ନୂଆଦିଲ୍ଲୀ: ଭାରତୀୟ ଜାତୀୟ ଛାତ୍ର ସଂଘ (NSUI)ର ନୂତନ ରାଷ୍ଟ୍ରୀୟ ସଭାପତି ହେଲେ ବିନୋଦ ଜାଖର । ରାହୁଲ ଗାନ୍ଧୀ ବିନୋଦ ଜାଖଡ଼ଙ୍କୁ ଏନଏସୟୁଆଇର ଜାତୀୟ ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ରାଜସ୍ଥାନର ଛାତ୍ର ରାଜନୀତିରୁ ବିନୋଦ ଜାଖର ଏବେ ଏନଏସୟୁଆଇର ସଭାପତି ହୋଇଛନ୍ତି । ବିନୋଦ ଜାଖରଙ୍କ ଜନ୍ମ ୭ ସେପ୍ଟେମ୍ବର ୧୯୯୪ ମସିହାରେ ରାଜସ୍ଥାନର ଜୟପୁର ଜିଲ୍ଲା ନିକଟସ୍ଥ ବିରାଟନଗର ତହସିଲର ମେଢ ଗ୍ରାମରେ ହୋଇଥିଲା।

ସେ ଏକ ସାଧାରଣ ଦଳିତ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଜଣେ ମେକାନିକ ଭାବରେ କାମ କରନ୍ତି ଏବଂ ତାଙ୍କ ମା ଜଣେ ଗୃହିଣୀ। ଚାରି ଭାଇଭଉଣୀଙ୍କ ମଧ୍ୟରୁ ବଡ଼, ବିନୋଦ ସାତ ବର୍ଷ ବୟସରେ ତାଙ୍କ ପରିବାର ସହିତ ଜୟପୁର ଚାଲିଯାଇଥିଲେ। ତାଙ୍କ ବାପା ଏକ ଘରୋଇ ସ୍କୁଲରେ କାମ ପାଇଥିଲେ, ଯେଉଁଠାରେ ବିନୋଦ ମାଗଣା ଶିକ୍ଷା ପ୍ରାପ୍ତ କରିଥିଲେ । ବିନୋଦ ଜାଖର ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ। ତା'ପରେ ସେ ୨୦୧୭ରେ ସମାଜଶାସ୍ତ୍ରରେ ଏମ୍ଏ ଡିଗ୍ରୀ ହାସଲ କରିଥିଲେ।

ସେ ବର୍ତ୍ତମାନ ରାଜସ୍ଥାନୀ ଭାଷାରେ ଏମ୍ଏ କରୁଛନ୍ତି। ପାଠପଢ଼ା ସହିତ, ସେ ଛାତ୍ର ସମାଜର ସମସ୍ୟାଗୁଡ଼ିକୁ ଉଠାଇ ଚର୍ଚ୍ଚାକୁ ଆସିଥିଲେ । ଏନଏସୟୁଆଇ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରୁଥିଲେ ବିନୋଦ । ସେ ୨୦୧୪ ମସିହାରେ ରାଜସ୍ଥାନ କଲେଜର ସଭାପତି ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ, ୨୦୧୮ ମସିହାରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚରେ NSUI ଠାରୁ ଟିକେଟ୍ ପାଇନଥିଲେ ।

ଟିକେଟ୍ ପାଇବାରୁ ବଞ୍ଚିତ ହେବା ସତ୍ତ୍ୱେ, ବିନୋଦ ଜାଖର ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଅଗଷ୍ଟ ୨୦୧୮ରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି ନିର୍ବାଚିତ ହୋଇଥିଲେ। ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ବର୍ଷର ଇତିହାସରେ ସେ ପ୍ରଥମ ଦଳିତ ସଭାପତି ହୋଇଥିଲେ। ଏହି ସଫଳତା ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ପ୍ରମୁଖ ମୋଡ଼ ଆଣିଥିଲା।