ଭୁବନେଶ୍ବର ୨୬/୬: ବହି ତ୍ରୁଟି ପଛରେ ରହିଛି ବଡ ଷଡ଼ଯନ୍ତ୍ର । ଫେରାଯିବ ଭୁଲ୍‌ ଛପା ହୋଇଥିବା ସମସ୍ତ ବହି । ସବୁ ଦୋଷୀଙ୍କ ବିରୋଧରେ ହେବ ଦୃଢ ଆକ୍ସନ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଦେଖାଦେଇଥିବା ତ୍ରୁଟିକୁ ଗମ୍ଭୀରତାର ସହ ନେଇଛନ୍ତି ସରକାର । ରାଜ୍ୟ ସରକାରଙ୍କୁ ବଦନାମ ପାଇଁ ବଡ ଷଡ଼ଯନ୍ତ୍ର ସନ୍ଦେହ ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଘେରିଛନ୍ତି ବିରୋଧୀ । ପ୍ରଥମେ ବିଜେଡି ଏବେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଭଲ କଥା ମୁଖ୍ୟମନ୍ତ୍ରୀ ମାନିଲେ ଷଡ଼ଯନ୍ତ୍ର ହେଇଛି । ଷଡ଼ଯନ୍ତ୍ରକାରୀ କିଏ  ? ଭୁଲ ଛପେଇଲା କିଏ ? ଏବେ ଯାଏଁ ଆକ୍ସନ ନାହିଁ,ମୁଖ୍ୟମନ୍ତ୍ରୀ ଅସହାୟ ହୋଇପଡିଛନ୍ତି । ମୁଖ୍ୟମନ୍ତ୍ରୀ ମାନିଲେ ଭୁଲ ହେଇଛି ତାଙ୍କୁ ଧନ୍ୟବାଦ । କିନ୍ତୁ କେଉଁ ଅଫିସର ଭୁଲ କରିଛନ୍ତି ସ୍ପଷ୍ଟ କରନ୍ତୁ । ବହିକୁ ତୁରନ୍ତ ଠିକ କରି ପିଲାଙ୍କୁ ପ୍ରଦାନ କରନ୍ତୁ  । ଭୁଲ ବହି ପ୍ରିଣ୍ଟ ଯିଏ କଲା ତା ଉପରେ କାର୍ଯ୍ୟାନୁଷ୍ଠାନ ହେଉ । SCERT ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।

ପୂର୍ବରୁ ବିଜେଡି ବିଧାୟକ ସାରଦା ଜେନା କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ମର୍ମାହତ କରିଛି । ମୁଖ୍ୟମନ୍ତ୍ରୀ ନିଜେ କହିଲେ ବଡ଼ ଷଡଯନ୍ତ୍ର ରହିଛି । ଚାଲି ନ ଜାଣି ବାଟର ଦୋଷ ଦେଉଛନ୍ତି । ଖାଲି କହିଲେ ହେବନି ଷଡଯନ୍ତ୍ରକୁ ବାହାରକୁ ଆଣନ୍ତୁ । ନିଜ ଦାୟିତରୁ ଖସିଯିବା ପାଇଁ ଅନ୍ୟ ଉପରେ ଦୋଷ ଲଦିବା ଠିକ ନୁହେଁ । ୨୪ ମାସର ସରକାରର କେବଳ ଗୋଟିଏ କାମ ୨୪ ବର୍ଷର ପୂର୍ବ ସରକାରର ଦୋଷ ଧରିବା । ତ୍ରୁଟି କିଏ କଲା ? ଛପା ଦାୟିତ୍ୱ କିଏ ନେଇଥିଲା ? ମନ୍ତ୍ରୀ ଓ ଅଫିସର କଣ ଦାୟିତ୍ୱ ନେଇଥିଲେ ? କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ? ପ୍ରଥମେ  ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ  ବୋଲି କହିଥିଲେ ବିଜେଡି ବିଧାୟକ ।

Also Read:ବିଜେଡିର କଟାକ୍ଷ, ୨୪ ମାସ ସରକାରର କେବଳ ଗୋଟିଏ କାମ, ୨୪ ବର୍ଷ ପୂର୍ବ ସରକାରର ଦୋଷ ଧରିବା