ନୂଆଦିଲ୍ଲୀ: କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଏନସିପି(ଶରଦ)ର ବିରୋଧୀ ଦଳ ନେତାମାନେ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଯୌନ ଅପରାଧର ଦୋଷୀ ଜେଫରି ଏପଷ୍ଟିନ ସହ ସାକ୍ଷାତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ବୈଠକର ଫଟୋ ସେୟାର କରି ଆଲୋଚନାର ପ୍ରକୃତିକୁ ନେଇ ପ୍ରଶ୍ନ କରିଛନ୍ତି। ନେତାମାନେ ପୁରୀଙ୍କୁ ସେହି ପୂର୍ବ ବୟାନରେ ଟାର୍ଗେଟ କରିଛନ୍ତି ଯେଉଁଥିରେ ସେ କହିଥିଲେ ମୁଁ ଏପଷ୍ଟିନକୁ ବ୍ୟାକ୍ତିଗତ ଭାବେ ନୁହେଁ ଏକ ପ୍ରତିନିଧି ମଣ୍ଡଳିର ଅଂଶ ଭାବେ ଭେଟିଥିଲି।

କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ପୁରୀଙ୍କ ସେହି ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି ଯେଉଁଥିରେ ପୁରୀ ଏପଷ୍ଟିନଙ୍କ ସହ ତାଙ୍କର କେବେ ମୁହାଁ ମୁହିଁ କଥାବାର୍ତ୍ତା ହୋଇ ନଥିବାର କହିଥିଲେ। ଏ ନେଇ ଶ୍ରୀନେତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିବା ବେଳେ ଏଥିରେ ମୋଦି କେଉଁ ଲୋକଙ୍କୁ ପସନ୍ଦ କରନ୍ତି ଓ ନିଜ ଆଖପାଖରେ ରଖିବାକୁ ପସନ୍ଦ କରନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀନେତ ଲେଖିଛନ୍ତି ଯେ ଏହା ପରେ ବି ଆପଣଙ୍କୁ ଆହୁରି ଅଧିକ କଣ ପ୍ରମାଣ ଆବଶ୍ୟକ?

ଟିଏମସି ସାଂସଦ ମହୂଆ ମୋଇତ୍ର ମଧ୍ୟ ସୋସିଆଲ ମିଡିଆରେ ଏ ନେଇ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ହରଦୀପ ସିଂହ ପୁରୀଙ୍କ ଏକ ଭିଡିଓ ବୟାନ ସେୟାର କରି ତାଙ୍କ ପୂର୍ବ ବୟାନ ଆଧାରରେ ବାକି ପ୍ରତିନିଧି କଣ ଟେବୁଲ ତଳେ ବସିଛନ୍ତିକି ବୋଲି ପ୍ରଶ୍ନ କରିଛନ୍ତି। ହରଦୀପ ସିଂହ ପୁରୀ କହିଥିଲେ ଯେ ସେ ଏକ ପ୍ରତିନିଧି ମଣ୍ଡଳିର ଅଂଶ ଭାବେ ଏପଷ୍ଟିନଙ୍କୁ ୩-୪ ଥର ଭେଟିଛି। ଅନ୍ୟପଟେ ଏନସିପି ମୁଖପାତ୍ର ଅନିଶ ଗାଭଣ୍ଡେ ଫଟୋକୁ ‘ଘୃଣିତ’ ବୋଲି କହିଛନ୍ତି ଓ ପୁରୀଙ୍କୁ ସେ କାହିଁକି ଏପଷ୍ଟିନକୁ ଭେଟିଥିଲେ ସେ ନେଇ ସ୍ପଷ୍ଟିକରଣ ରଖିବାକୁ ଦାବି କରିଛନ୍ତି।

