ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧରେ ଫସିଥିବା ଆମେରିକା ପାଇଁ ବଢ଼ିଲା ଟେନସନ୍ । ଏବେ କ୍ୟୁବା ମଧ୍ୟ ଟ୍ରମ୍ପ ସେନାକୁ ପ୍ରତିହତ କରିବାକୁ ପ୍ରସ୍ତୁତି ଜୋରଦାର କରିଛି । କ୍ୟୁବାକୁ ଅକ୍ତିଆର କରିବାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଆସିଛନ୍ତି । କିନ୍ତୁ ଏବେ କ୍ୟୁବା ସେନା ସମ୍ଭାବ୍ୟ ଆମେରିକୀୟ ଆକ୍ରମଣକୁ ପ୍ରତିହତ କରିବାକୁ ପ୍ରସ୍ତୁତି ଜୋରଦାର କରିଛି ବୋଲି ଏହାର ଉପ ବୈଦେଶିକ ମନ୍ତ୍ରୀ କାର୍ଲୋସ ଫର୍ନାଣ୍ଡିଜ୍ ଡି କୋସିଓ କହିଛନ୍ତି । ଏପରିକି ଆମେରିକା ପଟୁ ସମ୍ଭାବ୍ୟ ବିପଦକୁ ଦେଶ ନେତାମାନେ ଅଣଦେଖା କରିବେ ନାହିଁ ବୋଲି ସେ ବିଶ୍ବାସ କରୁଥିବା କହିଛନ୍ତି । ସେ କହିଛନ୍ତି, ଆମ ସାମରିକ ବାହିନୀ ସର୍ବଦା ପ୍ରସ୍ତୁତ । ରବିବାର NBC ନ୍ୟୁଜର ‘ମିଟ୍ ଦି ପ୍ରେସ୍’ ସହିତ ଏକ ସାକ୍ଷାତକାରରେ କ୍ୟୁବାର ଉପ-ବୈଦେଶିକ ମନ୍ତ୍ରୀ କାର୍ଲୋସ ଫର୍ନାଣ୍ଡିଜ୍ ଡି କୋସିଓ ଏହା କହିଛନ୍ତି।

କାର୍ଲୋସଙ୍କ ମନ୍ତବ୍ୟ ଗୁରୁତ୍ବପୂର୍ଣ୍ଣ

ଦେଶର ନେତାମାନେ ଭାବୁଛନ୍ତି, ଏହା ଘଟିବ ନାହିଁ। ଏଭଳି କାହିଁକି ଘଟିବ, ଆମେ ଏହାର କାରଣ ଖୋଜିପାରୁନୁ । ଏଥିରେ କଣ ଯଥାର୍ଥତା ରହିଛି ଆମେ ଜାଣିପାରୁନୁ ବୋଲି ସେ କହିଛନ୍ତି । ଭେନେଜୁଏଲାରେ ଆମେରିକାର ସାମରିକ ଅଭିଯାନ ଏବଂ କ୍ୟୁବାର ନେତୃତ୍ୱ ସହିତ ଘନିଷ୍ଠ ସମ୍ପର୍କ ରଖୁଥିବା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପରେ ଆମେରିକା ଏବଂ କ୍ୟୁବା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ତେଣୁ ଏଭଳି ସ୍ଥିତିରେ ଫର୍ନାଣ୍ଡିଜ୍ ଡି କୋସିଓଙ୍କ ଏହି ମନ୍ତବ୍ୟ ବହୁ ଗୁରୁତ୍ବ ବହନ କରେ ।

Also Read: ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଆମେରିକା, ଇରାନ ପରେ କାହାର ପଡିବ ପାଳି?

ଧମକ ଦେଇଥିଲେ ଟ୍ରମ୍ପ

ଭେନେଜୁଏଲାରେ ଅପରେସନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚେତାବନୀ ଦେଇଥିଲେ ଯେ, ପରବର୍ତ୍ତୀ ସମୟରେ କ୍ୟୁବାରେ ସାମରିକ ହସ୍ତକ୍ଷେପ ହୋଇପାରେ। ରୁବିଓ ସେତେବେଳେ କହିଥିଲେ, ‘ଯଦି ମୁଁ ହାଭାନାରେ ରହୁଥାନ୍ତି ଏବଂ ସରକାରରେ ଥାଆନ୍ତି, ତେବେ ମୁଁ ଚିନ୍ତିତ ହୋଇଥାନ୍ତି।’

ଅନ୍ଧାରରେ କ୍ୟୁବା

ଆମେରିକାର ତୈଳ ଯୋଗାଣ ବନ୍ଦ କରିବା ନିଷ୍ପତ୍ତି ହିଁ ଯୁଦ୍ଧ ସ୍ଥିତିକୁ ବଢ଼ାଉଛି ବୋଲି ଫର୍ନାଣ୍ଡିଜ୍ କହିଛନ୍ତି । କିନ୍ତୁ ଏହାକୁ ସର୍ବଦା ବଜାୟ ରଖାଯାଇପାରିବ ନାହିଁ ବୋଲି ସେ ଦାବି କରିଛନ୍ତି । ସେପଟେ କ୍ୟୁବାରେ ବିଦ୍ୟୁତ ବିଭ୍ରାଟ ଚରମରେ ପହଞ୍ଚିଛି । ଶନିବାର ଦିନ କ୍ୟୁବାରେ ତୃତୀୟ ଥର ପାଇଁ ବ୍ଲାକଆଉଟ ସମସ୍ୟା ଉପୁଜିଥିଲା । କ୍ୟୁବାର ଏହି ସ୍ଥିତି ପାଇଁ ଆମେରିକା ଦାୟୀ । କ୍ୟୁବାକୁ ଇନ୍ଧନ ଯୋଗାଉଥିବା ଦେଶଙ୍କୁ ଆମେରିକା ଧମକ ଦେଉଛି । ଫଳରେ କ୍ୟୁବା ଇନ୍ଧନ ପାଇପାରୁ ନାହିଁ ବୋଲି ଉପ-ବୈଦେଶିକ ମନ୍ତ୍ରୀ କହିଛନ୍ତି ।