ବାଲେଶ୍ବର ୧୩।୧୧: ମୟୂରଭଞ୍ଜ ମାଟିରେ ଜାତୀୟ ବାନ୍ଦନା ପରବର ମହାକୁମ୍ଭ । ବଡ଼ସାହି ବ୍ଲକ ଅନ୍ତର୍ଗତ ଦୁର୍ଗାପୁରର ଆଗୁଆଡ଼ ଖେଳପଡ଼ିଆ ଠାରେ ଆୟୋଜିତ ହୋଇଯାଇଛି ମହାନ୍ତ ତଥା କୁଡ଼ମି ସମାଜର ‘ଜାତୀୟ ବାନ୍ଦନା ପରବ-୨୦୨୬’ । ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପାରମ୍ପରିକ ଗଣପର୍ବରେ ଯୋଗ ଦୋଇଛନ୍ତି । ଦିନ ୧୧ଟାରେ ଆଗୁଆଡ଼ ଖେଳପଡ଼ିଆ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ, ସ୍ଥାନୀୟ ଜନସାଧାରଣ ଓ ଦଳୀୟ କର୍ମୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଥମେ କୁଡ଼ମି ସମାଜର ପରମ୍ପରା ଅନୁଯାୟୀ ଗୋ-ପୂଜନ ଓ ହଳ ପୂଜନ ବିଧି ସମ୍ପନ୍ନ କରିଥିଲେ । ପାରମ୍ପରିକ ଝୁମର ନୃତ୍ୟ ଓ ମାଦଳର ତାଳେ ତାଳେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା ।

ମୁଖ୍ୟମନ୍ତ୍ରୀ ନିଜେ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏହି ପର୍ବ କିଭଳି ସୁଦୂର ପ୍ରସାରୀ ହେବ ତା ନେଇ ରାଜ୍ୟ ସରକାର ଚିନ୍ତା କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବା ସହ ମହାନ୍ତ ଓ କୁଡ଼ମି ସମାଜର କଳା, ସଂସ୍କୃତି ଏବଂ ପରମ୍ପରାର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ବାନ୍ଦନା ପରବକୁ କେବଳ ମୟୂରଭଞ୍ଜରେ ସୀମିତ ନରଖି ସାରା ରାଜ୍ୟରେ ସରକାରୀ ଛୁଟି ଦିନ ଭାବେ ଘୋଷଣା କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଏବଂ ସମାଜ ପକ୍ଷରୁ ଦାବି କରାଯାଇଛି । କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

Also Read:- କୁଞ୍ଜଲତା ହତ୍ୟା ଓ ଲୁଟ୍ ମାମଲାରେ ଖୋର୍ଦ୍ଧାରୁ ପୁରୀ ଲିଙ୍କ୍ : ଲୁଟ୍ ସାମଗ୍ରୀ କିଣିଥିବା ମହିଳା ବ୍ରହ୍ମଗିରିରୁ ଗିରଫ

ଏହି ବିଶାଳ ସମାବେଶରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।