ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତିର ଅସ୍ମିତାର ପରିଚୟ ଭାବେ ବର୍ଣ୍ଣନା କରି ଖୁବ୍ ଶୀଘ୍ର ନୂତନ ‘ଚଳଚ୍ଚିତ୍ର ନୀତି’ର ପ୍ରଣୟନ ହେବ ବୋଲି ଘୋଷଣା କରିଛନ୍ତି।

ସିନେମାର ପ୍ରକୃତ ସଂଜ୍ଞା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିନେମା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ହେଉଛି ଗୋଟିଏ ଜାତିର ସ୍ମୃତି, ସଂସ୍କୃତି, ଭାବନା ଓ ଆତ୍ମାର ଏକ ପ୍ରକୃତ ପ୍ରତିଛବି। ଯେଉଁ ସମାଜ ମହାନ ସିନେମା ନିର୍ମାଣ କରେ, ସେ ବିଶ୍ୱ ଦରବାରରେ ନିଜର ଅସ୍ତିତ୍ୱକୁ ସୁଦୃଢ଼ କରିପାରେ ବୋଲି ସେ ମତ ପ୍ରକାଶ କରିଛନ୍ତି।