Cockroach Rally Tamil Nadu: ଦେଶରେ ବଢ଼ୁଥିବା ବେକାରୀ ସମସ୍ୟା, ସରକାରୀ ପରୀକ୍ଷାରେ ଦୁର୍ନୀତି ଏବଂ ଅହେତୁକ ମୂଲ୍ୟବୃଦ୍ଧି ବିରୋଧରେ ତାମିଲନାଡୁରେ ଯୁବପିଢ଼ିଙ୍କ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ କଥିତ ବିବାଦୀୟ ମନ୍ତବ୍ୟକୁ ନେଇ ଶିକ୍ଷିତ ବେକାର ଯୁବକମାନେ ନିଜକୁ 'ଅସରପା' (Cockroaches) ଭାବେ ବୋଲି ଦର୍ଶାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମଦୁରାଇ ଏବଂ କୋଇମ୍ବାଟୁର ଭଳି ପ୍ରମୁଖ ସହରରେ ଆୟୋଜିତ ଏହି 'କକ୍ରୋଚ୍ ରାଲି' (ଅସରପା ଶୋଭାଯାତ୍ରା) ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଚାରପତିଙ୍କ ମନ୍ତବ୍ୟକୁ ନେଇ କ୍ରୋଧ, ଆରମ୍ଭ ହେଲା 'ଅସରପା' ଆନ୍ଦୋଳନ

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତି ଏକ ମାମଲାର ଶୁଣାଣି ବେଳେ ବେକାର ଯୁବକମାନଙ୍କୁ ‘ଅସରପା’ ଏବଂ ‘ପରଜୀବୀ’ ସହ ତୁଳନା କରିଥିବା ଅଭିଯୋଗ ହୋଇଥିଲା। ଯଦିଓ ପରବର୍ତ୍ତୀ ସମୟରେ ସେ ସ୍ପଷ୍ଟୀକରଣ ଦେଇଥିଲେ ଯେ ତାଙ୍କ ମନ୍ତବ୍ୟ କେବଳ ନକଲି ଡିଗ୍ରୀଧାରୀ ଓକିଲମାନଙ୍କ ପାଇଁ ଥିଲା, କିନ୍ତୁ ଏହା ସାରା ଦେଶର ଚାକିରି ଆଶାୟୀ ଯୁବକଙ୍କ ସ୍ୱାଭିମାନକୁ ଆଘାତ ପହଞ୍ଚାଇଥିଲା। ଏହାର ପ୍ରତିକ୍ରିୟାରେ ଯୁବକମାନେ ଏହି ଅପମାନକୁ ହିଁ ନିଜ ପ୍ରତିବାଦର ଅସ୍ତ୍ର କରିଛନ୍ତି।

ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ: ମଦୁରାଇରେ ବିଶାଳ ମାର୍ଚ୍ଚ

ମଦୁରାଇଠାରେ 'ଡେମୋକ୍ରାଟିକ୍ ୟୁଥ୍ ଫେଡେରେସନ ଅଫ୍ ଇଣ୍ଡିଆ' (DYFI) ଏବଂ 'ଷ୍ଟୁଡେଣ୍ଟସ୍ ଫେଡେରେସନ ଅଫ୍ ଇଣ୍ଡିଆ' (SFI) ର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଶହ ଶହ ଯୁବକ ଗାନ୍ଧୀ ମ୍ୟୁଜିୟମ ପରିସରରୁ ବାହାରି ଥମୁକ୍କମ ଗ୍ରାଉଣ୍ଡସ୍ରେ ଥିବା 'ତାମିଲ ଆନ୍ନାଇ' ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଆନ୍ଦୋଳନକାରୀମାନେ ହାତରେ ଅସରପା ଚିତ୍ର ଥିବା ପ୍ଲାକାର୍ଡ ଧରି "ଆମକୁ କାମ ଦିଅ, ଆମକୁ ସମ୍ମାନ ଦିଅ" ଏବଂ "ବେକାର ଅସରପାମାନଙ୍କ ରାଲି" ଭଳି ସ୍ଲୋଗାନ ଦେଇ କେନ୍ଦ୍ର ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

Also Read- ଫାଲଟା ରେଜଲ୍ଟ ଆସିବା ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ

