ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ହ୍ୱାଇଟ ହାଉସ୍ ରେ ଏକ ସାମ୍ବାଦିକ ସମ୍ମିଳନୀ କାଳରେ ଜଣେ ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନ ପୂର୍ବରୁ ତାଙ୍କ ଜାତୀୟତା ନେଇ ପ୍ରଶ୍ନ ଉଠାଇଥିଲେ। ସାମ୍ବାଦିକ ଜଣକ ଯେତେବେଳେ ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ପ୍ରଶ୍ନ କରିବାକୁ ପ୍ରସ୍ତୁତି କରୁଥିଲେ ଠିକ୍ ସେତିକି ବେଳେ ଟ୍ରମ୍ପ ଏହି ପ୍ରଶ୍ନ କରିଥିଲେ। କହିଥିଲେ ସଂଯୋଗ ବସତଃ ଆପଣ ଭାରତୀୟ କି? ମୋତେ ଲାଗୁଥିଲା ଆପଣ ଜର୍ମାନ।

ତେବେ ସାମ୍ବାଦିକ ଯେତେବେଳେ  ପୁଷ୍ଟି କଲେ ମୁଁ ଭାରତୀୟ, ଟ୍ରମ୍ପ କହିଲେ ମୁଁ ଏମିତି ପରିହାସରେ ପଚାରିଥିଲି, ଆପଣ ବାସ୍ତବିକ ଠିକ୍ ବ୍ୟକ୍ତି। ପରେ ଟ୍ରମ୍ପ ସାମ୍ବାଦିକଙ୍କ ପ୍ରଶ୍ନର ଜବାବ ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ମୋର ଜଣେ ଭଲ ‘ବନ୍ଧୁ’ ଓ ତାଙ୍କ ସହ ମୋର ଭଲ ସମ୍ପର୍କ ଅଛି। ନୂଆଦିଲ୍ଲୀ ସହିତ ସମ୍ଭାବିତ ବାଣିଜ୍ୟ ଚୁକ୍ତିକୁ ନେଇ ବିଶ୍ୱାସ ବ୍ୟକ୍ତ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏବେ ଭାରତ ସହ ଆର୍ଥିକ ସମ୍ପର୍କରେ ବେଶ୍ ଲାଭାନ୍ୱିତ ହେଉଛି।

ସେ କହିଛନ୍ତି ଯେ ଅନେକ ବର୍ଷ ଧରି ଆମେରିକାର ଭାରତ ବେଶ୍ ଫାଇଦା ନେଉଥିଲା। ସେମାନେ ଆମ ଉପରେ ମୋଟା ଟାରିଫ ଲଗାଉଥିଲେ ଓ ବଦଳରେ କିଛି ଦେଉ ନଥିଲେ। ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ଏବଂ ଆମେ ଭାରତରୁ ବେଶ୍ ଉପାର୍ଜନ କରୁଛୁ। ହେଲେ ଆମେ ଖୁବ୍ ଶୀଘ୍ର ଏକ ନିଷ୍ପତ୍ତିରେ ପହଞ୍ଚିବୁ। ଇତି ମଧ୍ୟରେ ଟ୍ରମ୍ପଙ୍କ ଟିପ୍ପଣୀକୁ ଲୋକେ ଅନଲାଇନରେ ସମାଲୋଚନା କରୁଛନ୍ତି। ଏହାକୁ ଟ୍ରମ୍ପଙ୍କ ବର୍ଣ୍ଣ ବିଦ୍ୱେଷ ଭାବନାକୁ ଦର୍ଶାଉଛି ବୋଲି ୟୁଜର କମେଣ୍ଟ କରୁଛନ୍ତି।