ଲଣ୍ଡନ : ବ୍ରିଟେନ ଓ ଚୀନ୍ ସମ୍ପର୍କରେ ପୁଣି ଅବିଶ୍ୱାସ ସୃଷ୍ଟି ହୋଇଛି। ଲଣ୍ଡନ କୋର୍ଟ ଦ୍ୱାରା ୨ ଜଣ ଚୀନ୍ ନାଗରିକ ଗୁଇନ୍ଦାଗିରି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଚୀନ୍ ରାଜଦୂତ ଝୋଙ୍ଗ ଜେଗୁଆଙ୍ଗଙ୍କୁ ବ୍ରିଟେନ ତଲବ କରି ଅସନ୍ତୋଷ ପ୍ରକାଶ କରିଛି। ବ୍ରିଟେନ ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଦେଶ ଭିତରେ କୌଣସି ବିଦେଶୀ ସରକାରଙ୍କ ଦ୍ୱାରା ଡରାଇବା, ନଜର ରଖିବା ଓ କ୍ଷତିକରିବାକୁ ଉଦ୍ୟମ କରିବା ବ୍ରିଟେନ ସାର୍ବଭୌମତ୍ୱର ଗମ୍ଭିର ଉଲ୍ଲଂଘନ।

ଏହାକୁ କୌଣସି ପ୍ରକାରରେ ବରଦାସ୍ତ କରାଯିବନି ବୋଲି ମନ୍ତ୍ରାଳୟ କହିଥିବା ବେଳେ ଲଣ୍ଡନ ସେଣ୍ଟ୍ରାଲ କ୍ରିମିନାଲ କୋର୍ଟ ୱାଇ.ଚି. ଲେଉଙ୍ଗ ଓ ୟୁ.ଏନ. ଚୁଙ୍ଗ-ବିୟୁ ନାମରେ ଦୁଇ ଜଣଙ୍କୁ ଚୀନ୍ ପକ୍ଷରୁ ଗୋଇନ୍ଦାଗିରି ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନେ ବ୍ରିଟେନରେ ରହି ହଂକଂ ସମର୍ଥକ ଗଣତନ୍ତ୍ର କାର୍ଯ୍ୟକର୍ତ୍ତାଙ୍କ ଉପରେ ନଜର ରଖୁଥିଲେ ଓ ସେମାନଙ୍କ ସୂଚନା ବେଜିଂ ପଠାଉଥିଲେ। ଏଥିରୁ ୱାଇ ଚୁଂ ଲେଉଙ୍ଗ ବ୍ରିଟେନ ଇମିଗ୍ରେସନ ବିଭାଗରେ କାମ କରୁଥିଲା।

ଯାଞ୍ଚ ଏଜେନ୍ସୀଙ୍କ ଅନୁସାରେ ସେ ହେଥ୍ରୋ ଏୟାରପୋର୍ଟରେ ବ୍ରିଟିଶ ବର୍ଡର ଫୋର୍ସରେ କାମ କରୁଥିବା ବେଳେ ସରକାରୀ ଡାଟା ବେସ୍ ର ତ୍ରୁଟିପୂର୍ଣ୍ଣ ଉପଯୋଗ କରି ଗୋପନୀୟ ସୂଚନା ସଂଗ୍ରହ କରୁଥିବାର ଜଣାପଡିଥିଲା। ବ୍ରିଟିଶ ଯାଞ୍ଚ ଏଜେନ୍ସୀ କହିଛନ୍ତି ଯେ ଦୁଇ ଗୁପ୍ତଚର ହଂକଂ ସରକାର ସମ୍ପର୍କିତ ଲୋକଙ୍କ ସମ୍ପର୍କରେ ଥିଲେ। ସେମାନଙ୍କ ଉପରେ ବ୍ରିଟେନରେ ଶରଣ ନେଇଥିବା ହଂକଂ ଗଣତନ୍ତ୍ର ସମର୍ଥକଙ୍କ ଗୁଇନ୍ଦାଗିରି କରିବାର ଆରୋପ ରହିଛି। ରିପୋର୍ଟ ଅନୁସାରେ ପ୍ରସିଦ୍ଧ ଗଣତନ୍ତ୍ର ସମର୍ଥକ ନେତା ନାଥନ ଲଙ୍କର ମଧ୍ୟ ସେ ଦୀର୍ଘ ବର୍ଷରୁ ଗୁଇନ୍ଦାଗିରି କରି ଆସୁଥିଲା।

ବ୍ରିଟେନ ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ ଭାବେ କହିଛି ଯେ ଜାତୀୟ ସୁରକ୍ଷା ଓ ଗଣତାନ୍ତ୍ରିକ ମୂଲ୍ୟ ରକ୍ଷା ନିମନ୍ତେ ସରକାର ସବୁ ଜରୁରି ପଦକ୍ଷେପ ଗ୍ରହଣ କରିବେ। ସେହିପରି ଚୀନ୍ କୁ ଚେତାବନୀ ଦେଇ ବ୍ରିଟେନ ମାଟିରେ କୌଣସି ପ୍ରକାରର ବିଦେଶୀ ଗୋଇନ୍ଦାଗିରିକୁ ବରଦାସ୍ତ କରାଯିବନି। ଅନ୍ୟପଟେ ଚୀନ୍ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି। ଚୀନ୍ ଦୂତାବାସ କହିଛି ବ୍ରିଟେନ ଆଣ୍ଟି ଚୀନ୍ ରାଜନୈତିକ ଖେଳ ଆଗ ବନ୍ଦ କରୁ। ସେହିପରି ଚୀନ୍ ରାଜଦୂତ ବ୍ରିଟିଶ ଅଧିକାରୀଙ୍କୁ ଭେଟିବା କାଳରେ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଆପତ୍ତି କରିଥିଲେ। କହିଥିଲେ ଚୀନ ବିରୋଧରେ ପରିବେଶ ସୃଷ୍ଟି କରାଯାଉଛି। ଏହି ମାମଲା ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକା, ବ୍ରିଟେନ ଓ ପାଶ୍ଚାତ୍ୟ ଦେଶମାନେ ଚୀନ୍ ଉପରେ ସାଇବର ଗୁଇନ୍ଦାଗିରି, କୂଟନୈତିକ ହସ୍ତକ୍ଷେପ ଓ ଗୁଇନ୍ଦା ଗତିବିଦ୍ଧିର ଆରୋପ ଲଗାଉଛନ୍ତି।