କଟକ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏମିତିକି କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ନିକଟରେ FIR ଦାୟର କରିବାକୁ SCERT ନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ସୋମବାର ଏସ୍‌ସିଇଆର୍‌ଟି (SCERT) ନିର୍ଦ୍ଦେଶିକା ଶ୍ରୀମତୀ ମଧୁସ୍ମିତା ସାହୁ କ୍ରାଇମବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଛନ୍ତି । ଆଉ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚରେ କେସ୍ ନଂ–୦୮/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଛି।

ସୂଚନା ଅନୁସାରେ, ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୩୧୬(୫), ୨୦୧, ୩(୫) ଏବଂ ୬୧(୨) ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି। କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସ୍‌ପି ନରେନ୍ଦ୍ର କୁମାର ବେହେରାଙ୍କୁ ଏହି ସମ୍ବେଦନଶୀଳ ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ତଦନ୍ତକୁ ବ୍ୟାପକ ଓ ନିରପେକ୍ଷ  ଭାବେ ପରିଚାଳନା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ଟିମ୍ ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଏବଂ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ତନ୍ନ ତନ୍ନ କରି ଯାଞ୍ଚ କରିବ।

Also Read: ପାଠ୍ୟ ପୁସ୍ତକ ତ୍ରୁଟିର ହେବ ଅପରାଧିକ ତଦନ୍ତ, FIR ଦାୟର କରିବାକୁ SCERT ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

ଆହୁରି ମଧ୍ୟ ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଦସ୍ତାବିଜ, ରେକର୍ଡ ଓ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବ। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ  ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।