ପୁରୀ ୨୬।୦୪ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତିନି ରଥର ନିର୍ମାଣ କାରୀ ମାନେ ସକାଳ ୮ ଟା ରୁ ରଥଖଳା ରେ ପହଞ୍ଚି ତିନି ରଥର ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ୩ ରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହେବା ସହ ବିନ୍ଧ ପାଇଁ ସୂତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ଆଜି ତୁମ୍ବ ବିନ୍ଧ ଅନୁକୂଳ ହେବ। ସେପଟେ ପୁରୀରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥକାଠ। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଘୁମୁସର ଉତ୍ତର ଖଣ୍ଡରୁ ଆସିଛି ୨୮ ଖଣ୍ଡ ରଥକାଠ। ଏଥିରେ ୧୨ ଫୁଟିଆ ଧଉରା ୪ ଖଣ୍ଡ। ୨୦ ଫୁଟିଆ ଧଉରା ୧୬ ଖଣ୍ଡ ଏବଂ ୨୦ ଫୁଟିଆ ଅସନ ୮ ଖଣ୍ଡ ରଥକାଠ ପହଞ୍ଚିଛି।

ଅନ୍ୟପଟେ ପୁରୀ ରଥଯାତ୍ରା ନେଇ ବସିଛି ସମୀକ୍ଷା ବୈଠକ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କରେ ସମୀକ୍ଷା କରାଯାଇଛି। ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଶୃଙ୍ଖଳିତ ରଥ ଟଣା ପାଇଁ କର୍ଡନ ପାସ୍ ସଂଖ୍ୟା କମାଇବା ଉପରେ ଆଲୋଚନା ହୋଇଛି। ରଥ ନିର୍ମାଣ ଓ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁଖ୍ୟ ଶାସନ ସଚିବଙ୍କୁ ସୂଚନା ଦେଇଛନ୍ତି। ରଥଯାତ୍ରା ପୂର୍ବରୁ ବଡଦାଣ୍ଡରେ ୫୦ଟି ହାଇମାଷ୍ଟ ଲାଇଟ୍ ଲାଗିବ।

Also Read:-ଆମେରିକାରେ ହଲଚଲ୍ ! ହାଇପ୍ରୋଫାଇଲ ଡିନର୍ ପାର୍ଟିରେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ

ସେହିପରି ସମୁଦ୍ରକୂଳରେ ୬ ଟି ବାୟୋ-ଶୌଚାଳୟ ବ୍ଲକ ସ୍ଥାପନ ହେବ। ବର୍ଷା ହେଲେ ପୁରୀ ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ନେଇ ସ୍ଥାନ ଚିହ୍ନଟ ହୋଇଛି। ଯେଉଁଠାରୁ ଉଚ୍ଚ କ୍ଷମତା ବିଶିଷ୍ଟ ପମ୍ପ ସେଟ୍ ଦ୍ବାରା ଜଳ ନିଷ୍କାସନ ହୋଇପାରିବ । ରଥଟଣାକୁ ସୁଗମ କରିବା ପାଇଁ ବଡଦାଣ୍ଡରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ମେ ମାସ ସୁଦ୍ଧା ଏହା ଶେଷ ହେବ। ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ୨୧ଟି ପାକିଂ ସ୍ଥଳ ଚିହ୍ନଟ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜରୁରୀ କାଳୀନ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରେ ୮ଟି ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସାଳୟ ବ୍ୟବସ୍ଥା କରାଯାଉଛି।