ଭୁବନେଶ୍ବର: ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହରରେ ଦୂର୍ଗା ପୂଜା ପାଳନ ହେବ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ କଟକଣା ଲଗାଯାଇଛି । ଯାନବାହନ ଗୁଡ଼ିକର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଏହି କଟକଣା ଲଗାଯାଇଛି । କଟକଣା ଅକ୍ଟୋବର ୧୬ରୁ ୨୧ ତାରିଖ ଅପରାହ୍ନ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯିବ । ଏହି ନିୟମ ଖିଲାପ କଲେ ଖିଲାପକାରୀଙ୍କୁ ୫୦୦ କିମ୍ବା ସର୍ବାଧିକ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ତେବେ ଉପରୋକ୍ତ କଟକଣାଗୁଡ଼ିକ ପୋଲିସ, ଅଗ୍ନିଶମ, ଏକ୍ସାଇଜ, ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡ଼ିଗୁଡ଼ିକ ପାଇଁ ଲାଗୁ ହେବ ନାହିଁ ।

ଜାରି କଟକଣା ଅନୁସାରେ, ଏହି ଦିନମାନଙ୍କରେ ପୂଜା ଯୋଗୁ ଟ୍ରାଫିକ୍ ସମସ୍ୟା ଦୃଷ୍ଟିରୁ କୌଣସି ଭାରି ଯାନ ସହରର ବିଭିନ୍ନ ରାସ୍ତା ଦେଇ ଯାଇପାରିବେ ନାହିଁ । ସେଥିମଧ୍ୟରେ ରହିଛି... ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ, ବାଣୀବିହାର ଛକ ଠାରୁ ଶିଶୁଭବନ ଛକ, ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ, ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ, ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଛକ, ଜୟଦେବ ବିହାର ଠାରୁ ରାଜଭବନ ଛକ, ସିଆରପି ଛକ ଠାରୁ ପାଓ୍ବାର ହାଉସ ଛକ, ଫାୟାର ଟ୍ରେନିଂ ସ୍କୁଲ ଛକ ଠାରୁ ଶିଶୁଭବନ ଛକ, ଖଣ୍ଡଗିରି ଛକ ଠାରୁ ପୋଖରୀ ପୁଟ ଛକ, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଏନଏଚ-୧୬ର ଉଭୟ ପାର୍ଶ୍ବରେ ଥିବା ସର୍ଭିସ ରୋଡ୍ ଇତ୍ୟାଦି ଦେଇ ଭାରି ଯାନ ଚଳାଚଳ କରିପାରିବ ନାହିଁ ।

Also Read: ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ ! ଦଶହରାରେ ହେବ କି ପ୍ରବଳ ବର୍ଷା ?

ସେହିଭଳି ପୁରୀ ପଟୁ ଆସୁଥିବା ବସ୍ ଲିଙ୍ଗିପୁର ଛକରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍ ଛକ ଦେଇ ବରମୁଣ୍ଡା ବସ୍ ଷ୍ଟାଣ୍ଡକୁ ଯିବେ । ସହର ଭିତରକୁ କୌଣସି ବସ୍ ପ୍ରବେଶ କରିବାକୁ ଦିଆଯିବ ନାହିଁ। ମାଷ୍ଟର କ୍ୟାଣ୍ଟିନ୍ ବସ୍ ଷ୍ଟାଣ୍ଡରୁ ବାହାରୁଥିବା କୌଣସି ବସ୍ ବାଣୀବିହାର କିମ୍ବା ରବି ଟକିଜ୍ ଆଡ଼କୁ ଯାଇପାରିବେ ନାହିଁ। ଏହା ରାମ ମନ୍ଦିର ଓ ହାଉସିଂ ବୋର୍ଡ ଛକ ଦେଇ ଆଚାର୍ଯ୍ୟ ବିହାରରେ ମିଶିବ।