ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ସଂଘର୍ଷ ପୁଣି ଥରେ ତୀବ୍ର ହୋଇଛି । ଏହାର ପ୍ରଭାବ ଅଶୋଧିତ ତେଲ ଦର ଉପରେ ପଡ଼ିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାର୍ କରିଯାଇଛି । ବୁଧବାର ବ୍ରେଣ୍ଟ କ୍ରୁଡ୍ ଦାମରେ ୨.୨୫% ବୃଦ୍ଧି ଘଟିଛି । ଏହାର ୨ ଦିନ ପୂର୍ବରୁ ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ୯୮ ଡଲାର ଥିଲା । ବିଗତ ୬ ସପ୍ତାହ ମଧ୍ୟରେ ଅଶୋଧିତ ତେଲ ଦରରେ ଏହା ସବୁଠାରୁ ବଡ଼ ବୃଦ୍ଧି । ଜୁଲାଇ ୨୪ରେ କ୍ରୁଡ୍ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁଥିଲା । ଯଦି ଏହିପରି ଦର ବଢ଼ିଚାଲେ, ତେବେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ଦାମ୍ ମଧ୍ୟ ବୃଦ୍ଧି ପାଇପାରେ ।

କ୍ରୁଡ୍ ଅଏଲ୍ ଦର ବୃଦ୍ଧିର ସବୁଠାରୁ ବଡ଼ କାରଣ ହେଉଛି 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' ବନ୍ଦ ହେବା । ଏହି ସାମୁଦ୍ରିକ ପ୍ରଣାଳୀ ପ୍ରାୟ ୧୬୭ କିଲୋମିଟର ଲମ୍ବ । ହର୍ମୁଜ୍ ପ୍ରଣାଳୀ ପାରସ୍ୟ ଉପସାଗର (Persian Gulf)କୁ ଆରବ ସାଗର ସହ ଯୋଡ଼ିଥାଏ । ବିଶ୍ୱର ମୋଟ ପେଟ୍ରୋଲିୟମର ୨୦% ଏହି ରାସ୍ତା ଦେଇ ଯାଇଥାଏ । ସାଉଦି ଆରବ, ଇରାକ୍ ଏବଂ କୁଏତ ଭଳି ଦେଶ ମଧ୍ୟ ନିଜ ରପ୍ତାନି ପାଇଁ ଏହା ଉପରେ ନିର୍ଭରଶୀଳ । ଏପରିକି ଭାରତ ନିଜ ଆବଶ୍ୟକତାର ୫୦% ଅଶୋଧିତ ତେଲ ଏବଂ ୫୪% ଏଲଏନଜି ଏହି ରାସ୍ତା ଦେଇ ଆଣିଥାଏ । ନିଜେ ଇରାନ୍ ମଧ୍ୟ ଏହି ରୁଟ୍ ଦେଇ ତେଲ ରପ୍ତାନି କରିଥାଏ ।

ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ ?

ଯଦି ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମହଙ୍ଗା ରହେ, ତେବେ ଭାରତରେ ପେଟ୍ରୋଲ-ଡିଜେଲ ଦର ଉପରେ ମଧ୍ୟ ଚାପ ବଢ଼ିପାରେ । ତେବେ ଭାରତରେ ପେଟ୍ରୋଲ ଦର କେବଳ ଅଶୋଧିତ ତେଲ ଉପରେ ନିର୍ଭର କରେନାହିଁ, ବରଂ ଏଥିରେ ଟିକସ, ରିଫାଇନିଂ, ଭାଡ଼ା ଏବଂ ଡିଲର କମିଶନ୍ ଭଳି ଅନେକ ଜିନିଷ ସାମିଲ ଥାଏ । ଏଭଳି ସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି କ୍ରୁଡ୍ ଆହୁରି ମହଙ୍ଗା ହୁଏ, ତେବେ ସାଧାରଣ ଲୋକଙ୍କୁ ୧ ଲିଟର ପେଟ୍ରୋଲ କେତେ ଟଙ୍କାରେ ମିଳିବ ?

