ମୁମ୍ୱାଇ: କ୍ରିକେଟରେ ଅନେକ ସମୟରେ ବୟସ ଜାଲିଆତି ନେଇ ଖବର ସାମନାକୁ ଆସେ । ବାଦ ବିବାଦ ମଧ୍ୟ ହୁଏ । ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ମଧ୍ୟ ଅନେକ ସନ୍ଦେହ ପ୍ରକାଶ କରୁଥିଲେ । ଏହାରି ଭିତରେ ବିସିସିଆଇ ବଡ଼ ଆକ୍ସନ ନେଇଛି । ବୟସ ଜାଲିଆତି କରିବା ଅଭିଯୋଗରେ ବିସିସିଆଇ ବେଙ୍ଗଲର ଲେଗ୍ ସ୍ପିନର୍ ରୋହିତ ଯାଦବଙ୍କ ଉପରେ ୨ ବର୍ଷର ବ୍ୟାନ୍ ଲଗାଇଛି । ବଡ଼ କଥା ହେଉଛି, ମାତ୍ର କିଛି ସପ୍ତାହ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ସିରିଜ୍ ପାଇଁ ତାଙ୍କୁ ଭାରତର ଅଣ୍ଡର୍-୧୯ ଦଳରେ ଚୟନ କରାଯାଇଥିଲା ।

ମୂଳତଃ ଉତ୍ତର ପ୍ରଦେଶର ବାସିନ୍ଦା ରୋହିତ ଗତ ଜୁଲାଇ ମାସରେ ଭାରତର ଇଣ୍ଡର୍- ୧୯ ଦଳ ସହ ଶ୍ରୀଲଙ୍କା ଗସ୍ତ କରିଥିଲେ । ସେଠାରେ ସେ ୬ଟି ୱିକେଟ୍ ନେଇ ଦଳକୁ ଶେଷ ଟେଷ୍ଟ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିସିସିଆଇ ଅଧିକାରୀଙ୍କ ବୟାନକୁ ନେଇ ଜୀ ନ୍ୟୁଜ୍ ରିପୋର୍ଟ ଅନୁସାରେ, "ତାଙ୍କ ଉପରେ ୨ ବର୍ଷର ବ୍ୟାନ୍ ଲଗାଯାଇଛି ।" ଏହି ମାସ ଶେଷରେ ରାଜକୋଟ୍ ଓ ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ହେବାକୁ ଥିବା ଘରୋଇ ୱାନଡେ ଓ ମଲ୍ଟି-ଡେ ମ୍ୟାଚ୍ ପାଇଁ ମଧ୍ୟ ସେ ଭାରତୀୟ ଦଳରେ ସାମିଲ ଥିଲେ ।

ଏଭଳି ସାମ୍ନାକୁ ଆସିଲା ବୟସ ଜାଲିଆତି

ଶ୍ରୀଲଙ୍କା ଗସ୍ତ ସମୟରେ କାଗଜପତ୍ର ଯାଞ୍ଚ ହେବା ପରେ ରୋହିତଙ୍କ ବୟସରେ ବଡ଼ ଧରଣର ତ୍ରୁଟି ଥିବା ବିସିସିଆଇର ତଦନ୍ତରୁ ଜଣାପଡ଼ିଥିଲା । ତାଙ୍କ ପାଖରୁ ୩ଟି ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ମିଳିଥିଲା, ଯେଉଁଥିରେ ଜନ୍ମ ବର୍ଷ ୨୦୦୭, ୨୦୦୯ ଓ ୨୦୧୦ ଦର୍ଶାଯାଇଥିଲା । ଏହା ବ୍ୟତୀତ ତାଙ୍କ ଆଧାର କାର୍ଡ ରେକର୍ଡରେ ମଧ୍ୟ ଅଲଗା ଅଲଗା ଜନ୍ମ ବର୍ଷ ରହିଥିଲା । କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲରେ ତାଙ୍କ ଜନ୍ମ ବର୍ଷ ୨୦୦୭ ରହିଥିବା ବେଳେ ୨୦୧୭ ଓ ୨୦୨୦ ଆଧାର ଅପଡେଟରେ ୨୦୦୬ ଏବଂ ୨୦୨୧ ଅପଡେଟ୍‌ରେ ଏହାକୁ ବଦଳାଇ ୨୦୦୯ କରାଯାଇଥିଲା । ଏହି ଅସଙ୍ଗତି ଯୋଗୁ ସେ ବୟସ-ଭିତ୍ତିକ  କ୍ରିକେଟ୍ ଖେଳିବା ପାଇଁ ଅଯୋଗ୍ୟ ପ୍ରମାଣିତ ହୋଇଥିଲେ ।

ବେଙ୍ଗଲ କ୍ରିକେଟ୍ ଏହି ଗଡ଼ବଡ଼ ଯୋଗୁଁ ରୋହିତଙ୍କୁ ପ୍ରଥମେ ନିଜ ଜୁନିୟର ଦଳରୁ ବାହାର କରିଥିଲା ଏବଂ ପରେ ବିସିସିଆଇକୁ ସୂଚନା ଦେଇଥିଲା । ବର୍ତ୍ତମାନ ବିସିସିଆଇ ତାଙ୍କୁ ୨ ବର୍ଷ ପାଇଁ ଘରୋଇ କ୍ରିକେଟରୁ ବ୍ୟାନ୍ କରିବା ସହ ସମସ୍ତ ରାଜ୍ୟ କ୍ରିକେଟ୍ ସଂଘକୁ ଏ ନେଇ ସୂଚିତ କରିସାରିଛି ।