ମୁମ୍ୱାଇ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଦେଶର ଯୁବବର୍ଗଙ୍କୁ ରାଷ୍ଟ୍ରହିତକୁ ସର୍ବୋପରି ରଖି କର୍ତ୍ତବ୍ୟ, ତ୍ୟାଗ ଏବଂ ରାଷ୍ଟ୍ରସେବାର ମନୋଭାବ ସହ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଯେ ବିକଶିତ ଭାରତର ସଂକଳ୍ପ ସେତେବେଳେ ବାସ୍ତବ ହେବ, ଯେତେବେଳେ ପ୍ରତ୍ୟେକ ନାଗରିକ ଏହାକୁ ନିଜର ବ୍ୟକ୍ତିଗତ ଦାୟିତ୍ୱ ଭାବେ ଗ୍ରହଣ କରିବେ ।

ପୁଣେଠାରେ ଲୋକମାନ୍ୟ ତିଲକ ନ୍ୟାସନାଲ୍ ଆୱାର୍ଡ ଗ୍ରହଣ କରିବା ପରେ ସଭାକୁ ସମ୍ବୋଧିତ କରିଥିଲେ ଡୋଭାଲ । ସେ କହିଛନ୍ତି ଯେ ଯୁବପିଢ଼ି କେବଳ ଦେଶର ହିତରେ କାମ କରିବାକୁ ସଂକଳ୍ପ ନେବା ଉଚିତ୍ ଏବଂ କ୍ଷୁଦ୍ର ବ୍ୟକ୍ତିଗତ ସ୍ୱାର୍ଥକୁ ଅଣଦେଖା କରିବା ଉଚିତ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ତିଲକ୍ ସ୍ମାରକ ଟ୍ରଷ୍ଟ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପୁରସ୍କାର ଡୋଭାଲଙ୍କୁ ପ୍ରଦାନ କରିଛନ୍ତି ।

ଡୋଭାଲ୍ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ, ବିଶେଷକରି ଆମ ଯୁବବର୍ଗ ଚିନ୍ତା କରିବା ଦରକାର ଯେ ଭାରତ ଯେଉଁ ମାର୍ଗରେ ଚାଲିବା କଥା, ସେଥିରେ ଆମର ଯୋଗଦାନ କ’ଣ । ଆମ ଯୁବବର୍ଗ ଭାବନ୍ତି ଯେ ବୋଧହୁଏ ଭାରତ ସବୁବେଳେ ଏମିତି ହିଁ ଥିଲା । ଆମେ ଯାହାକୁ ସ୍ୱାଧୀନତା କହୁଛୁ, ତାହା ସହଜରେ ମିଳିଯାଇନାହିଁ। ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି, ଯେଉଁମାନେ ଏଥିପାଇଁ ସଂଗ୍ରାମ କରିଛନ୍ତି ଏବଂ ନେତୃତ୍ୱ ନେଇଛନ୍ତି, ସେମାନଙ୍କର ଅବଦାନ ଅତୁଳନୀୟ ।

ସେ କହିଛନ୍ତି, "ଆଜିର ଯୁବକମାନେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପି ଦେବା ଦରକାର । ଭାବିବା ଉଚିତ୍ ଯେ ସେମାନେ କେବଳ ଦେଶର ହିତ ପାଇଁ କାମ କରିବେ । ସେମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ତ୍ୟାଗ କରିବାକୁ ପ୍ରସ୍ତୁତ ରହିବା ଦରକାର ।" ଡୋଭାଲ କହିଛନ୍ତି ଯେ ଭାରତ ନିଜ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇ ଗତି କରୁଛି ଏବଂ ବର୍ତ୍ତମାନର ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ୍ ନୁହେଁ । ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଦେଶ ନିର୍ମାଣ କରିବା । ଭାରତର ଭବିଷ୍ୟତ ଉପରେ ବିଶ୍ୱାସ ପ୍ରକଟ କରି ଡୋଭାଲ କହିଛନ୍ତି ଯେ ଦେଶ ନିଜ ମିଶନରେ ସଫଳ ହେବ ଏବଂ ନିଜ ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିବ ।

ଡୋଭାଲ ଆହୁରି କହିଛନ୍ତି, "ମୋର ବିଶ୍ୱାସ ଅଛି ଯେ ଆମେ ଏହି ପ୍ରଚେଷ୍ଟାରେ ସଫଳ ହେବା ଏବଂ ଏକ ନୂଆ ଇତିହାସ ରଚନା କରିବା।" ସେ କହିଛନ୍ତି ଯେ ଦେଶ ଭାଗ୍ୟବାନ୍ ଯେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଭଳି ନେତା ମିଳିଛନ୍ତି।

ଡୋଭାଲ କହିଛନ୍ତି ଯେ ଆଜିକାଲି ଲୋକମାନେ ନିଜ ଅଧିକାର ବିଷୟରେ କଥା ହୁଅନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଯଦି ଅଧିକାରର ଦୁରୁପଯୋଗ କରାଯାଏ, ତେବେ ସେହି ଲୋକମାନଙ୍କୁ କେତେ କଷ୍ଟ ହେବ ଯେଉଁମାନେ ଏଥିପାଇଁ ନିଜର ସର୍ବସ୍ୱ ଦେଇଥିଲେ । ସେ ଆହୁରି କହିଛନ୍ତି ଯେ ତିଲକ କେବଳ 'ସ୍ୱରାଜ୍ୟ ମୋର ଜନ୍ମସିଦ୍ଧ ଅଧିକାର ଏବଂ ମୁଁ ଏହାକୁ ହାସଲ କରି ରହିବି' ବୋଲି କହିନଥିଲେ, ବରଂ ସେ ଚାହୁଁଥିଲେ ଯେ ପ୍ରତ୍ୟେକ ନାଗରିକ ଏହିପରି ଚିନ୍ତାଧାରା ରଖନ୍ତୁ ।