ଯଦି ଅଶୋଧିତ ତେଳ ଦର ବ୍ୟାରେଲ ପିଛା ୧୦୦ ଡଲାର କିମ୍ବା ୧୨୦ ଡଲାର ରହେ, ତେବେ ପେଟ୍ରୋଲ ଦର ସିଧାସଳଖ ସେହି ଅନୁପାତରେ ୧୦୦ ପ୍ଲସ୍ ହୋଇଯାଏ ନାହିଁ । ପେଟ୍ରୋଲ ଦାମରେ କ୍ରୁଡ୍ ବ୍ୟତୀତ ରିଫାଇନିଂ, ଭାଡ଼ା, OMC ମାର୍ଜିନ୍, ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ୍ ଏବଂ ଭାଟ୍ ସାମିଲ ଥାଏ । ତେଣୁ ଏକ ଆନୁମାନିକ ହିସାବ ଅନୁସାରେ, ୧ ଲିଟର ପେଟ୍ରୋଲ ଦାମ୍ ପ୍ରାୟ ୧୦୫–୧୧୦ ଟଙ୍କା ପାଖାପାଖି ଯାଇପାରେ । ଯଦି କ୍ରୁଡ୍ ବ୍ୟାରେଲ ପିଛା ୧୨୦ ଡଲାର ପର୍ଯ୍ୟନ୍ତ ଯାଏ, ତେବେ ଲିଟର ପିଛା ପେଟ୍ରୋଲ ଦାମ୍ ୧୧୫–୧୨୫ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ।

ଏହା ପୂର୍ବରୁ ୧ ମେ' ୨୦୨୬ରେ ଆଇଓସି, ବିପିସିଏଲ୍ ଏବଂ ଏଚପିସିଏଳ୍ ପେଟ୍ରୋଲ ଓ ଡିଜେଲ ଦୁଇଟିଯାକର ଦାମ୍ ବୃଦ୍ଧି କରିଥିଲେ । ଏହା ଅଧୀନରେ ପେଟ୍ରୋଲ-ଡିଜେଲ ଉପରେ ଲିଟର ପିଛା ୭.୫୦-୭.୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଦେଶର ୧ ଲକ୍ଷରୁ ଅଧିକ ପେଟ୍ରୋଲ ପମ୍ପ ମଧ୍ୟରୁ ୯୦%ରୁ ଅଧିକ ପମ୍ପ ଏହି ତିନୋଟି ସରକାରୀ କମ୍ପାନିର ନିୟନ୍ତ୍ରଣରେ ଅଛି ।

କ୍ରୁଡ୍ ଅଏଲ୍‌ରେ କାହାର କେତେ ମାର୍ଜିନ୍ ?

ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା 'ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍ ସେଲ୍' (PPAC) ପେଟ୍ରୋଲ-ଡିଜେଲ ବ୍ୟବହାର, କଞ୍ଚା ତେଲ ଆମଦାନୀ, ରିଫାଇନରୀ ଡାଟା, ଏଲପିଜି, ଏଟିଏଫ୍ ଆଦିର ତଥ୍ୟ ଜାରି କରିଥାଏ । ପିପିଏସିର ମେ' ୨୫ ଡାଟା ଅନୁଯାୟୀ, ଭାରତକୁ କଞ୍ଚା ତେଲ ଲିଟର ପିଛା ୫୫.୧୮ ଟଙ୍କାରେ ଆସିଥାଏ । ଏହା ଉପରେ ତେଲ କମ୍ପାନିଗୁଡ଼ିକର ୩.୮୨ ଟଙ୍କା ମାର୍ଜିନ୍ ଯୋଡ଼ାଯାଏ । ଅର୍ଥାତ୍ ଏହି ମାର୍ଜିନ୍ ତେଲ କମ୍ପାନିଗୁଡ଼ିକର ରିଫାଇନରୀ ଏବଂ ପାଇପଲାଇନ୍ ବିଛାଇବାର ଖର୍ଚ୍ଚ ବାବଦକୁ ପ୍ରତି ଲିଟରରେ ୩.୮୨ ଟଙ୍କା ପଡ଼ିଥାଏ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭାଗ କେତେ ?

ଏହା ପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ବାବଦକୁ ଲିଟର ପିଛା ୧୯ ଟଙ୍କା ଆଦାୟ କରନ୍ତି । ତା'ପରେ ଲିଟର ପିଛା ୪.୪୦ ଟଙ୍କା ପେଟ୍ରୋଲ ପମ୍ପ ମାଲିକଙ୍କ ପାଖକୁ ମାର୍ଜିନ୍ ଭାବେ ଯାଏ । ଏହି ଟଙ୍କାରୁ ପେଟ୍ରୋଲ ଗଚ୍ଛିତ ରଖିବା, ପେଟ୍ରୋଲ ପମ୍ପର ରକ୍ଷଣାବେକ୍ଷଣ ଏବଂ କର୍ମଚାରୀଙ୍କ ଦରମା ବାହାରିଥାଏ । ୧୫.୩୭ ଟଙ୍କା ରାଜ୍ୟ ସରକାର ଭାଟେ ଭାବେ ଆଦାୟ କରନ୍ତି ।