ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ମଦ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଷାକ୍ତ ମଦ୍ୟ ପାନ କରି ୨୦ ଜଣଙ୍କ ଜୀବନ ଯାଇଥିଲା । ତେବେ ମଦ ମାଫିଆଙ୍କୁ ପୁଲିସ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ଏହା ପରେ ରାଜ୍ୟ ସରକାର ସାଗର ଜିଲ୍ଲାର ଏସପି ଅନୁରାଗ ସୁଜାନିଆଙ୍କୁ ପଦରୁ ହଟାଇ ପୁଲିସ ମୁଖ୍ୟାଳୟକୁ ପଠାଇଥିଲେ । ସୁଜାନିଆଙ୍କୁ ଏଆଇଜି ଭାବରେ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲେ । କିନ୍ତୁ ୨୦୧୪ ବ୍ୟାଚର ୩୮ ବର୍ଷୀୟ ଆଇପିଏସ୍‌ ଅଧିକାରୀ ଅନୁରାଗ ସୁଜାନିଆ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।  

ନଭେମ୍ବର ୨ ତାରିଖରେ ସେ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁଜାନିଆ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କର ଆବେଦନକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏହି ବିବାଦ ଗତ ସେପ୍ଟେମ୍ବର ୭ରେ ସାଗର ଜିଲ୍ଲାର ବାନ୍ଦା ଅଞ୍ଚଳରେ ଘଟିଥିବା ବିଷାକ୍ତ ମଦ କାଣ୍ଡରୁ ଆରମ୍ଭ ହୋଇଥିଲା। ବେଆଇନ ମଦ ବେପାରୀଙ୍କଠାରୁ ମାତ୍ର ୭୦ ଟଙ୍କାରେ ମଦ କିଣି ପିଇବା ଦ୍ୱାରା ପ୍ରାୟ ୨୦ ଜଣ ପ୍ରାଣ ହରାଇଥିଲେ ଏବଂ ୧୦୦ରୁ ଅଧିକ ଲୋକ ଗୁରୁତର ହୋଇଥିଲେ।

ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଭି.ପି.ଏସ୍. ଚୌହାନଙ୍କ ନେତୃତ୍ୱରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଛନ୍ତି। ଏହା ସହିତ ସରକାର ଅକ୍ଟୋବର ୨୭ରେ ସାଗର ଏସପି ଅନୁରାଗ ସୁଜାନିଆ ଏବଂ ଜିଲ୍ଲାପାଳ ପ୍ରତିଭା ପାଲ୍‌ଙ୍କୁ ପଦରୁ ହଟାଇ ଦେଇଥିଲେ।

ଏହି ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ଏସପି ସୁଜାନିଆଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଦିଗବିଜୟ ସିଂହ ଅଭିଯୋଗ କରିଥିଲେ ଯେ, ପୂର୍ବରୁ ୨୦୨୧ ମସିହାରେ ମୋରେନା ଜିଲ୍ଲାରେ ସୁଜାନିଆ ଏସପି ଥିବା ସମୟରେ ମଧ୍ୟ ବିଷାକ୍ତ ମଦ ପିଇ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଲିସର ଛତ୍ରଛାୟା ତଳେ ବେଆଇନ ମଦ କାରବାର ଚାଲିଥିଲା । ତଦନ୍ତରୁ ସତ ଜଣାପଡ଼ିବା ପରେ ଅନୁରାଗ ସୁଜାନିଆଙ୍କୁ ମୋରେନା ଏସପି ପଦରୁ ହଟାଯାଇଥିଲା। 

IPS ଅଧିକାରୀ ଅନୁରାଗ ସୁଜାନିଆଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ରାଜ୍ୟ ଆଇପିଏସ୍ ଆସୋସିଏସନ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ଆଲୋଚନା କରିଛି। ତେବେ ସରକାର ତାଙ୍କ ଇସ୍ତଫା ଗ୍ରହଣ କରିବା ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସମସ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ଜରୁରୀ ବୈଠକ ଡାକି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ସହ ମଧ୍ୟପ୍ରଦେଶରେ ମଦ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅନୁରାଗ ସୁଜାନିଆଙ୍କ ଇସ୍ତଫା ଗ୍ରହଣ କରାଯିବ କି ନାହିଁ, ତା ହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।