ଭୁବନେଶ୍ବର ୨୮।୧୨: SoP ଆସିଲା ପରେ ହିଁ ରତ୍ନଭଣ୍ଡାର ଗଣତି ମଣତି ଆରମ୍ଭ ହୋଇପାରିବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି, SoP ଫାଇନାଲ ଷ୍ଟେଜରେ ଅଛି । ଶନିବାର ହାଇଲେଭଲ କମିଟିରେ ଏନେଇ ଆଲୋଚନା ହେଇଛି । କମିଟି ଏକ ପୂର୍ଣ୍ଣାଙ୍ଗ SoP ସରକାରଙ୍କ ନିକଟକୁ ପଠାଇବେ । SoP ଆସିଲେ ସରକାର ଏହାକୁ ଅନୁମତି ଦେବେ । ଏହାପରେ ଗଣତିମଣତି ପାଇଁ ରାସ୍ତା ଖୋଲିବ ।

ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ଯାହା ଆବଶ୍ୟକତା ଅଛି ତାହା ଶେଷ କରି ଗଣତିମଣତି ଆରମ୍ଭ କରାଯିବ । ରଥଯାତ୍ରା ପୂର୍ବରୁ ଗଣତିମଣତି ସାରିବାକୁ ହାଇଲେଭଲ କମିଟି ମଧ୍ୟ ଏହା ଶନିବାର କହିସାରିଛନ୍ତି । ନୀତିକାନ୍ତିରେ ଯେପରି ବାଧାବିଘ୍ନ ନଆସେ, କିପରି ସବୁ କାର୍ଯ୍ୟ ହୋଇପାରିବ ସେନେଇ ସବୁ ଚେଷ୍ଟା କରାଯାଉଛି । ଦର୍ଶନ ଏବଂ ନୀତିକାନ୍ତିକୁ ଧ୍ୟାନରେ ରଖି ଗଣତିମଣତି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କିଭଳି କରାଯିବ ସେନେଇ ଏକ ଏସଓପି ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଆଗାମୀ ରଥଯାତ୍ରା ପୂର୍ବରୁ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ନେଇ ଏସଓପି ସମ୍ପର୍କୀତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରତ୍ନଭଣ୍ଡାର ସମ୍ପର୍କୀତ ଉଚ୍ଚସ୍ତରୀୟ କମିଟିର ଏହି ବୈଠକରେ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସ୍ପି, ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ଏବଂ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ପ୍ରାଧିକୃତ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

ତେବେ ଶନିବାର ବୈଠକରେ ୧୧ ପୃଷ୍ଠା ସମ୍ବଳିତ ଏକ ଏସଓପି ପ୍ରସ୍ତୁତ କରାଯାଇଛି । ଏହାକୁ ପରିଚାଳନା କମିଟିରେ ଅନୁମୋଦିତ କରାଯିବା ପରେ ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ । ପରେ ଉକ୍ତ ଏସଓପି ଅନୁଯାୟୀ ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଥିଲେ, କେବେଠାରୁ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ତାହା ଏବେ କହିବା ସମ୍ଭବ ପର ନୁହେଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଆସିବା ପରେ ଗଣତି ମଣତି ଆରମ୍ଭ କରାଯିବ ।

ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନରେ ବାଧା ନ ଉପୁଜିବ ସେନେଇ ବିଶେଷ ଗୁରୁତ୍ବ ଦିଆଯିବ । ରତ୍ନ ଅଳଙ୍କାର ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କେବଳ ପ୍ରାଧିକୃତ ପାଳିଆ ସେବାୟତମାନଙ୍କୁ ପ୍ରବେଶ ପାଇଁ ଅନୁମତି ସହ ପରିଚୟପତ୍ର ଦିଆଯିବ । ତିନୋଟି ପର୍ଯ୍ୟାୟରେ ହେବ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ।

ପ୍ରଥମ ପର୍ଯ୍ୟାୟରେ ଦୈନନ୍ଦିନ ମହାପ୍ରଭୁଙ୍କ ଚଳନ୍ତି ରତ୍ନ ଅଳଙ୍କାର, ଦ୍ବିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଏବଂ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ । ରତ୍ନ ଅଳଙ୍କାରର ଗଣତି ମଣତି ସମୟରେ ଆରବିଆଇର ଜଣେ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବଣିଆ ବା ସ୍ବର୍ଣ୍ଣକାରକୁ ମଧ୍ୟ ଗଣତି ମଣତି ସମୟରେ ସାମିଲ କରାଯିବ ।

୧୯୭୮ ମସିହାର ରତ୍ନ ଅଳଙ୍କାରର ତାଲିକା ସହିତ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ରତ୍ନ ଅଳଙ୍କାରର ମେଳକ କରାଯିବ । ରତ୍ନଭଣ୍ଡାରର ଗଣତି ମଣତି ପରେ ଚାବିକୁ ଜିଲ୍ଲା କୋଷାଗାରରେ ରଖାଯିବ । ସମସ୍ତ ଗଣତି ମଣତି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଗଣତି ମଣତିରେ ସାମିଲ ହେବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କଡ଼ା ଯାଞ୍ଚ ପରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଥିଲେ । ଦୀର୍ଘ ସାଢେ ଚାରି ଘଣ୍ଟା ଧରି ଏହି ବୈଠକ ଚାଲିଥିଲା ।