ଭୁବନେଶ୍ୱର:ଓଡ଼ିଶାର ବିସ୍ମୟ ବାଳିକା ଏଲିନା ମିଶ୍ର ଅନ୍ତର୍ଜାତୀୟ ଫିଡେ ବ୍ଲିଜ୍ ରେଟିଂ ହାସଲ କରିବାରେ ଭାରତର ସର୍ବକନିଷ୍ଠା ହେବାର ଗୌରବ ଲାଭ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମାତ୍ର ୪ ବର୍ଷ ୭ ମାସ ୧୭ ଦିନରେ ଭୁବନେଶ୍ୱରର ସାଇ ଆନ୍ତର୍ଜାତିକ ସ୍କୁଲର କେଜି-୧ର ବିସ୍ମୟ ଛାତ୍ରୀ ଏଲିନା ୧୪୩୭ ଅନ୍ତର୍ଜାତୀୟ ଫିଡେ ବ୍ଲିଜ୍ ରେଟିଂ ପାଇଛନ୍ତି । ସେ ୫ ବର୍ଷ ୧୦ ମାସ ବୟସରେ ପୂର୍ବରୁ ରେଟିଂ ହାସଲ କରିଥିବା ଦିଲ୍ଲୀର ଆରିନି ଲାହୋଟିଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ଏଲିନା ହେଉଛନ୍ତି ଓଡ଼ିଶାର ଦ୍ୱିତୀୟ ଗ୍ରାଣ୍ଡମାଷ୍ଟର ସ୍ୱୟଂସ ମିଶ୍ର ଓ ତଦ୍ରିମା ଘୋଷଙ୍କ ସୁପୁତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏଲିନା ଇତିହାସ ରଚିଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଯେଉଁ ବୟସରେ ଅଧିକାଂଶ ପିଲା ଶିକ୍ଷା କ୍ଷେତ୍ରରେ ପ୍ରଥମ ପାଦ ଦେଉଛନ୍ତି, ସେହି ବୟସରେ ସେ ଚେସ୍ ଜଗତରେ ନିଜର ଛାପ ଛାଡ଼ିସାରିଛନ୍ତି । ତାଙ୍କର ଅସାଧାରଣ ପ୍ରତିଭା, ସମର୍ପଣ ଏବଂ ଦୃଢ଼ ଇଚ୍ଛାଶକ୍ତି ଗର୍ବର ପ୍ରତିଫଳନ ।’

 

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ‘ଓଡ଼ିଶାର ବିସ୍ମୟ ବାଳିକା ଏଲିନା ମିଶ୍ର, ମାତ୍ର ୪ ବର୍ଷ ବୟସରେ ନିଜର ଚମତ୍କାର ଚେସ ଖେଳ ପ୍ରଦର୍ଶନ ଦ୍ୱାରା ଫିଡେ ରେଟିଂରେ ନିଜ ସ୍ଥାନ ସଂରକ୍ଷଣ କରିପାରିଛନ୍ତି । ବିଶ୍ୱର ସର୍ବକନିଷ୍ଠା ଖେଳାଳି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ ପାଇଁ ମୁଁ କାମନା କରୁଛି ।’