ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାର ଚିତ୍ରଗୁଲକ୍ଷେତ୍ର ନାଲା ଛୋଟିହାଲରେ ବାଦଲ ଫାଟିବା ଘଟଣା ସାମ୍ନାକୁ ଆସିଛି। ଫଳରେ ଅଚାନକ ବନ୍ୟା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ କୃଷି ଭୂମି, ସେଓ ବଗିଚା, ଧାନ ଫସଲ ଓ କେତେକ ଆବାସିକ ଅଞ୍ଚଳ ବ୍ୟାପକ ପ୍ରଭାବିତ ହୋଇଛି। ଘଟଣାର ସୂଚନା ମିଳିବାମାତ୍ରେ ଜିଲ୍ଲା ପ୍ରଶାସନ ରିଲିଫ ଓ ଉଦ୍ଧାରକାରୀଦଳଙ୍କୁ ପ୍ରଭାବିତ କ୍ଷେତ୍ରକୁ ପଠାଇ କ୍ଷୟକ୍ଷତି ଆକଳନ ଆରମ୍ଭ କରିଛି।

ସ୍ଥାନୀୟ ଲୋକଙ୍କ ଅନୁସାରେ ଅଚାନକ ଆସିଥିବା ବନ୍ୟାପାଣି ଅନେକ ଘରେ ପଶି ଯାଇଛି। ଏହି ବନ୍ୟାରେ ଧାନଫସଲ, ସେଓ ବଗିଚା ଓ ରାସ୍ତାଘାଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଗ୍ରାମବାସୀ ପ୍ରଶାସନକୁ ତତ୍କାଳ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ବିପର୍ଯ୍ୟୟ ଯୋଗୁ ଚାଷୀଙ୍କ ଜୀବିକା ଗଭିର ରୂପେ ପ୍ରଭାବିତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଭୟାବହତା ସମ୍ପର୍କରେ କହିବାକୁ ଯାଇ ଲୋକେ କହିଛନ୍ତି ଯେ ଜୀବନ ବଞ୍ଚାଇବା ପାଇଁ ଆମକୁ ଘର ଛାଡିବାକୁ ପଡିଥିଲା।

ଛତପାଲ କ୍ଷେତ୍ରରୁ ଆସିଥିବା ବନ୍ୟା ମୁଖ୍ୟ ସଡ଼କକୁ ମଧ୍ୟ କ୍ଷତିଗ୍ରସ୍ତ କରିଛି। ଏଣୁ ଅଞ୍ଚକୁ ଯାତାୟାତ ପ୍ରଭାବିତ ହୋଇଛି। ବାଦଲଫଟା ବର୍ଷା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବର୍ଷା ଓ ବନ୍ୟାରେ ବାଗବଗିଚା, ଚାଷଜମି, ପଶୁଧନ ଓ ସଡ଼କ ସମ୍ପର୍କକୁ ବ୍ୟାପକ କ୍ଷତି କରିଛି। ଲୋକେ ଅଧିକ ବିତ୍ପାତ ଭୟରେ ଘର ଛାଡି ସଡ଼କ ଉପରେ ଓ ମସଜିଦରେ ଆଶ୍ରୟ ନେଇଛନ୍ତି। ତେବେ ପ୍ରଭାବିତ ଅଞ୍ଚଳକୁ ରିଲିଫ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ବାଦଲଫଟା ବର୍ଷା ଯୋଗୁ କ୍ଷୟକ୍ଷତି ଆକଳନ କରାଯାଉଥିବା ଓ ଅନ୍ୟ ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଥିବା ପ୍ରଶାସନ କହିଛି।