ନୂଆଦିଲ୍ଲୀ: କଲମ୍ବିଆରେ ଭୟଙ୍କର ବିମାନ ଦୁର୍ଘଟଣା । ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ସୋମାବାର କଲମ୍ବିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ବିମାନରେ ୧୧୦ ଜଣ ସୈନିକ ଥିଲେ ଏବଂ ଏହା ପେରୁ ସୀମା ନିକଟରେ କ୍ରାସ୍ ହୋଇଥିବା ଜଣାପଡ଼ିଛି । ରଏଟର୍ସ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ କହିଛନ୍ତି ଯେ, ଲକହିଡ୍ ମାର୍ଟିନ୍ ହର୍କୁଲେସ୍ ସି-୧୩୦ ବିମାନଟି ପେରୁ ସୀମାରେ ଥିବା ପୁଏର୍ଟୋ ଲେଗୁଇଜାମୋରୁ ଉଡ଼ାଣ ଭରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୁର୍ଘଟଣାର କାରଣ ଜଣାପଡ଼ିନି

ମୃତ୍ୟୁବରଣ କରିଥିବା ଲୋକଙ୍କ ସଠିକ୍ ସଂଖ୍ୟା ଏବଂ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ । ବିମାନଟି ପୁଏର୍ଟୋ ଲେଗୁଇଜାମୋରୁ ସୁରକ୍ଷା ବାହିନୀର ସୈନ୍ୟମାନଙ୍କୁ ନେଇ ଉଡ଼ାଣ ଭରୁଥିବା ସମୟରେ ଏକ ଦୁଃଖଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ବୋଲି ସାଞ୍ଚେଜ୍ କହିଛନ୍ତି। ଦୁର୍ଘଟଣା ସମୟରେ ବିମାନରେ ୧୧୦ ଜଣ ସୈନିକ ଥିଲେ । ସହରରୁ ପ୍ରାୟ ୩ କିଲୋମିଟର ଦୂରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି, ‘ମୁଁ ଆଶା କରୁଛି ଯେ, ଏହି ଭୟଙ୍କର ଦୁର୍ଘଟଣାରେ କୌଣସି ମୃତାହତ ହୋଇନାହିଁ । ଏମିତି କେବେ ଘଟିବା ଉଚିତ୍ ନଥିଲା।’

ଏହା ଉଲ୍ଲେଖନୀୟ ଯେ, ଫେବୃଆରୀ ଶେଷ ଭାଗରେ ଆଉ ଏକ ବୋଲିଭିଆନ ବାୟୁସେନାର ହର୍କୁଲେସ୍ C-130 ବିମାନ ରାଜଧାନୀ ଲା ପାଜ୍ ନିକଟସ୍ଥ ଜନବହୁଳ ସହର ଆଲ୍ଟୋରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁଃଖଦ ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୦ ଜଣ ଆହତ ହୋଇଥିଲେ । ବିମାନରେ ଥିବା ଟଙ୍କା ସାରା ସହରରେ ବିଛାଡ଼ି ହୋଇ ପଡ଼ିଥିଲା । ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା ।

Also Read: Middle East War: ଖାଲି ହୋଇଯିବ ଆମେରିକାର ରାଜକୋଷ, ପାଣିରେ ପଡ଼ିଲାଣି ୮୦୦ ମିଲିୟନ ଡଲାର, ଏବେ କଣ କରିବେ ଟ୍ରମ୍ପ

C-130 ବିମାନର ବିଶେଷତ୍ୱ କ’ଣ ?

C-130 ବିମାନଟି ଆମେରିକୀୟ ପ୍ରତିରକ୍ଷା କମ୍ପାନୀ ଲକହିଡ୍ ମାର୍ଟିନ୍ ଦ୍ୱାରା ନିର୍ମିତ। ଏହି ବିମାନଟି କେବଳ ବଡ଼ ନୁହେଁ ବରଂ ପ୍ରତିରକ୍ଷା ଆବଶ୍ୟକତା ପାଇଁ ଅତ୍ୟନ୍ତ ଉପଯୁକ୍ତ। ୩୦ ମିଟର ଲମ୍ବା ଏବଂ ୧୨ ମିଟର ଉଚ୍ଚତା ବିଶିଷ୍ଟ ଏହି ବିମାନ ୧୯ ଟନ୍ ପେଲୋଡ୍ ବହନ କରିବାକୁ ସକ୍ଷମ। ଏହି ବିମାନଟି ଘଣ୍ଟା ପ୍ରତି ୬୪୩ କିଲୋମିଟର ବେଗରେ ଉଡ଼ିପାରିବ । ଏହାର ଏକ ବିଶେଷ ଗୁଣ ହେଉଛି, ସବୁଠାରୁ ଖରାପ ପାଗରେ ମଧ୍ୟ ଉଡ଼ିବାର କ୍ଷମତା ରହିଛି । ଆମେରିକା ଏବଂ ଭାରତ ସମେତ ୨୩ ରୁ ଅଧିକ ଦେଶ ଏହି ବିମାନ ବ୍ୟବହାର କରନ୍ତି।