କଟକ ୧୪।୦୧ : ଭଦ୍ରକରେ ବିକ୍ରି । କଟକରୁ ଉଦ୍ଧାର । ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକୁ କଟକରୁ ଉଦ୍ଧାର କରିଛି ଭଣ୍ଡାରିପୋଖରୀ ପୋଲିସ । ଉଦ୍ଧାର ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଶିଶୁ ମଙ୍ଗଳ କମିଟିରେ ହାଜର କରିବ ପୋଲିସ ।

ଅଭିଯୋଗ ଅନୁସାରେ, ସୋମବାର ସକାଳ ପ୍ରାୟ ସାଢ଼େ ୯ରେ ପୁଅ, ବୋହୂ ଏକ ମାସର ନାତୁଣୀକୁ ଚିକିତ୍ସା ପାଇଁ ନେଉଥିବା କହି ଘରୁ ବାହାରି ଯାଇଥିଲେ। ରାତି ପ୍ରାୟ ୮ଟା ବେଳକୁ ପୁଅ, ବୋହୂ ଘରକୁ ଫେରିଥିଲେ । ହେଲେ ଶିଶୁକନ୍ୟା ନ ଥିଲା । ଜେଜେମାଆ ନାତୁଣୀ ସମ୍ପର୍କରେ ପଚାରିବାରୁ ସେମାନେ ଗାଳିଗୁଲଜ କରିବା ସହ ମାଡ଼ ଧମକ ଦେଇଥିଲେ । ଘରେ ବୋହୂଙ୍କ ମାଆ ତଥା ତାଙ୍କ ସମୁଦୁଣି ମଧ୍ୟ ରହୁଛନ୍ତି। ପୁଅ, ବୋହୂ ଓ ସମୁଦୁଣି ମିଶି ଷଡ଼ଯନ୍ତ୍ର କରି ନାତୁଣୀକୁ ବିକି ଦେଇଥିବା ଅଥବା ମାରିଦେଇଥିବା ସନ୍ଦେହ କରିଥିଲେ ଜେଜେମାଆ । ଏନେଇ ମଙ୍ଗଳବାର ସେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ କେସ୍ (ନଂ ୧୭/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଏ ଖବର ବି ପଢନ୍ତୁ : ​​​​​​​Bhadrak : ନିର୍ଦ୍ଦୟୀ ବାପା-ମାଆ, ମାସକର ଶିଶୁକନ୍ୟାକୁ ବିକ୍ରି କରିଦେଲେ ୨୦ହଜାର ଟଙ୍କାରେ

ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକଙ୍କ ନେତୃତ୍ୱରେ ସନ୍ଧ୍ୟାରେ ଭଣ୍ଡାରିପୋଖରୀ ପୁଲିସ୍ କଟକ ରାଜାବଗିଚା ଅଞ୍ଚଳରୁ ଶିଶୁକନ୍ୟାକୁ ଉଦ୍ଧାର କର଼ିଛି । ଅନ୍ୟପକ୍ଷରେ ଶିଶୁର ବାପାମାଆ ଋଣ ଶୁଝିବା ପାଇଁ ଶିଶୁକୁ ବିକି ଦେଇଥିବା ପ୍ରକାଶ କରିଛନ୍ତି । ଜଣେ ସମ୍ପର୍କୀୟ ମାଉସୀଙ୍କର ପିଲା ନ ଥିବାରୁ ତାଙ୍କୁ ୩୫ ହଜାର ଟଙ୍କାରେ ଝିଅକୁ ବିକ୍ରି କରିଥିବା ଶିଶୁର ମାଆ କହିଛନ୍ତି । ଅଭିଯୁକ୍ତ ବାପାମାଆପୋଲିସ୍ ହେପାଜତରେ ଅଛନ୍ତି।