ଦିଗପହଣ୍ଡି/ଆସିକା: ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ମାର୍ଥାପୁରରେ ଝାଡ଼ାବାନ୍ତିକୁ ନେଇ ଚିନ୍ତା ବଢ଼ିଛି। ଗୋଟିଏ ପରେ ଗୋଟିଏ ମୃତ୍ୟୁ ଘଟଣାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ। ପୋଡ଼ାମାରି ଗ୍ରାମ ପଞ୍ଚାୟତ ଅଧୀନ ମାର୍ଥାପୁର ଗ୍ରାମର ଭଗତ ମଲ୍ଲିକ ପ୍ରଥମେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହାପରେ ତାଙ୍କ ଶ୍ରାଦ୍ଧକ୍ରିୟା ଭୋଜି ଖାଇଥିବା କିଛି ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଭୋଜି ଖାଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ ମାର୍ଥାପୁର ଗ୍ରାମର ସୁରେନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା। ପରେ ଧରାକୋଟ ବ୍ଲକ୍ ପଟାଶାଳ ଗ୍ରାମର ସୁଶାନ୍ତ ମଲ୍ଲିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ସାନଖେମୁଣ୍ଡି ବ୍ଲକ୍ ରାଜାନାପଲ୍ଲୀ ଗ୍ରାମର ସମ୍ବାରୁ ମଲ୍ଲିକଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଗ୍ରାମବାସୀ ଓ ପରିବାରବର୍ଗ l

ଅପର ପକ୍ଷରେ ହଇଜା ସଂକ୍ରମଣର ଭୟଥିବାରୁ ‎ଗଞାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନ ହେଲା ଗାଁରେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମାଣିକପୁର ଉପସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି l ‎ଏମିତିକି ପ୍ରଶାସନ ପକ୍ଷରୁ ଦୁଇ ଦୁଇ ଥର ପୁରା ଗାଁ ଙ୍କୁ ସାନିଟାଇଜ୍ କରିବା ସହ ବ୍ଲିଚିଂ ପାଉଡର ପକାଯାଇଛି l ଗାଁ ଲୋକଙ୍କ ଚିକିତ୍ସା ପାଇଁ ୨୪ ଘଣ୍ଟିଆ ମେଡିକାଲ୍ ଟିମ୍ ମୁତୟନ କରାଯାଇଛି l ପ୍ରଶାସନ ପକ୍ଷରୁ ଗାଁର ଗ୍ରାମୀଣ ପରିବେଶ ଅନୁଧ୍ୟାନ କରିବା ସହ ପାନୀୟ ଜଳର ନମୁନା ସଂଗ୍ରହ କରି ଲାବକୁ ପଠାଯାଇଛି l

Also Read: ଭସାଣି ବନ୍ଦ କରିବାକୁ କହିବାରୁ ଉତ୍ତେଜନା, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ସେହିପରି ମାର୍ଥାପୁର ଗାଁରେ ସ୍ୱାସ୍ଥ୍ୟ ବିଭାଗ ଟିମ ପହଞ୍ଚି ପାଣିର ନମୁନା ସଂଗ୍ରହ କରି ଅଧିକ ଅନୁଧ୍ୟାନ କରୁଛନ୍ତି l ସ୍ୱଚ୍ଛତା ଓ ସୁରକ୍ଷିତ ପାନୀୟ ଜଳ ବ୍ୟବହାର ପାଇଁ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତିl ଅନ୍ୟପଟେ ଝାଡାବାନ୍ତିରେ କେହି ମୃତ୍ୟୁବରଣ କରି ନାହାନ୍ତି, ୬ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଯାଇଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ l ତେବେ କେଉଁଥିପାଇଁ ମୃତ୍ୟୁ ବାରଣ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନଥିବା ବେଳେ ସଂଗୃହୀତ ନମୁନାର ରିପୋର୍ଟ ଆସିବା ପରେ ସ୍ପଷ୍ଟ ଜଣା ପଡିବ ବୋଲି ଆଶା କରାଯାଉଛି l