କିଭ୍/ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଦୀର୍ଘଦିନର ଯୁଦ୍ଧର ସମାପ୍ତ ପାଇଁ ଭାରତ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର କହିଛନ୍ତି। ୟୁକ୍ରେନ ଗସ୍ତ ସମୟରେ କିଭଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ସେ କହିଛନ୍ତି ଯେ, ଯଦି ଆବଶ୍ୟକ ପଡ଼େ, ତେବେ ଏହି ସଙ୍କଟର ସମାଧାନ ପାଇଁ ଭାରତ ମଧ୍ୟସ୍ଥତା କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି । ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହାଙ୍କ ସହ ମିଳିତ ଭାବେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ‘ଯଦି ଭାରତ କୌଣସି ବି ଉପାୟରେ ସାହାଯ୍ୟ କରିପାରିବ, ତେବେ ଆମେ ସବୁବେଳେ ସହଯୋଗ ପାଇଁ ପ୍ରସ୍ତୁତ ଅଛୁ।’

ଏହା ସହିତ କୃଷ୍ଣସାଗର (Black Sea) ଅଞ୍ଚଳରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ମଧ୍ୟ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।  ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବର୍ତ୍ତମାନ ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତରେ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଗସ୍ତ କାଳରେ ସେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା ଏବଂ ପୋଲାଣ୍ଡର ଉପ-ପ୍ରଧାନମନ୍ତ୍ରୀ ରାଡୋସ୍କୋ ସିକୋରସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଆଞ୍ଚଳିକ ପରିସ୍ଥିତି ଏବଂ ପାରଷ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବାରେ ସାହାଯ୍ୟ କରିବ।’ ବର୍ତ୍ତମାନ ସମୟରେ କୃଷ୍ଣସାଗର ଅଞ୍ଚଳରେ ରୁଷ-ୟୁକ୍ରେନ ସଂଘର୍ଷ ବୃଦ୍ଧି ପାଇବା ଯୋଗୁଁ କିଛି ଭାରତୀୟ ନାବିକ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିଲେ। ଏହାକୁ ନଜରରେ ରଖି ଭାରତୀୟ ନାବିକଙ୍କ ନିରାପତ୍ତା ପ୍ରତି ଭାରତ ଗୁରୁତ୍ୱାରୋପ କରିଛି ଏବଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ଯୁଦ୍ଧର ସ୍ଥାୟୀ ସମାଧାନ ପାଇଁ ପୁନର୍ବାର ଆହ୍ୱାନ ଦେଇଛି।