ଭୁବନେଶ୍ୱର ୧୦।୦୯ : ଭୋଗରାଇରୁ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣା । ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ । ସ୍ପେଶାଲ ଟାକ୍ସ ଫୋର୍ସର ୫ଜଣିଆ ଟିମ୍ ବାଲେଶ୍ୱରରେ ତନଘନା କରୁଛନ୍ତି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଛାନଭିନ୍ ଜାରି ରହିଛି । ଉଦ୍ଧାର ହୋଇଥିବା ସ୍ଥାନରୁ ବିଭିନ୍ନ ଦିଗକୁ ଯାଇଥିବା ରାସ୍ତାରେ ଲାଗିଥିବା ୧୭୦ ସିସିଟିଭି ଯାଞ୍ଚ କରିଛି STF ଟିମ୍‌ । ଏହାସହିତ ସନ୍ଦିଗ୍ଧ ଥାର ଗାଡି ସହିତ ଆହୁରି ଅନେକ ଗାଡିର ଗତିବିଧି ଉପରେ ନଜର ରଖାଯାଇଛି । STFକୁ ବନ ବିଭାଗ, ସ୍ଥାନୀୟ ପୋଲିସ ତଦନ୍ତକାରୀ ଦଳକୁ ସହଯୋଗ କରୁଛନ୍ତି l ଖୁବଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବ ବୋଲି କ୍ରାଇମବ୍ରାଞ୍ଚ DG କହିଛନ୍ତି।

ସେହିପରି ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ କୋଷ୍ଟଗାର୍ଡଙ୍କୁ ପଚରାଉଚରା କରାଯାଉଛି । ମାତ୍ର କେଉଁଠୁ ଏହି ୫ ଶାବକ ଆସିଲେ ସେ ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନି। ଭୋଗରାଇ ବ୍ଳକର ଚନ୍ଦନେଶ୍ଵର-ଭୁଷଣ୍ଡେଶ୍ଵର ରାସ୍ତାରେ କଳାରଙ୍ଗର ଏକ ଥର୍ କାର ଚକ୍କର ମାରିବାକୁ ନେଇ ସନ୍ଦେହ ବଢ଼ିଛି। ଓରାଙ୍ଗ ଉଟାନ୍ ଉଦ୍ଧାରସ୍ଥଳଠୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ଦୋକାନର ସିସିଟିଭି ଟିଭି କ୍ୟାମେରା ଫୁଟେଜରେ ଏହି ସନ୍ଦିଗ୍ଧ ଥାର୍ ଗାଡ଼ିର ଗତିବିଧ କଏଦ୍ ହୋଇଛି । ଥାର୍ ଗାଡ଼ିଟି ସୋମବାର ରାତି ସାଢ଼େ ୧୧ଟା ୩୫ ମିନିଟ୍ ରେ ଉଦ୍ଧାରସ୍ଥଳ ଆଡ଼େ ମୁହାଁଇଥିଲା। ୧୧ଟା ୪୭ରେ ସେହି ରୁଟରେ ବି ଫେରିଥିଲା । ସେଇ ୧୨ ମିନିଟ୍ ରେ କ'ଣ ଘଟିଥିଲା ? ଓରାଙ୍ଗଉଟାନ୍ ଶାବକଙ୍କୁ ଥାର୍ ରେ ବୁହାଯାଇ ସେଠାରେ ଛଡ଼ା ଯାଇଥିଲା କି ? ଓରାଙ୍ଗଉଟାନ୍ ଉଦ୍ଧାର ସ୍ଥଳରୁ ମାତ୍ର କିଛି ମିଟର ବ୍ୟବଧାନରେ ୩ଟି ପ୍ରମୁଖ ଜଳପଥ ରହିଛି। ପ୍ରଥମ ରାସ୍ତାଟି ପ୍ରାୟ ୩୦୦ ମିଟର, ଦ୍ୱିତୀୟଟି ୫୦୦ ମିଟର ଏବଂ ତୃତୀୟ ରାସ୍ତାଟି ବିଚିତ୍ରପୁର ବୋଟିଂ ସ୍ଥାନକୁ ଯିବା ପାଇଁ ପ୍ରାୟ ୧ କିଲୋମିଟର। ଏହାସହ ଉଦ୍ଧାରସ୍ଥଳରୁ ୮ ରୁ ୧୦ କିଲୋମିଟର ବ୍ୟବଧାନରେ ସୁବର୍ଣ୍ଣରେଖା ନଦୀର ମୁହାଣ, ବଙ୍ଗୋପସାଗର ସହ ମିଳନ ସ୍ଥଳି କୀର୍ତ୍ତିନିଆ ମତ୍ସ୍ୟ ଅବତରଣ କେନ୍ଦ୍ର ଏବଂ ଅନ୍ୟପଟେ ତାଳସାରି ଓ ଉଦୟପୁର ସମୁଦ୍ରକୂଳ ରହିଛି । ଉଦୟପୁର ନିକଟରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ରହିଥିବାରୁ ଜଳପଥ କିମ୍ବା ସୀମାନ୍ତ ରାସ୍ତା ଦେଇ ଏହି ବିରଳ ଜୀବଙ୍କୁ ଚୋରା ଚାଲାଣ କରାଯାଉଥିବା ନେଇ STFର ସନ୍ଦେହ ବଢ଼ିଛି ।

Also Read:-୩୩ ବର୍ଷୀୟାଙ୍କ ପେଟରେ କଲମ, ନଟ୍-ବୋଲ୍ଟ ! ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ...