ନୂଆଦିଲ୍ଲୀ ୦୩।୦୯; ୨୭ ବର୍ଷର ଲଢ଼େଇ, ପୁଣି ଖାକି ପିନ୍ଧିଲେ। ଏହା କୌଣସି ସିନେମାର କାହାଣୀ ନୁହେଁ। ଇଏ ହେଉଛି CRPF ଯବାନ ଗିରଭର ସିଂହ ତୋମାରଙ୍କ ବାସ୍ତବ ଜୀବନ। ଯାହା ଅଧିକ ରୋମାଞ୍ଚକର ଏବଂ ପ୍ରେରଣାଦାୟକ । ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ଛିଛାୱାଲି ଗାଁର ଗିରଭର ସିଂହ ୧୯୯୧ରେ CRPFରେ ହାବିଲଦାର ଭାବେ ଯୋଗ ଦେଇଥିଲେ। କିନ୍ତୁ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ଦିନେ ସାଇକେଲରେ ଅଫିସ ଆସୁଥିବା ବେଳେ ଜଣେ ଅଧିକାରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ। ଏହା ପରେ ୧୯୯୯ରେ ଚାକିରିରୁ ବିଦା ହୋଇଥିଲେ ଗିରିଭର।

ଚାକିରି ହରାଇବା ପରେ ତୋମାର କୋର୍ଟରେ ମାମଲାଟିଏ କରି ଧର୍ମ ଓ ଆଧ୍ୟାତ୍ମିକତାରେ ନିଜକୁ ସମର୍ପିତ କରି ଦେଇଥିଲେ। ୨୦୦୧ ସୁଦ୍ଧା ସେ ନିର୍ମୋହୀ ଆଖଡ଼ା ସଦସ୍ୟ ହୋଇ ଯାଇଥିଲେ। ପରେ ଗିରଭର ଦାସ ବାବା ଭାବେ ବିଭିନ୍ନ ମନ୍ଦିରରେ ସାଧୁ ଜୀବନ ବିତାଇଥିଲେ। କିନ୍ତୁ ଏପଟେ ତାଙ୍କ ଚାକିରି ଫେରିପାଇବା ପାଇଁ ଆଇନଗତ ଲଢ଼େଇ ଜାରି ରହିଥିଲା। ୧୯୯୯ରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ତୋମାର ୨୦୦୭ରେ ନିଜ ସପକ୍ଷରେ ରାୟ ପାଇଥିଲେ। କିନ୍ତୁ ମାମଲା ଏତିକିରେ ଶେଷ ହୋଇନଥିଲା। ପ୍ରତିପକ୍ଷ ଉପର କୋର୍ଟ ଯିବାରୁ ମାମଲା ଗଡ଼ି ଚାଲିଥିଲା। ଶେଷରେ ଏବେ କୋର୍ଟ ତାଙ୍କୁ ବେଆଇନ ଭାବେ ବହିଷ୍କାର କରାଯାଇଥିବା କହି ପୁନଃସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଅଗଷ୍ଟ ୨୫ ରାତିରେ ମୋରେନାରୁ ଟ୍ରେନ୍ ଯୋଗେ ବିଜାପୁର ଯାଇଥିଲେ ବାବା ଗିରଭର ଦାସ। ସକାଳେ ପହଞ୍ଚିବା ପରେ ପ୍ରଥମେ ସେଲୁନ ଯାଇ ଦାଢ଼ି ଓ ଚୁଟି କାଟିଲେ। ତା’ପରେ ସାଧୁ ପୋଷାକ ଛାଡ଼ି ପୁଣି ପିନ୍ଧିଲେ ଖାକି ୟୁନିଫର୍ମ। ଅପରାହ୍ନରେ ସେ CRPFର ୮୫ ବାଟାଲିୟନରେ ଯୋଗଦେଲେ। ୨୭ ବର୍ଷ କାଳ ଗେରୁଆ ପିନ୍ଧି ସାଧୁ ଜୀବନ ବିତାଇବା ପରେ ପୁଣି ଥରେ ଖାକି ପିନ୍ଧିଥିଲେ ଗିରିଭର। ୨୭ ବର୍ଷର ଲଢ଼େଇ ପରେ ଚାକିରିକୁ ଫେରିଥିବା ତୋମାର କହିଛନ୍ତି, ଏ ସବୁ ଭଗବାନଙ୍କ କୃପାରୁ ହୋଇଛି। ମୁଁ ଘରକୁ ଫେରିଆସିବା ପରି ଲାଗୁଛି। ତେବେ ଖାକିକୁ ଫେରିଲେ ବି ଆଧ୍ୟାତ୍ମିକତାକୁ ଭୁଲିନାହାନ୍ତି ଗିରଭର। ପୁରୁଣା ସହକର୍ମୀଙ୍କ ମଧ୍ୟରୁ ହାତଗଣତି କିଛି ଲୋକ ଥିଲେ ମଧ୍ୟ, ନୂଆ ସହକର୍ମୀଙ୍କ ଭଲପାଇବା ତାଙ୍କୁ ନିଜ ଘରକୁ ଫେରିଥିବା ଅନୁଭବ ଦେଇଛି। ୨୭ ବର୍ଷର ଧୈର୍ଯ୍ୟ ପରେ ନ୍ୟାୟ, ଆଉ ନ୍ୟାୟ ପରେ ପୁଣି ଖାକି, ଗିରଭର ତୋମାରଙ୍କ ଏ କାହାଣୀ ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।