ଗାଭଣ୍ଡେ ସୋସିଆଲ ମିଡିଆ ପୋଷ୍ଟରେ ‘ଏହା ବାସ୍ତବିକ ଆଶ୍ଚର୍ଯ୍ୟଜନକ ଫଟୋ। ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏଥି ପାଇଁ ଜବାବ ଦେବାକୁ ପଡିବ। ସେ ରାଜଦୂତ ଭାବେ ଜେଫରୀ ଏପଷ୍ଟିନକୁ କାହିଁକି ଭେଟିଥିଲେ? ମୁଁ ଜାଣିବାକୁ ପାଇଛି ଯେ ଭାରତ ସରକାର ଏହି ସାକ୍ଷାତ ଆଲୋଚନାକୁ ‘କୂଟନୈତିକ ଆବଶ୍ୟକତା’ ଓ ଉଚିତ ଥିଲା ବୋଲି କହିବେ। ତେବେ ଏହି ଆଲୋଚନା ମାନଙ୍କର ବିଷୟ ଓ ପ୍ରସଙ୍ଗ ଏବେ ସାର୍ବଜନିକ ହେବା ଦରକାର। ମୁଁ ଆଶା କରୁଛି ହୁଏତ ଭାରତ ସରକାରଙ୍କ ରାଜଦୂତ ପୁରୀ ଏପଷ୍ଟିନ ଦ୍ୱୀପର ଭୟାବହ ଘଟଣା ସମ୍ପର୍କରେ ଜାଣି ନଥିଲେ’। ମୁଁ ଏହି ମାମଲାରେ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ଆଶା କରୁଥିବା କହିଛନ୍ତି। ସେହିପରି ଶିବସେନା(ଉଦ୍ଧବ) ନେତା ସଞ୍ଜୟ ରାଉତ ପୁରୀ ଓ ଏପଷ୍ଟିନର ବୈଠକ ଉଦ୍ଦେଶ୍ୟ ନେଇ ପ୍ରଶ୍ନ କରିଛନ୍ତି।

ଗତ ଫେବୃଆରୀରେ ପୁରୀ କହିଥିଲେ ଯେ ବହୁ ପାକ୍ଷିକତା ଉପରେ ସ୍ୱାଧୀନ କମିଶନ (ଆଇସିଏମ) ସମ୍ପର୍କିତ ଏକ ପ୍ରତିନିଧିମଣ୍ଡଳର ସଦସ୍ୟ ଭାବେ ଏପଷ୍ଟିନକୁ ୩-୪ଥର ଭେଟିଥିଲି, ଯାହା ଅନ୍ତର୍ଜାତୀୟ ଶାନ୍ତି ସଂସ୍ଥାନ (ଆଇପିଆଇ)ରେ ସ୍ଥାପିତ ଏକ ପ୍ରକଳ୍ପ। ପୁରୀ କହିଥିଲେ ଯେ ତାଙ୍କର ଏହି ସାକ୍ଷାତ ମିଳିତ ଜାତିସଂଘରେ ଭାରତର ରାଜଦୂତ ପଦରୁ ଇସ୍ତଫା ପରେ ଓ ୨୦୧୭ ମସିହାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପୂର୍ବରୁ ହୋଇଥିଲା। ସେ ଜୋର ଦେଇ କହିଥିଲେ ଯେ ଏପଷ୍ଟିନ ସହିତ ତାଙ୍କ କଥାବାର୍ତ୍ତା ସମ୍ପୂର୍ଣ୍ଣ ବୃତ୍ତିଗତ ଥିଲା ଓ ବଦନାମ ଫାଇନାନ୍ସର ବିରୋଧରେ ଅପରାଧିକ ଆରୋପ ସହ ତାଙ୍କର କୌଣସି ନେଣଦେଣ ନାହିଁ।

ସିଂହ କହିଥିଲେ ଯେ ଆଇପିଆଇରେ ମୋ ବସ୍ ଟେର୍ଜେ ରୋଡ-ଲାର୍ସନ ସେହି ବ୍ୟକ୍ତି ଥିଲେ ଯିଏ ଏପଷ୍ଟିନକୁ ଜାଣିଥିଲେ। ଏଣୁ ଆଇପିଆଇ ଅଥବା ଆଇସିଏମ ପ୍ରତିନିଧିମଣ୍ଡଳ ଅଂଶ ଭାବେ ମୁଁ ଏପଷ୍ଟିନକୁ କିଛି ଅବସରରେ ୩ ବା ଅଧିକ ୪ ଥର ଭେଟିଥିବା ପୁରୀ କହିଥିଲେ।