ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଶୁକ୍ରବାର ଅଚାନକ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଦେଖା ଯାଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ଓ ହର୍ମୁଜ ପ୍ରଣାଳୀ ଦ୍ୱିତୀୟବାର ଖୋଲିବା ଖବର ପ୍ରସାରିତ ହେବା ପରେ ଅଶୋଧିତ ତୈଳ ମୂଲ୍ୟରେ ୧୦% ପର୍ଯ୍ୟନ୍ତ ଭାରି ହ୍ରାସ ଦେଖା ଯାଇଛି। ବଜାର ପ୍ରଥମେ ଆଶଙ୍କାରେ ଥିଲା ଯେ ଇରାନ ସମ୍ପର୍କିତ ଉତ୍ତେଜନା ଯୋଗୁ ହର୍ମୁଜ ବନ୍ଦ ରହିପାରେ, ଯେଉଁ ରାସ୍ତାରେ ବୈଶ୍ୱିକ ତୈଳ ଯୋଗାଣ ହେଉଛି। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ମୋଟ ୨୦% ତୈଳ ଏହି ରାସ୍ତା ଦେଇ ଯାଇଥାଏ।

ଅଶୋଧିତ ତୈଳ ମୂଲ୍ୟରେ ବ୍ୟାପକ ହ୍ରାସ
ତାଜା ସଂକେତରୁ ଏହା ସ୍ପଷ୍ଟ ହୋଇଛି ଯେ ଏବେ ହର୍ମୁଜ ସମ୍ପୂର୍ଣ୍ଣ ମୁକ୍ତ ଓ ଜାହାଜ ସ୍ୱଭାବିକ ଯାତାୟାତ କରିପାରୁଛନ୍ତି। ଏଣୁ ଯୋଗାଣ ବାଧିତ ହେବାର ବିପଦ ଏବେ ହ୍ରାସ ହେବା ସହ ବଜାରର ଚିନ୍ତା ଦୂର ହୋଇଛି। ଏଣୁ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଦେଖାଯାଇଛି। ଏଥିରେ ବ୍ରେଣ୍ଟ କ୍ରୁଡ ପ୍ରତି ବ୍ୟାରଲ ୯୦ ଡଲାର ଆଖପାଖକୁ ପହଞ୍ଚିଥିବା ବେଳେ ଡବ୍ଲୁଟିଆଇ କ୍ରୁଡ ମଧ୍ୟ ୮୩.୮୬ ଡଲାର ଆଖପାଖରେ ଟ୍ରେଡ କରୁଛି।

ଶସ୍ତା ହୋଇପାରେ ପେଟ୍ରୋଲ ଡିଜେଲ
ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଭାରତ ଭଳି ଆମଦାନୀ ନିର୍ଭର ଦେଶଙ୍କ ଲାଗି ନିଶ୍ଚିତ ରୂପେ ଆଶ୍ୱସ୍ତିକର ଖବର। ଏଣୁ ଆଗାମୀ ସମୟରେ ପେଟ୍ରୋଲ ଓ ଡିଜେଲ ଉପରେ ଚାପ କମ ହୋଇପାରେ। ତୈଳ ଦର ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ମଧ୍ୟ ନରମ ପଡିପାରେ ର ବଜାରକୁ ମଧ୍ୟ ସମର୍ଥନ ମିଳିପାରେ। ବଜାର ବିଶେଷଜ୍ଞଙ୍କ ଅନୁସାରେ ଅଶୋଧିତ ତୈଳର ମୂଲ୍ୟ ଏବେ ସମ୍ପୂର୍ଣ୍ଣ ଭୂ-ରାଜନୈତିକ ଘଟଣାକ୍ରମ ଉପରେ ନିର୍ଭର କରିବ। ଏଥିରେ ଯଦି ଉତ୍ତେଜନା ହ୍ରାସ ହୁଏ ମୂଲ୍ୟ ମଧ୍ୟ ହ୍ରାସ ହେବ। ହେଲେ କୌଣସି ପ୍ରକାରର ନୂଆ ବିବାଦ ବଜାରରେ ପୁଣି ତୈଳ ଦର ବୃଦ୍ଧି କରିପାରେ।

Also Read..ସବୁ ଜାହାଜ ପାଇଁ ସମ୍ପୂର୍ଣ୍ଣ ଖୋଲିଲା ହର୍ମୁଜ ପ୍ରଣାଳୀ, ଘୋଷଣା କଲେ ଇରାନର ବୈଦେଶିକ ମନ୍ତ୍ରୀ