• ଯୋଜନା ଯୋଗୁ ଦୈନିକ ୮୪.୩୨ ଲକ୍ଷ ମହିଳାଙ୍କୁ ଲାଭ ମିଳିବ ବୋଲି ଆଶା କରାଯାଉଛି
  • ହିତାଧିକାରୀ ରାଜ୍ୟ ପରିବହନ ନିଗମର ୧୨,୬୯୫ ବସ୍ ରେ ମାଗଣା ଯାତ୍ରା କରିପାରିବେ
  • ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କ ଶିକ୍ଷା, ରୋଜଗାର, ଜୀବିକା ଓ ଆର୍ଥିକ ସଶକ୍ତିକରଣରେ ସହାୟତା କରିବା

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟ ୨ ଅକ୍ଟୋବର ଶୁକ୍ରବାର ଏକ ଭିନ୍ନ ଭୂମିକାରେ ଦେଖା ଯାଇଛନ୍ତି। ନିଜର ଅଭିନୟ ଜୀବନରେ ଅନେକ ଚରିତ୍ରରେ ଅଭିନୟ କରିଥିବା ସିଏମ ବିଜୟ ଆଜି ଆସଲ ଜୀବନରେ ବସ୍ କଣ୍ଡକ୍ଟର ଭୂମିକାରେ ଦେଖା ଯାଇଛନ୍ତି। ଏଥିରେ ବିଜୟ ମହିଳାଙ୍କୁ ବସ୍ ଟିକେଟ୍ କାଟି ଦେଇଛନ୍ତି। ଏହି ଯାତ୍ରାରେ ସବୁ ଯାତ୍ରୀ ବେଶ୍ ଖୁସିରେ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ଆଜି ‘ଭେଟ୍ରି ପୟନମ ଥିଟ୍ଟମ’ର ସମ୍ପ୍ରସାରଣ ଶୁଭାରମ୍ଭ କରିଛନ୍ତି। ଏଥିରେ ସାରା ରାଜ୍ୟର ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କ ନିଃଶୁଳ୍କ ବସ୍ ଯାତ୍ରା ସୁବିଧାକୁ ଆହୁରି ଅଧିକ ଶ୍ରେଣୀରେ ବଢା ଯାଇଛି।

ଗାନ୍ଧି ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଶୁଭାରମ୍ଭ କରି ଚେନ୍ନାଇରୁ ବସ୍ ଯାତ୍ରା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସ୍ ଯାତ୍ରୀଙ୍କ ସହ ଆଳାପ ଆଲୋଚନା ମଧ୍ୟ କରିଛନ୍ତି ଓ ନିଜେ ମହିଳାଙ୍କୁ ମାଗଣା ବସ୍ ଟିକେଟ୍ ବାଣ୍ଟିଛନ୍ତି। ବସ୍ ରେ ଯାତ୍ରା କରୁଥିବା କଲେଜ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଚକଲେଟ୍ ବାଣ୍ଟୁଥିବାର ଦେଖାଯାଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟଙ୍କ ବସ୍ କଣ୍ଡକ୍ଟର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

ଭେଟ୍ରି ପୟନମ ଯୋଜନା କ’ଣ?
ତାମିଲନାଡୁ ସରକାରଙ୍କ ଏହି ସମ୍ପ୍ରସାରିତ ଯୋଜନା ଯୋଗୁ ଦୈନିକ ୮୪.୩୨ ଲକ୍ଷ ମହିଳାଙ୍କୁ ଲାଭ ମିଳିବ ବୋଲି ଆଶା କରାଯାଉଛି। ହିତାଧିକାରୀ ରାଜ୍ୟ ପରିବହନ ନିଗମର ୧୨,୬୯୫ ବସ୍ ରେ ମାଗଣା ଯାତ୍ରା କରିପାରିବେ। ଏଥିରେ ଏକ୍ସପ୍ରେସ୍ ଓ ଡିଲକ୍ସ ଶ୍ରେଣୀର ବସ୍ କୁ ମଧ୍ୟ ସାମିଲ କରାଯାଇଛି। ରାଜ୍ୟ ସରକାର କହିଛନ୍ତି ଯେ ଏହି ଯୋଜନାରେ ଆୟର କୌଣସି ସୀମା ନାହିଁ। ସେହିପରି କୌଣସି ହିତାଧିକାରୀ ଦିନକରେ କେତେ ଥର ଯାତ୍ରା କରିବେ ତାର ମଧ୍ୟ କୌଣସି ସୀମା ନାହିଁ।

ସରକାର ଏହି ଯୋଜନାର ନାମକୁ ତାଙ୍କ ପାର୍ଟିର ନାମ ତାମିଲଗା ଭେଟ୍ରି କଜଗମରୁ ନେଇଛନ୍ତି, ଯାହାର ଅର୍ଥ ହେଉଛି ବିଜୟ ଯାତ୍ରା। ପୂର୍ବରୁ ଏହି ଯୋଜନା କେବଳ କିଛି ଖାସ ଶ୍ରେଣୀର ବସ୍ ଲାଗି ପ୍ରଯୁଜ୍ୟ ଥିଲା। ଏବେ ଏହି ବିସ୍ତାରିତ ସୁବିଧାରେ ଏକ୍ସପ୍ରେସ୍, ଡିଲକ୍ସ, ମୋଫୁସିଲ ଓ ପାହାଡିଆ ରାସ୍ତାରେ ବସ୍ ସେବାରେ ମଧ୍ୟ ମିଳିବ। ପରିବହନ ମନ୍ତ୍ରୀ ଏ.ବିଜୟ ତାମିଲନ ପାର୍ଥୀବନ ଏହି ଯୋଜନାକୁ ନେଇ କହିଥିଲେ ଯେ ଏହି ଯୋଜନାର ଉଦ୍ଦେଶ୍ୟ ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କ ଶିକ୍ଷା, ରୋଜଗାର, ଜୀବିକା ଓ ଆର୍ଥିକ ସଶକ୍ତିକରଣରେ ସହାୟତା କରିବା। ଯାହାଦ୍ୱାରା ପରିବହନ ଖର୍ଚ୍ଚ ସେମାନଙ୍କ ଉନ୍ନତିରେ ବାଧା ନ ହୁଏ।