ନୂଆଦିଲ୍ଲୀ,/୦୯ :ନ୍ୟାୟପାଳିକାକୁ ତଦନ୍ତ ଓ ସମାଲୋଚନାର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ହେବ । ତେବେ ଯାଇ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବଜାୟ ରହିବ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି।

ନୂଆଦିଲ୍ଲୀରେ ସୋମବାର ଆୟୋଜିତ ଷଷ୍ଠ ରାମ ଜେଠମାଲାନୀ ସ୍ମାରକୀ ବକୃତାରେ ଉଦବୋଧନ ଦେଇ ସିଜେଆଇ କହିଛନ୍ତି ଯେ ଲୋକତନ୍ତ୍ରରେ ନ୍ୟାୟପାଳିକା କାର୍ଯ୍ୟର ନିରପେକ୍ଷ ତଥା ରଚନାତ୍ମକ ଆଲୋଚନା ଆବଶ୍ୟକ। ଫଳରେ ନ୍ୟାୟ ବ୍ୟବସ୍ଥା ପ୍ରତି ଉତ୍ତରଦାୟିତ୍ଵ ବଢ଼ିବ ଏବଂ ସୁଧାରର ରାସ୍ତା ଖୋଲିବ। ବିଚାରପତିଙ୍କୁ ନିଜ କାର୍ଯ୍ୟକାଳ ଭିତରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଅଭିଯୋଗର ସାମ୍ନା କରିବାକୁ ପଡିଥାଏ। ତେବେ ଏସବୁ ଅଭିଯୋଗକୁ ୱେବସାଇଟରେ ସାର୍ବଜନୀକ କରିବା କଣ ନିହାତି ଦରକାର କି ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି।

Also Read :- ନିଜ ଦୁଃଖ ବଖାଣିଲେ ସଞ୍ଜୁ ସାମସନ : ଭିଜିଗଲା ଆଖି, କହିଲେ - 'ବେଳେବେଳେ ଓ୍ୱାଇଫାଇ ଅନ୍ ହୋଇଗଲେ...'

ନ୍ୟାୟପାଳିକା ଏଭଳି କୌଣସି ସଂସ୍ଥା ନୁହେଁ,ଯାହା ପ୍ରଶ୍ନ କିମ୍ବା ତଦନ୍ତ ପରିସର ଉପରେ ବୋଲି ବିବେଚନା କରାଯିବ। ଅଦାଲତକୁ ଯଦି ଜନତାଙ୍କ ଭରସା ଦରକାର ତେବେ ଏହାର ନିଷ୍ପତ୍ତି ଓ କାର୍ଯ୍ୟଶୈଳୀ ଉପରେ ଉଠୁଥିବା ପ୍ରଶ୍ନର ଜବାବ ଦେବାକୁ ପ୍ରସ୍ତୁତ ରହିବା ଆବଶ୍ୟକ। ସିଜେଆଇ କହିଛନ୍ତି ଜନତାଙ୍କ ଭରସା ଏବଂ ଜନତାଙ୍କ ପସନ୍ଦ ସମାନ ନୁହେଁ। ଅଦାଲତର ନିଷ୍ପତ୍ତି କୌଣସି ବ୍ୟକ୍ତିଙ୍କ ଇଚ୍ଛା ଅନୁସାରେ ହେବା ଦ୍ଵାରା ଭରସା ହୋଇନଥାଏ। ଭରସା ସେତେବେଳେ ହୋଇଥାଏ ଯେତେବେଳେ ପରାଜିତ ପକ୍ଷ ଭାବିବେ ନିଜ ସହିତ ନିରପେକ୍ଷ ବିଚାର କରାଯାଇଛି।

ସିଜେଆଇ ଆହୁରି ମଧ୍ୟ କହିଛନ୍ତି ଯେ କଲେଜିୟମ ଓ କାର୍ଯ୍ୟପାଳିକା ଭିତରେ ଆଲୋଚନାରେ କୌଣସି ବଡ ବାଧାନାହିଁ। ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥାରେ ସୁଧାର ସମ୍ଭବ ଏବଂ କୌଣସି ସଂସ୍ଥା ସ୍ଥିର କିମ୍ବା ପରିବର୍ତ୍ତନ ବାହାରେ ନୁହେଁ ବୋଲି ସିଜେଆଇ ପ୍ରକାଶ କରିଛନ୍ତି।