ନୂଆଦିଲ୍ଲୀ, ୨୪।୦୭ : ଆମ ପାଖରେ ସମୟ ନାହିଁ । କୋର୍ଟଙ୍କ ସମୟ ବରବାଦ କରନ୍ତୁ ନାହିଁ । ବିରୋଧ ପ୍ରଦର୍ଶନ ବେଳେ କକରୋଚ୍ ଜନତା ପାର୍ଟିର ପ୍ରଦର୍ଶନକାରୀଙ୍କୁ ମାଡ଼ ଘଟଣାରେ ଦାଖଲ ଆବେଦନର ଶୁଣାଣି ସମୟରେ କିଛି ଏମିତି ସୁପ୍ରିମକୋର୍ଟ କହିଥିଲେ ବୋଲି ଖବର ଆସିଥିଲା । ଯାହାକୁ ନେଇ ନେଟିଜେନ୍ସ ସୋସିଆଲ ମିଡିଆରେ ଅନେକ ଆଲୋଚନା ଏବଂ ସମାଲୋଚନା କରିଥିଲେ । କିନ୍ତୁ ଏହି ସବୁ ଖବରକୁ ଭ୍ରାମାତ୍ମକ ଏବଂ ଭୁଲ ରିପୋର୍ଟ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ।

କ'ଣ ମାମଲା ?

ରିପୋର୍ଟ ଅନୁସାରେ, ଗତ ୨୦ ତାରିଖରେ ସିଜେପିର ଏକ ଶୋଭାଯାତ୍ର ସଂସଦ ଅଭିମୁଖେ ବାହାରିଥିଲା । ଯାହାକୁ ରୋକିବାକୁ ପୋଲିସ ବଳପ୍ରୟୋଗ କରିଥିଲା । ଉଭୟ ପ୍ରଦର୍ଶନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ଶତାଧିକ ଆହତ ମଧ୍ୟ ହୋଇଥିଲେ । ଏହାକୁ ନେଇ ଜୁଲାଇ ୨୨ ତାରିଖରେ ନରେନ୍ଦ୍ର ମିଶ୍ରା ନାମକ ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ଆବେଦନ କରି କୋର୍ଟ ଏହି ମାମଲାକୁ ଗୁରୁତର ସହ ନେବାକୁ ଅନୁରୋଧ କରିଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଭିଡିଓ ଫୁଟେଜ୍ ଦେଖିବାକୁ ମଧ୍ୟ ସେ ଅପିଲ କରିଥିଲେ । ଏହି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆମର ଏବଂ ଆପଣଙ୍କର ସମୟ ବରବାଦ ନକରିବା ସହ ଭିଡିଓ ଦେଖିବାକୁ ଆନ୍ତରିକତା ନଥିବା କହିଥିଲେ ।ଏହାସହ ମାମଲାର ଜ୍ୱରିତ ଶୁଣାଣି ପାଇଁ କୋର୍ଟ ମନା କରିଦେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହାକୁ ନେଇ ନେଟିଜେନ୍ସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ସିଜେଆଇଙ୍କ ପ୍ରତିକ୍ରିୟା

ଏବେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଆଇନତଃ ଆବେଦନକୁ ଖାରଜ ନେଇ ପ୍ରଶ୍ନ ଉଠୁ ନାହିଁ ।କାରଣ କୋର୍ଟରେ କିଛି ଏମିତି କେସ୍ ଫାଇଲ୍ ହୋଇନାହିଁ । ମିଶ୍ରାନାମକ ଜଣେ ବ୍ୟକ୍ତି ଏବାବଦରେ କେବଳ କୋର୍ଟରେ କହିଥିଲେ । ମିଡିଆ ଏହାକୁ ଭୁଲ୍ ଭାବେ ରିପୋର୍ଟ କରିଛି । ସେ ରେଜିଷ୍ଟ୍ରିଙ୍କୁ କହି ପରେ ଯାଞ୍ଚ କରିଥିଲେ । ହେଲେ ଯନ୍ତରମନ୍ତରର ଘଟଣାକୁ ନେଇ ଗୋଟିଏ ହେଲେ କୌଣସି କାଗଜ ଦାଖଲ ହୋଇନାହିଁ ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ମାମଲାକୁ ନେଇ ଔପଚାରିକ ଭାବେ କୌଣସି ଜନସ୍ୱାର୍ଥ ମାମଲା ଦାଖଲ ହୋଇନାହିଁ । ଏହା କେବଳ ଜଣେ ଆଇନଜୀବୀଙ୍କ ଦ୍ୱାରା କୋର୍ଟଙ୍କ ଆଗରେ ରଖାଯାଇଥିବା ମୌଖିକ ଆବେଦନ । ଯଦି ଭବିଷ୍ୟତରେ ମାମଲାକୁ ନେଇ କୌଣସି ବିଦ୍ଧିବଦ୍ଧ ଆବେଦନ ଦାଖଲ ହୁଏ ତାହାଲେ କୋର୍ଟ ଏହାର ବିଚାର କରିପାରନ୍ତି ।