ନୂଆଦିଲ୍ଲୀ: ନେପାଳର ବୀରଗଞ୍ଜରେ ହିଂସାତ୍ମକ ସଂଘର୍ଷ । ଟିକଟକ୍ ଭିଡିଓରୁ ଆରମ୍ଭ ହୋଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ମସଜିଦରେ ଭଙ୍ଗାରୁଜା ନେଇ ଅଭିଯୋଗ ପରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପ୍ରଶାସନ ବର୍ତ୍ତମାନ ବୀରଗଞ୍ଜରେ କର୍ଫ୍ୟୁ ଜାରି କରିଛି। ବୀରଗଞ୍ଜରେ ଅଶାନ୍ତି ଯୋଗୁଁ, ଭାରତୀୟ ସୀମାରେ ମଧ୍ୟ ସତର୍କତା ଜାରି କରାଯାଇଛି।

ଜେନ୍-ଜି ଆନ୍ଦୋଳନ ପରେ, ନେପାଳରେ ୫ ମାର୍ଚ୍ଚ, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାରି ମଧ୍ୟରେ ସାମ୍ପ୍ରଦାୟିକ ଘଟଣା ମଧ୍ୟ ରିପୋର୍ଟ ହୋଇଛି। ଶନିବାର ଦିନ ଦକ୍ଷିଣ ଧନୁଷା ଜିଲ୍ଲାରେ ଏକ ମସଜିଦ ଭଙ୍ଗାଯାଇଥିଲା। ଏହା ପରେ, ନେପାଳର ପାରସା ଜିଲ୍ଲାର ସ୍ଥାନୀୟ ପ୍ରଶାସନ ସୋମବାର (୫ ଜାନୁଆରୀ, ୨୦୨୫) ଦିନ ଭାରତର ରକ୍ସୌଲ ସୀମାକୁ ଲାଗି ରହିଥିବା ବୀରଗଞ୍ଜ ସହରର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା।

ସୋସିଆଲ ମିଡିଆରେ ଏକ ମସଜିଦ ଭଙ୍ଗାଯିବାର ଭିଡିଓ ପୋଷ୍ଟ ହେବା ପରେ, ନେପାଳର ମୁସଲିମ ସମ୍ପ୍ରଦାୟର ସଦସ୍ୟମାନେ ରବିବାର (ଜାନୁଆରୀ ୪, ୨୦୨୫) ବୀରଗଞ୍ଜରେ ପ୍ରତିବାଦ ଏବଂ ସ୍ଲୋଗାନ ଦେଇଥିଲେ। ପ୍ରତିବାଦ ସମୟରେ ଲୋକମାନେ ରାସ୍ତାରେ ଟାୟାର ଜାଳିଥିଲେ। ପୋଲିସ କହିଛି ଯେ, ବିବାଦ ଏକ ଟିକଟକ୍ ଭିଡିଓରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ଦୁଇଜଣ ମୁସଲିମ ଯୁବକ ହିନ୍ଦୁମାନଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଉଥିବାର ଦେଖାଯାଇଥିଲା। ଏହି ଭିଡିଓକୁ ନେଇ ଅସନ୍ତୋଷ ଲୋକେ ଧନୁଷାର ମସଜିଦରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

ସୋମବାର ବୀରଗଞ୍ଜ ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସାଧାରଣ ସଭା, ଶୋଭାଯାତ୍ରା କିମ୍ବା ପ୍ରତିବାଦ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ନିର୍ଦ୍ଦେଶ ସୋମବାର ଦିନ ଅପରାହ୍ନ ୧ଟାରୁ ମଙ୍ଗଳବାର ସକାଳ ୮ ଯାଏଁ ଲାଗୁ ହୋଇଥିଲା । କିନ୍ତୁ ଏହାକୁ ପୁଣି ଥରେ ମଙ୍ଗଳବାର ରାତି ଯାଏଁ ବଢ଼ାଇ ଦିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ସହରର ପୂର୍ବରେ ବସ୍ ପାର୍କ, ପଶ୍ଚିମରେ ସିରସିଆ ସେତୁ, ଉତ୍ତରରେ ପାୱାର ହାଉସ୍ ଛକ ଏବଂ ଦକ୍ଷିଣରେ ଶଙ୍କରାଚାର୍ଯ୍ୟ ଗେଟ୍ ପର୍ଯ୍ୟନ୍ତ ଏପରି କାର୍ଯ୍ୟକଳାପ ଉପରେ ନିଷେଧାଦେଶ ଲାଗୁ ହୋଇଛି ।

ସୂଚନା ଅନୁସାରେ, ହାଇଦର ଅନସାରୀ ଏବଂ ଅମାନତ ଅନସାରୀ ଟିକଟକ୍ ଭିଡିଓ କରିଥିଲେ । ଏହି ଭିଡିଓ ହିଁ ସାଂପ୍ରଦାୟିକ ହିଂସାର ମୂଳଦୁଆ ପକାଇଥିଲା। ପରେ ଲୋକେ ଧୁନାଷାରେ ଥିବା ମସଜିଦରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ । ରାସ୍ତାକୁ ଓହ୍ଲାଇ ଲୋକେ ପ୍ରତିବାଦ କରିଥିଲେ । ଏବେ ଏହି ଲଢ଼େଇ ଟିକଟକରେ ବି ଆରମ୍ଭ ହୋଇଯାଇଛି । ବିବାଦୀୟ ଫଟୋ ଏବଂ ପୋଷ୍ଟ ଉଭୟ ସଂପ୍ରଦାୟଙ୍କ ପକ୍ଷରୁ କରାଯାଉଛି । ସେପଟେ ମଙ୍ଗଳବାର ରାତି ଯାଏଁ ଲାଗିଥିବା କର୍ଫ୍ୟୁ, ସ୍ଥିତିକୁ ଦେଖି ଆଗକୁ ଆହୁରି ବଢ଼ିପାରେ ।