ସେହିପରି ତାମିଲନାଡୁର ଭିଲ୍ଲୁପୁରମ୍ଠାରେ ମଧ୍ୟ DYFI ନେତା ଆରିଭାଲାଗନ୍ଙ୍କ ନେତୃତ୍ୱରେ ଏକ ବୃହତ ସ୍ୱାକ୍ଷର ଅଭିଯାନ ମାଧ୍ୟମରେ ସରକାରଙ୍କ ବିଫଳତା ବିରୋଧରେ ଜନମତ ସୃଷ୍ଟି କରାଯାଇଛି।

ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କଲା 'କକ୍ରୋଚ୍ ଜନତା ପାର୍ଟି'

ଏହି ଆନ୍ଦୋଳନ କେବଳ ରାଜପଥରେ ସୀମିତ ନାହିଁ, ବରଂ ସୋସିଆଲ ମିଡିଆରେ ମଧ୍ୟ ଏକ ବଡ଼ ରୂପ ନେଇଛି। ଇନଷ୍ଟାଗ୍ରାମରେ ଅଭିଜିତ ଦୀପକେଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ବ୍ୟଙ୍ଗାତ୍ମକ ପେଜ୍ 'କକ୍ରୋଚ୍ ଜନତା ପାର୍ଟି' (CJP) ରାତାରାତି ଭାଇରାଲ ହେବାରେ ଲାଗିଛି। ମାତ୍ର କେଇଟା ଦିନରେ ଏହାର ଫଲୋଅର୍ସ ସଂଖ୍ୟା ୧.୯ କୋଟି (19 Million) ଅତିକ୍ରମ କରିଛି, ଯାହା ଶାସକ ଦଳ ବିଜେପିର ଅଫିସିଆଲ୍ ପେଜ୍ ଠାରୁ ମଧ୍ୟ ଅଧିକ। ଏହି ପେଜ୍ ମାଧ୍ୟମରେ ଦେଶର କୋଣଅନୁକୋଣରୁ ଯୁବକମାନେ ମିମ୍ସ ସାହାଯ୍ୟରେ ନିଜର ଦୁଃଖ ଓ ଆକ୍ରୋଶ ପ୍ରକାଶ କରୁଛନ୍ତି।

ତେବେ ଗୋଇନ୍ଦା ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଏହି ଟ୍ରେଣ୍ଡକୁ ଦବାଇବା ପାଇଁ ଅନେକ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରିଦେଇଥିବା ବିରୋଧୀ କଂଗ୍ରେସ ଏବଂ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ଏପରିକି ଏହି ଭର୍ଚୁଆଲ ପାର୍ଟି ବିରୋଧରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ମଧ୍ୟ ଦାୟର ହୋଇଛି।

ଚାକିରି ପ୍ରତିଶ୍ରୁତି ଫେଲ୍, NEET ଦୁର୍ନୀତିକୁ ନେଇ କ୍ଷୋଭ

ଆନ୍ଦୋଳନକାରୀ ଯୁବକମାନେ କେନ୍ଦ୍ର ସରକାରଙ୍କକୁ ଘେରି ପ୍ରଶ୍ନ କରିଛନ୍ତି ଯେ, ବାର୍ଷିକ ୨ କୋଟି ଚାକିରି ଦେବାର ପ୍ରତିଶ୍ରୁତି କୁଆଡ଼େ ଗଲା? ଏହା ସହ ନିକଟରେ ହୋଇଥିବା NEET-UG ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଏବଂ ଅନ୍ୟାନ୍ୟ ସରକାରୀ ପରୀକ୍ଷାରେ ବ୍ୟାପକ ଅନିୟମିତତା ଯୋଗୁଁ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବର୍ବାଦ ହୋଇଯାଇଥିବା ସେମାନେ କହିଛନ୍ତି। ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି।

ଅନ୍ୟପଟେ, ପେଟ୍ରୋଲ-ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ଡେଲିଭରି ବୟ ଭାବେ କାମ କରୁଥିବା ଶିକ୍ଷିତ ଯୁବକ ଏବଂ ମଧ୍ୟବିତ୍ତ ପରିବାର ଅତି ଦୟନୀୟ ସ୍ଥିତିରେ ଗତି କରୁଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଯୁବପିଢ଼ିଙ୍କର ଏହି 'ଅସରପା ରାଲି' ଏବେ ସରକାରଙ୍କ ପାଇଁ ଏକ ବଡ଼ ଚେତାବନୀ ପାଲଟିଛି।