ପୁରୀ: ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠ ନିକଟରେ ନୂତନ ବିଦେଶୀ ମଦ ଦୋକାନ ଖୋଲିବାକୁ ଯାଉଛି। ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଗୋବର୍ଦ୍ଧନ ମଠ ଭଳି ଏକ ଆଧ୍ୟାତ୍ମିକ ସ୍ଥାନରେ ନୂତନ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଗୋବର୍ଦ୍ଧନ ମଠ ସହିତ ସ୍ଥାନୀୟ ଗୌଡ଼ବାଡ଼ ସାହିର ବାସିନ୍ଦା ମଧ୍ୟ ଆବାସିକ ଅଞ୍ଚଳରେ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି।

ତୁରନ୍ତ ଏହି ସ୍ଥାନରୁ ମଦ ଦୋକାନ ବନ୍ଦ କରିବା ପାଇଁ ଦାବି ହୋଇଛି। ଗୋବର୍ଦ୍ଧନ ପୀଠର ସଚିବ ପୁରୀ ଜିଲ୍ଲାପାଳଙ୍କୁ ଏନେଇ ଲିଖିତ ଭାବେ ଅବଗତ କରାଇଛନ୍ତି। ମଦ ଦୋକାନ ଖୋଲା ଗଲେ ଦୃଢ଼ ବିରୋଧ ସହିତ ଜୋରଦାର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ତେବେ ସ୍ବର୍ଗଦ୍ବାର ମାଛ ମାର୍କେଟ କଡ଼ରେ ଟ୍ୟାକ୍ସି ବାଡ଼ି ପଛପଟେ ଏହି ବିଦେଶୀ ମଦ ଦୋକାନ ଖୋଲିବା ନେଇ ପ୍ରସ୍ତାବିତ ହୋଇଛି।

ଗୋବର୍ଦ୍ଧନ ପୀଠ ସହ ସରସ୍ଵତୀ ଗୌଡ଼ିଆ ମଠ, ନୀଳାଚଳ ଆଶ୍ରମ, ଜ୍ୟୋତିରାଜ ମଠ, ଗୁରୁଧାମ, କାମାକ୍ଷା ମନ୍ଦିର ଓ ତ୍ରିନାଥ ମନ୍ଦିର ଠାରୁ ମାତ୍ର ୩୦ରୁ ୫୦ ମିଟର ଦୂରରେ ଏହି ପ୍ରସ୍ତାବିତ ମଦ ଦୋକାନ ରହିଛି। ସେହିପରି ମଠ ସହିତ ସୂର୍ଯ୍ୟବଂଶୀ ଯୁବକ ସଂଘ, ଅତିବଡ଼ି ଜଗନ୍ନାଥ ଦାସ ସ୍ମୃତି ଏକାଡେମୀ, ନର୍ସରୀ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର, ଆଞ୍ଚଳିକ ମହିଳା ସଂଘ, ତେଲୁଗୁ ବସ୍ତି ଏବଂ ଗୌଡ଼ବାଡ଼ ସାହି ଆବାସିକ ଅଞ୍ଚଳ ସହିତ ପର୍ଯ୍ୟଟକମାନେ ସମୁଦ୍ରକୁ ଯିବା ପାଇଁ ଏହି ବାଟେ ରାସ୍ତା ରହିଛି।

ଏଣୁ ଏଠାରେ ମଦ ଦୋକାନ ଖୋଲା ଗଲେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେହିପରି ଅନେକ ମଠ, ସ୍କୁଲ ଥିବାରୁ ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶ ଉପରେ ମଧ୍ୟ କୁପ୍ରଭାବ ପଡିବ। ଏଣୁ ସ୍ବର୍ଗଦ୍ବାର ମାଛ ମାର୍କେଟ କଡ଼ରେ ଟ୍ୟାକ୍ସି ବାଡ଼ି ପଛପଟେ ନୂତନ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଦାବି ହୋଇଛି।

Also Read: ଭଡ଼ା ଘରୁ ଜବତ ହେଲା ବିପୁଳ ଗଞ୍ଜେଇ, ସର୍ଚ୍ଚ ବେଳେ ମିଳିଲା ବିଡ଼ା ବିଡ଼ା ନୋଟ୍

ଗୋବର୍ଦ୍ଧନ ମଠ ସହିତ ଉକ୍ତ ଅଞ୍ଚଳରେ ଅନେକ ସ୍କୁଲ, ଆଧ୍ୟାତ୍ମିକ କେନ୍ଦ୍ର ରହିଥିବାବେଳେ କିଭଳି ସ୍ଥାନୀୟ ଲୋକଙ୍କ ମତାମତ ନିଆନଯାଇ ନୂତନ ମଦ ଦୋକାନ ଖୋଲିବାକୁ ପୁରୀ ଜିଲ୍ଲା ଅବକାରୀ ବିଭାଗ ଅନୁମତି ପ୍ରଦାନ କଲେ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବିଶେଷ କରି ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଏହି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।