର ସବୁ ରାଜ୍ୟର ଲୋକଙ୍କ ଲାଗି ସୁବିଧାଜନକ ସାବ୍ୟସ୍ତ ହେବ। ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ସୁପ୍ରିମକୋର୍ଟର ଫୁଲ କୋର୍ଟ ୭ ଅଗଷ୍ଟ ୨୦୦୭ରେ ହୋଇଥିବା ବୈଠକର ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ବୈଠକରେ କୋର୍ଟ ଆଞ୍ଚଳିକ ପୀଠ ସ୍ଥାପିତ କରିବାର ପ୍ରସ୍ତାବ ଉପରେ ନିଜ ପୁରୁଣା ନିଷ୍ପତ୍ତିରୁ ପଛକୁ ହଟିବାର କୌଣସି ଔଚିତ୍ୟ ନଥିବା ମାନିଥିଲେ ବୋଲି କହିଛନ୍ତି।