କୋଲକାତା: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ଆସନରେ ରେକର୍ଡ ବ୍ୟବଧାନରେ ବିଜେପି ବିଜୟୀ ହେବା ପରେ, ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି । ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନରେ ​​ଜାଲିଆତିର ଅଭିଯୋଗକୁ ଦୋହରାଇ କହିଛନ୍ତି, ଭୋଟ ଗଣତି ସମୟରେ ଇଭିଏମରେ ହେରଫେର କରାଯାଇଥିଲା, ଭୋଟ ଚୋରି ହୋଇଥିଲା ଏବଂ ମୋତେ ଗଣନା କେନ୍ଦ୍ରରୁ ବାହାର କରିଦିଆଯାଇଥିଲା। ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ଶାସନରେ ପୋଲିସ ଶିକାରୀ ପାଲଟିଛି।  ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଲୁଟ୍ କରାଯାଇଥିଲା ଏବଂ ମହିଳାମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ମମତା ବାନାର୍ଜୀ ଏକ ଭିଡିଓ ବାର୍ତ୍ତାରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

ମମତା ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଯେତେବେଳେ ଆପଣ ଦିଲ୍ଲୀରେ କ୍ଷମତାରୁ ହଟିବେ , କର୍ମର ପରିଣାମ ଭୋଗ କରିବେ। ଆମେ ସେହି ଦିନକୁ ଅପେକ୍ଷା କରିଛୁ। ମୁଁ ନ୍ୟାୟପାଳିକାକୁ ମନେ ପକାଇ ଦେବାକୁ ଚାହୁଁଛି ଯେ, ସେମାନେ ଆଇନର ପ୍ରକୃତ ରକ୍ଷକ। ମୁଁ  ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଆଇନଗତ ଲଢ଼େଇ ଲଢ଼ିବି। ମୁଁ ଦେଖିବି କାହାର ଅଧିକ ଶକ୍ତି ଅଛି: ସମ୍ବିଧାନ ନା ବନ୍ଧୁକର ?

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ମେ ୪ ତାରିଖ ଫଳାଫଳ ପରେ ପଶ୍ଚିମବଙ୍ଗର ଲୋକ ଏବଂ ଟିଏମସିର କାର୍ଯ୍ୟକର୍ତ୍ତାମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଫାଲଟାରେ ଟିଏମସିର ପରାଜୟ ପରେ ମମତା ବାନାର୍ଜୀ କେନ୍ଦ୍ର ଏବଂ ରାଜ୍ୟରେ ନବନିର୍ବାଚିତ ବିଜେପି ସରକାର ଉପରେ ବର୍ଷିଛନ୍ତି। ଫାଲଟା ଆସନରେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ଅମାନତ ହରାଇଛନ୍ତି। ବିଜେପି ଏହି ଆସନରେ ୧,୦୯,୦୨୧ ଭୋଟରେ ଜିତିଛି, ଯାହା ପଶ୍ଚିମବଙ୍ଗରେ ଯେକୌଣସି ଆସନରେ ବିଜେପିର ସବୁଠାରୁ ବଡ଼ ବିଜୟ। ଫାଲଟା ବିଜୟ ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଟିଏମସି ଉପରେ ବର୍ଷିଛନ୍ତି । 

ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ଟିଏମସିକୁ ଭବିଷ୍ୟତରେ ନୋଟା ସହିତ ଲଢ଼ିବାକୁ ପଡିବ। ଏହା ଉଲ୍ଲେଖନୀୟ ଯେ, ଫାଲଟାରେ ପୁନଃନିର୍ବାଚନ ପରେ, ପ୍ରଚାରର ଶେଷ ଦିନରେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନରୁ ଓହରି ଯାଇଥିଲେ । ହେଲେ ତାଙ୍କର ପ୍ରାର୍ଥିପତ୍ର ରଦ୍ଦ ହୋଇନଥିଲା । ରିପୋଲିଂ ପରେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ଚତୁର୍ଥ ସ୍ଥାନରେ ରହିଛନ୍ତି